ଆକାଶ ମେଘ
ଆକାଶ ମେଘ


ଆକାଶରେ ଖଣ୍ଡ ଖଣ୍ଡ ମେଘ ମାଳା ଭାସି ଚାଲୁଛନ୍ତି । କଳା ମେଘଖଣ୍ଡ ମାନଙ୍କ ପଛରେ ସୂର୍ଯ୍ୟ ଲୁଚକାଳି ଖେଳୁଛନ୍ତି । ଶୀତର ପ୍ରକୋପ ଧିରେ ଧିରେ ବଢ଼ିବାରେ ଲାଗିଛି ।
.........ପୌଷ ର ଆଗମନରେ ଋତୁ ତାର ପ୍ରଭାବୀ ଗୁଣ ବିସ୍ତାର କରି ଜନମାନସରେ ନିଜର ଉପସ୍ଥିତି ଜାହିର କରିବାରେ ଦୃଢ଼ସଂକଳ୍ପ ।
...........ବିଲରେ ଠାଏ ଠାଏ ହଳଦୀ ରଙ୍ଗର ଧାନଗଛ ଏବେବି ଚାଷୀଙ୍କୁ ଅପେକ୍ଷା କରିଛି ସେମାନଙ୍କ ପରିଶ୍ରମକୁ ଫଳର ସ୍ୱରୂପରେ ଲେଉଟାଇବାକୁ । ଗଗନରେ ମେଘଖଣ୍ଡ ଦେଖି ଆଉ ଅର୍ଦ୍ଧାଧିକ ଫସଲକୁ ଆୟତ୍ତ କରିବାରେ ବ୍ୟସ୍ତ ଅଛନ୍ତି ଚାଷିକୂଳ । ଏମିତିକି ଭୋକ ଶୋଷ ଓ ନିଜ ଦେହର ମରମ ମଧ୍ୟ ଭୁଲି ଯାଇଛନ୍ତି ।
............ଗାଁ ଦାଣ୍ଡରେ ମଳମଳିଆ ଖରା ପଡ଼ୁଥିବା ସ୍ଥାନକୁ ଗାଁ ର ପ୍ରୌଢ଼/ପ୍ରୌଢ଼ା ମାନେ ଅକ୍ତିଆର କରି ନେଇଛନ୍ତି । ଆଲୋଚନାର ମୁଖ୍ୟ ବିଷୟବସ୍ତୁ ହେଉଛି ସେମାନଙ୍କ ବାଲ୍ୟ ଯୌବନ ସମୟକୁ ବର୍ତ୍ତମାନ ସହିତ ତୁଳନା କରି ବର୍ତ୍ତମାନ ର ପିଢ଼ିଙ୍କୁ ଆକ୍ଷେପ କରିବା । ସମସ୍ତେ ନିଜନିଜର କାର୍ଯ୍ୟରେ ବ୍ୟସ୍ତ ଥାନ୍ତି ।
..................ଚାହୁଁ ଚାହୁଁ ମନ୍ଦିରରେ ସଞ୍ଜ ଘଣ୍ଟା ବାଜି ଉଠିଲା । ପଶ୍ଚିମାକାଶରେ ଦିନମଣୀ ଅସ୍ତରେ ରକ୍ତିମ ଆଭା ମଧ୍ୟ ଚାହୁଚାହୁଁ ଲିଭିଗଲାଣି । ଘୋଟି ଆସିଲାଣି ଘୋର ତମ । ଦାଣ୍ଡଟାବି ସୁନସାନ । କେଇଟା ମୁହୂର୍ତ୍ତ ପୂର୍ବରୁ ଗାଁ ଦାଣ୍ଡରେ ଆଶାନୁରୂପ ଗହଳିଚହଳି ଲାଗି ରହିଥିଲା । ଶୀତର ପ୍ରଭାଵରେ ସମସ୍ତେ ନିଜନିଜର ଘରକୁ ବାହୁଡ଼ି ଗଲେଣି । ଦ୍ଵିଜମାନେ ବି ନିଜନିଜର ନୀଡ଼ରେ ବିଶ୍ରାମ କଲେଣି । ଗାଁ ଦାଣ୍ଡରେ ଚାଲିଗଲା ବେଳେ ଘରୁ ଘରୁ ଭାସି ଆସୁଛି ଦୂରଦର୍ଶନ ଧାରାବାହିକ ମାନଙ୍କର ଶବ୍ଦ ।
..........................ଶୀତର ସେଇ ବିଳମ୍ବିତ ସନ୍ଧ୍ୟାରେ ଅନିମା ବସିରହିଛନ୍ତି ନିଜ ଘରର ବାହାରେ । କାହାକୁ ଜଣକୁ ଅପେକ୍ଷା କରିଛନ୍ତି ଯେମିତି !। ମଣିଷ ତ ମଣିଷ ଗାଁ ଦାଣ୍ଡରୁ ସ୍ୱାନମାନେ ବି ନିଜନିଜର ନିର୍ଦିଷ୍ଟ ସ୍ଥାନକୁ ଚାଲି ଯାଇଛନ୍ତି । ରାତ୍ରିରେ ବିଳମ୍ବ ଥିଲେବି ନୀରବତାର ବୁକୁଚିରି ଝିଙ୍କାରୀର ଝୀଂ ଝୀଂ ଡାକ ବିଳମ୍ବିତ ରାତ୍ରିର କୃତ୍ରିମ ପରିବେଶ ସୃଷ୍ଟି କରୁଛି । ଅନିମା କିନ୍ତୁ ଚୁପଚାପ ବସି ରହିଥାନ୍ତି ଘରର ମୁଖ୍ୟ ଦରଜା ଖୋଲାରଖି ।
........ ଘର ଭିତରର ବିଜୁଳି ଆଲୋକ ଉନ୍ମୁକ୍ତ ଦରଜାର ଫାଙ୍କା ରାସ୍ତାରେ ସମ୍ପୂର୍ଣ୍ଣ ଅନ୍ଧାରିଆ ଗାଁ ଦାଣ୍ଡରେ ଅଳ୍ପକିଛି ଆଲୋକ ପୁଞ୍ଜ ବିଛାଡ଼ି ହୋଇ ପଡ଼ିଛି ଅନୁମାନିତ ଆଗନ୍ତୁଙ୍କ ସ୍ୱାଗତ କରିବାକୁ ।
........ମାମା ମାମା ଭୋକ ହେଲାଣି । କଣ ଯେ ବସିଛ ସେଇଠି ସଂଧ୍ୟାବେଳୁ । ଅନିମାଙ୍କ ପୁଅ ଆଦି (ଆଦିତ୍ୟ) ଅନିମାଙ୍କ ଦେହରେ ହାତମାରି ଏତକ କହିଲାରୁ ଚିହିଁକି ଉଠିଲେ ଅନିମା । କୌଣସି ଉତ୍ତର ନଦେଇ ପୁଅ ଆଦିର ହାତଧରି ଘରର କବାଟ କିଳି ଚାଲିଗଲେ ଘର ଭିତରକୁ ।
...............ଗାଁ ଦାଣ୍ଡକୁ ଏବେ ଅନ୍ଧକାର ସମ୍ପୂର୍ଣ୍ଣରୂପେ କବଳିତ କରି ନେଲା । ଅନିମା ତରବର ହୋଇ ପୁଅପାଇଁ କିଛି ଖାଇବା ତିଆରିଦେଲେ ପୁଅର ପସନ୍ଦ ଅନୁଯାୟୀ । ପୁଅକୁ ପେଟପୁରା ଖୁଆଇ ବଞ୍ଚିବା ଆବଶ୍ୟକ ଖାଇବା ଖାଇନେଲେ ।
..............ପୁଅ ହାତରେ ଦୁରଦର୍ଶନର ରିମୋଟ ଧରେଇ ଦେଇ ନିଜେ ଘରର ସଫାସଫିରେ ଲାଗିଗଲେ । କାର୍ଟୁନ ଦେଖିବାକୁ ଭଲପାଉଥିବା ଆଦି ଆଜି କୌଣସି ନିର୍ଦିଷ୍ଟ ଚ୍ୟାନେଲ ନଦେଖି ବଦଳେଇ ଚାଲୁଥାଏ ଚ୍ୟାନେଲ । ଦୂରୁ ଥାଇ ଅନିମା କେତେଥର ଆଦିକୁ ଏଇ ଚ୍ୟାନେଲ ବଦଳେଇବା ଲାଗି ତାଗିଦ କରିସାରିଲେଣି । ସଫାସଫି କାମସାରି ଅନିମା ଲଥକରି ବସିଗଲେ ଆଦି ପାଖରେ ।
...........................ଅନିମାଙ୍କ ବସିବା ଡେରିଥିଲା ଯାହା ଆଦି ଧପ କରି ଦୂରଦର୍ଶନ ବନ୍ଦ କରିଦେଇ ରିମୋଟ ରଖିଦେଇ ମୁହଁ ଫୁଲେଇ ବସି ରହିଲା । ଆଦି ପାଖରେ ବସିଥିଲେ ମଧ୍ୟ ଅନିମା ଆଦିର ଏସବୁ କାମକୁ ଆଦୌ ଲକ୍ଷ୍ୟକରି ପାରିନଥିଲେ ।
ନିଜ ଚାରିପାଖରେ ଅନେକ ଅନେକ ଘଟଣା ଘଟୁଥିଲେ ମଧ୍ୟ ଅନ୍ୟମନସ୍କ ବ୍ୟକ୍ତି ଯେମିତି ସେ ଘଟଣାବଳୀ ପ୍ରତି ଅଜ୍ଞ ଅନଭିଜ୍ଞ ଥାଏ ବର୍ତ୍ତମାନ ଅନିମାଙ୍କ ଅବସ୍ଥା ଠିକ ସେମିତି ।
............ନିଜ ମାଆ ଙ୍କର ଏମିତି ଅଣଦେଖା ଦେଖି ନଅ ବର୍ଷର ଅବୋଧ ଆଦିର ଆଖି ଛଳଛଳ ହେଇ ଉଠିଲା । ଅବୋଧର ଅମୋଘ ଅସ୍ତ୍ର ଏବେ ତୁଣୀରରୁ ବାହାରି ଗୁଣରେ ବସି ସାରିଲାଣି । ଲକ୍ଷ୍ୟଭେଦ କରିବା ଯାହା ବାକି ରହିଛି । ଘରର ନୀରବତା କୁ ଅନୁଭବ କରିପାରୁ ନଥିବା ଅନିମା ନିଜ ସ୍ଥାନରେ ସ୍ଥିର । ବାରମ୍ବାର ଆଦି ଉପରେ ତାଙ୍କର ଆଖି ପଡ଼ୁଥିଲେବି ପୁଅର ଅନ୍ତର ଓ ବର୍ତ୍ତମାନ ର ଦ୍ଵନ୍ଦକୁ ସେ ବୁଝି ପାରୁନଥାନ୍ତି । କାହିଁକି କେଜାଣି ଏଥର ଆଦି ଉପରେ ତାଙ୍କର ଆଖି ଅଟକି ଗଲା କେଇକ୍ଷଣ ।
............ଏଥର ମା ଟିଏ ତାର ପୁଅକୁ ଦେଖିଲା ପରି ଲାଗିଲା । ଏଥର କହିବା ବାହୁଲ୍ୟ ,, ଅନିମା ପୁଅ ଆଦିକୁ ନିଜ କୋଳକୁ ଟାଣି ଆଣିଲେ । ଶୁଆଇ ଦେଲେ ଆଦିକୁ ମା କୋଳର ଚକ୍ରବର୍ତ୍ତୀ ସିଂହାସନରେ । ଆଦିର ଅମୋଘ ଅସ୍ତ୍ର ଲକ୍ଷ୍ୟଭେଦି ସାରିଥିଲା । ଦୁଇଟି କଅଁଳିଆ ନିଷ୍ପାପ ଆଖିରୁ ଘନୀଭୂତ ମେଘଖଣ୍ଡ ଉଷ୍ମ ଜଳଧାରାର ରୂପନେଇ ଅନିମାଙ୍କ କୋଳକୁ ସ୍ପର୍ଶ କରି ମମତା ବୀଜକୁ ଅଙ୍କୁରୋଦ୍ଗମ କରାଇଦେଲା କ୍ଷଣିକ ଭିତରେ । ମାତୃତ୍ବର ଅସମାପ୍ତ ସବୁଜିମାର କୋମଳ ସ୍ପର୍ଶରେ ଆଦି ଶିହରିତ ହେଉଥିଲା । ଅନିମା ଆଦିର ମୁଣ୍ଡରେ ବୁଲେଇ ଆଣିଲେ ମାତୃଶକ୍ତିର ଅମର ଆଶିଷ ର ହାତ ।
......କଣ ହେଇଛି ଧନ !? କାନ୍ଦୁଛୁ କାହିଁକି !? ସ୍କୁଲରେ ଗୁରୁଜୀ/ଗୁରୁମା କିଛି କହିଛନ୍ତି କି !?
କଇଁ କଇଁ ହେଇ କାନ୍ଦି ଉଠିଲା ଆଦି । ନିଜର କୁନି କୁନି ହାତରେ ମମତାକୁ ସାଉଁଟି ନେବାକୁ ଅସଫଳ ଚେଷ୍ଟା ସ୍ୱରୂପ ଜାବୁଡ଼ି ଧରୁଥାଏ ନିଜର ମା ଙ୍କୁ ।
ବାପାରେ କ'ଣ ହେଇଛି କହିଲେତ ମୁଁ ଜାଣିବି !? ଆଜି ସ୍କୁଲରେ କିଏ କଳି କରିଛି କି !?
ଆଦି ଅଥୟ ।
..........ଅନିମା ଆଦିକୁ କୋଳରୁ ଉଠେଇ ଲଗେଇ ଦେଲେ ନିଜ ଛାତିରେ । କିଛି ସମୟ କାନ୍ଦିବାକୁ ଦେଲେ ପୁଅ ଆଦିକୁ । ନିଜେ ନୀରବ ରହି ଘଟଣାକୁ ଅନୁମାନ କରିବାକୁ ଲାଗିଲେ ।ଦକ୍ଷିଣା ମେଘ ମନଭରି ବର୍ଷିଲା ପରେ ମେଘାଚ୍ଛନ୍ନ ଆକାଶ ନିର୍ମଳ ହେଲାପରି , କିଛି ସମୟ ଅଧିର ହେଇ କାନ୍ଦିଲା ପରେ ,,
ମାମା ତମେ ଆଉ ମୋତେ ଭଲପାଉନ ଏବେ !?
ଆଶ୍ଚର୍ଯ୍ୟ ହେଇଗଲେ ଅନିମା । ନିଜ ଭାବନାରେ ବନ୍ଧଦେଇ । କିଏ କହିଲା ଏକଥା । ତୁ ପରା ମୋ ଜୀବନ ।
ମିଛ କହୁଛ ମାମା ।
.........ଧନରେ ସେମିତି କହନି । ତୁ ଆଗ କହିଲୁ ମୋର ଦୋଷ କେଉଁଠି ରହିଲା ?
ମାମା ତମେ କ'ଣ ଜାଣିନ ବାବାଙ୍କ ପାଖରୁ ରାଜା ରାଣୀ , ଚୋର ପୁଲିସ , ତନ୍ତୀ ବାରିକ ଗପ ନଶୁଣିଲା ଯାଏ ମୋତେ ନିଦ ହୁଏନି ବୋଲି !? ତମେ ଗପ କହିବାତ ଦୂରର କଥା ମୁହଁ ବୁଲେଇ ଶୋଉଛ । ମୁଁ ରାତିସାରା ଶୋଇ ପାରୁନି । କୋଳରେ ବି ଧରୁନ ଶୋଇଲା ସମୟରେ ।
..........ଚମକି ପଡ଼ିଲେ ଅନିମା । ପୁଣି ସମ୍ଭାଳିନେଲେ ନିଜକୁ । ଏଇଗୋଟେ କଥା । ତୋ ବାବାଙ୍କ ଅପେକ୍ଷା ମୁଁ ଭଲ ଗପ ଜାଣିଛି । କହିବି ଶୁଣିବୁ । ଆଦି ପାଟିକରି କାନ୍ଦ କାନ୍ଦ ହେଇ କହିଲା ।
..........ମୋତେତ ଲାଗୁଛି ତୁମେ ମୋତେ ଡାକ୍ତର ଖାନାର ନର୍ସ ଆଣ୍ଟିଙ୍କ ପାଖରୁ ଆଣିଛ ବୋଲି ଯାହା କହୁଥିଲ ସେସବୁ ସତ ।
ଅନିମା ଚାପି ଧରିଲେ ଆଦିକୁ ନିଜ ହୃଦୟର ସ୍ପନ୍ଦନକୁ ଆଦିକୁ ଶୁଣେଇବାକୁ ଚାହୁଁଥିଲେ ଯେମିତି । ଛଳ ଛଳ ହେଇଉଠିଲା ଆଖି ତାଙ୍କର । ବୁନ୍ଦାଏ ବି ଲୁହ ବୋହିଯିବାକୁ ଦେଲେନି । ଅପ୍ରସ୍ତୁତ ଇତସ୍ତତଃ ମନକୁ ସ୍ଥିର କରି , ବାପାରେ ଏଇ ଗୋଟେ କଥା !? ଏଇଥି ପାଇଁ ମୋ ଧନ ଆଜି କାନ୍ଦି ପକେଇଲା !? ଚାଲ ଯିବା ଶୋଇବା ଘରକୁ ତୋ ବାପାଙ୍କ ଅପେକ୍ଷା ବହୁତ ଭଲ ରାଜା ରାଣୀ ଗପ କହିବି ଆଜି ।
.......ଆଦି ମନରେ ତୁରନ୍ତ ବିପରୀତ ପରିବର୍ତ୍ତନ ଆସିଲା । ମୁଁ ଜାଣିଛି ମୋ ମାମା ପୃଥିବୀର ସବୁଠୁଁ ଭଲ ମାମା ।
..................ହଉ ଚାଲେ । ବିଛଣାରେ ବସିପଡ଼ିଲେ ଅନିମା । କୋଠରୀର ମଳିନ ଆଲୋକରେ ଉଭୟେ ମା ପୁଅ ଉଭୟଙ୍କୁ ସ୍ପଷ୍ଟ ଦେଖିପାରୁଥିଲେ ।
ମାମା ଶୋଉନ ,,! ରାଜାରାଣୀ ଗପ କହୁନ !?
...........................ନିଜ ଭିତରେ ଭାଙ୍ଗି ଖଣ୍ଡଖଣ୍ଡ ହୋଇଥିବା ଅନିମା କାହାଣୀକୁ ମୂର୍ତ୍ତ ରୂପ ଦେବାକୁ ଶବ୍ଦ ମାନଙ୍କୁ ସାଉଁଟି ଭାବନା ସୂତାରେ ଗୁନ୍ଥିବାକୁ ଲାଗିଛନ୍ତି । ଏଣେତେଣେ ପଡ଼ିଥିବା ମନର ଛୋଟଛୋଟ ଖଣ୍ଡକୁ ଏକ ନିର୍ଦ୍ଦିଷ୍ଟ ସୀମାରେ ଆବଦ୍ଧ କରିବାକୁ ପ୍ରୟାସ କରୁଛନ୍ତି ।
..........ମାମା ମାମା ଉଁ ଉଁ ... ଆଦି ଅଭିମାନ କରିବା ଆରମ୍ଭ କରିଦେଲା । ଅବୁଝା ଆଦି ସଂସାରର ଝଡ଼ ଖଞ୍ଜା ବିଷୟରେ କାହୁଁ ବା ଜାଣିବ । ଅନିମାଙ୍କ ମନର ପ୍ରଳୟଙ୍କରୀ ମହାବାତ୍ୟାର କରାଳ ପବନକୁ କେମିତି ବୁଝିଥାନ୍ତା !? ଅନିମା ବି ତ ଆଦିକୁ ନିଜ ମନକଥା କିଛି କହିନାହାନ୍ତି । କେମିତି ବା କହିଥାନ୍ତେ ।
ନାନା ରଙ୍ଗର ସୁବାସିତ ଫୁଲର ବିସ୍ତୀର୍ଣ୍ଣ ବଗିଚା । ଚତୁର୍ଦିଗରେ ଆଖିର ଦେଖିବା ସୀମାର ଅନେକ ଦୂର ପର୍ଯ୍ୟନ୍ତ ଲମ୍ବିଛି ।
ଅନିମା ଆଦିକୁ କହିବା ଆରମ୍ଭ କଲେ ରାଜାରାଣୀର କାହାଣୀ । ସେ ସମୟରେ ଆଦିର ଖୁସିକୁ କଳନା କରିବାର ସାମର୍ଥ୍ୟ କୌଣସି କବିର କଳ୍ପନାର ଅନେକ ଉର୍ଧ୍ବରେ ।
.ଫୁଲ ବଗିଚାରେ ଫୁଲ ମାନଙ୍କର ବାସରେ ଓ ରୂପ ମାଧୁର୍ଯ୍ୟରେ ଆକର୍ଷିତ ହୋଇ ନାନା ରଙ୍ଗର ପ୍ରଜାପତି ଉଡ଼ିବୁଲୁ ଥାଆନ୍ତି । ଅନ୍ୟପକ୍ଷରେ କହିବାକୁ ଗଲେ ଫୁଲମାନେ ସେମାନଙ୍କୁ ନୀରବ ଆମନ୍ତ୍ରିତ କରୁଥିଲେ ସେମାନଙ୍କ ନିକଟରେ ଥିବା ମଧୁ ଭାଣ୍ଡରୁ ମଧୁ ଶୋଷି ନେବାକୁ । ଭଅଁର ମାନଙ୍କର ଗୁଣୁଗୁଣୁ ଶବ୍ଦ ବ୍ୟାପିଥିବା ଫୁଲ ଉଦ୍ୟାନରେ ଖେଳି ଯାଉଥିଲା । ଭଅଁର ମାନଙ୍କର ମତାଲିଆ ସଙ୍ଗୀତ ସାଙ୍ଗକୁ ପବନର ସାଇଁ ସାଇଁ ଶବ୍ଦ ରୋମାଞ୍ଚୀତ ଓ ଆକର୍ଷିତ କରିଥାଏ ଦେଖଣାହାରୀ ମାନଙ୍କୁ ।
...... ଆଦ୍ୟ ଯୌବନରେ ପାଦ ରଖିଥିବା ରାଜ୍ୟର ରାଜକୁମାରୀ ଫୁଲ ଉଦ୍ୟାନରେ ଭଅଁର , ପ୍ରଜାପତି ଓ ଫୁଲ ମାନଙ୍କ ମଧ୍ୟରେ ଚାଲୁଥିବା ଦିଆନିଆ ଓ ବନ୍ଧୁତ୍ୱକୁ ଲକ୍ଷ୍ୟକରି ଖୋଲା ଆଖିରେ ଦେଖୁଥାଏ ସପନ । ସଖି ମାନେ ସେହି ଅପରୁପା ରାଜକୁମାରୀଙ୍କୁ ତାଙ୍କ ଭବିଷ୍ୟତ ଜୀବନସାଥୀ ରାଜକୁମାରଙ୍କ ବିଷୟରେ ଆକ୍ଷେପ କରୁଥାନ୍ତି ।
...............ସେମାନଙ୍କ କଥାକୁ ଗୁରୁତ୍ୱ ନଦେଇ ରାଜକୁମାରୀଟି ଫୁଲ ଉଦ୍ୟାନର ସେ ସମାଗମ ସଙ୍ଗମରେ ସୃଷ୍ଟ ରୋମାଞ୍ଚକୁ ଅଙ୍ଗୀକାର କରୁଥାନ୍ତି ନିଜ ଭିତରେ । ଏମିତି ପ୍ରାୟ ସବୁଦିନ ହୁଏ । ରାଜକୁମାରୀ ସଖିମାନଙ୍କ ସହିତ କିଛି ସମୟ ସେ ଫୁଲ ଉଦ୍ୟାନର ରୋମାଞ୍ଚକୁ ଅତି ନିକଟରୁ ଅନୁଭବ କରିବାକୁ ଆସନ୍ତି । କୁଆଁରୀ ମନରେ ମୃଦୁ ମଧୁର ଚଇତାଳି ବହିଯାଏ ତାଙ୍କର ।
........ବିବାହ ଉପଯୋଗ୍ୟା ଜାଣି ରାଜକୁମାରୀଙ୍କର ପିତା ତାଙ୍କ ନିମନ୍ତେ ସୁଯୋଗ୍ୟ ପାତ୍ର ସନ୍ଧାନରେ ଲାଗି ପଡ଼ିଲେ । ଉପଯୁକ୍ତ ପାତ୍ରମାନେ ରାଜକୁମାରୀଙ୍କର ସୁନ୍ଦର ରୂପ ଓ ସୁଗୁଣ ବିଷୟରେ ଶୁଣି ଛୁଟି ଆସୁଥାନ୍ତି ତାଙ୍କୁ ନିଜର ଜୀବନ ସଙ୍ଗିନୀ କରିବାକୁ । ରାଜକୁମାରୀଙ୍କୁ ମଧ୍ୟ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିଲା ଆସୁଥିବା ରାଜକୁମାର ମାନଙ୍କ ଭିତରୁ ନିଜ ପସନ୍ଦର ଉପଯୁକ୍ତ ପାତ୍ରଙ୍କୁ ନିଜ ଜୀବନ ସାଥି କରିବାକୁ ।
.....ପାଦରେ ପାଦ ଥାପି ହାତରେ ହାତ ଛନ୍ଦି କଜଳ ଲଗା ଆଖି କୋଣର ଫାଙ୍କରେ ଆଗନ୍ତୁକ ରାଜକୁମାର ମାନଙ୍କୁ ଦେଖୁଥିଲେ ନିଜ ଭବିଷ୍ୟତର ପ୍ରୀତି ମହଲ ନିର୍ମାଣ ଉଦ୍ଦେଶ୍ୟରେ । ହେଲେ ମନ ଆତ୍ମାକୁ ଛୁଇଁଲା ଭଳି ପାତ୍ରଟିଏ ଏପର୍ଯ୍ୟନ୍ତ ଆସିନି ତାଙ୍କ ନଜରକୁ । ଅନେକେ ଆସୁଥାନ୍ତି ଯାଉଥାନ୍ତି । ରାଜକୁମାରୀ ମାନମାରି ବସୁଥାନ୍ତି । ଦେଖୁଥିବା ରାଜକୁମାର ମାନଙ୍କ ଭିତରେ ତୁଳନା କରୁଥାନ୍ତି ନିରୋଳାରେ ।
..............ସଜଳ ଆଖି କୋଣର ଫାଙ୍କରୁ ରାଜକୁମାରୀ ଜଣକ ଦେଖିନେଲେ ସେଦିନ ତାଙ୍କ ମନର ମଣିଷକୁ । ପାଦ ଉପରେ ଚଳାୟମାନ ପାଦ ସ୍ଥିର ହୋଇଯାଇଥିଲା । ବନ୍ଧା ହାତ ସ୍ବେଦ ଜୁଡ଼ୁବୁଡ଼ୁ ହେଇଗଲା । ଆଖି କୋଣରୁ ଦେଖିବାଟା ଏବେ ଆଖି ମିଳନରେ ପରିବର୍ତ୍ତିତ ହୋଇଥିଲା । ନୀରବ ରାଜ ସଭାରେ ଉଭୟେ ଉଭୟଙ୍କୁ ଦେଖୁଥାନ୍ତି । ସେମାନଙ୍କର ଅନ୍ୱେଷଣର ଅନ୍ତ ହୋଇଛି ।
କେଉଁଠି ଥିଲ ଆଜିଯାଏ ? ରାଜକୁମାରୀ ତାଙ୍କ ହୃଦୟର ଶବ୍ଦକୁ ରାଜକୁମାରଙ୍କ ଉଦ୍ଦେଶ୍ୟରେ କ୍ଷେପି ଥିଲେ ?
...ନୀରବ ଶବ୍ଦର ପ୍ରଶ୍ନକୁ ରାଜକୁମାର ସ୍ୱୀକାର କରି ନୀରବରେ ଉତ୍ତର ଦେଇଥିଲେ । ପ୍ରିୟତ୍ତମା ଏ ପ୍ରଶ୍ନର ଏବେ ଆଉ କଣ ପ୍ରାସଙ୍ଗିକତା !? ଏ ପ୍ରଶ୍ନ ନିଜେ ନିଜକୁ ଥରେ ପଚାରି ନିଅ ହୁଏତ ଉତ୍ତର ପାଇଯିବ । ରାଜକୁମାର ଆପାଦମସ୍ତକ ଦେଖିନେଲେ ରାଜକୁମାରୀକୁ ।
ରାଜକୁମାରୀ ସୁର୍ଯ୍ୟାସ୍ତ ପରର ସୂର୍ଯ୍ୟମୁଖୀ ପରି ଝାଉଁଳି ପଡ଼ିଲେ । ସର୍ବ ସମ୍ମତିରେ ଉଭୟେ ଉଭୟଙ୍କୁ ପ୍ରଣୟ ବନ୍ଧୁ ବାଛିନେଲେ ସାଥିହୋଇ ସାରାଜୀବନ ବାଟ ଚାଲିବାକୁ । ବିଵାହ ପର୍ବ ଶେଷ ହୋଇଗଲା । ବୟୋଜ୍ୟେଷ୍ଠ ମାନଙ୍କ ଆଶିଷ ନେଇ ଉଭୟେ ନିଜ ଭବିଷ୍ୟତର ପ୍ରୀତି ମହଲରେ ଫଗୁ ଭରି ବାକୁ ତତ୍ପର ହୋଇ ଉଠିଲେ ।
......ଫୁଲ ଉଦ୍ୟାନର ଫୁଲ ଓ ଭଅଁର ଆଉ ପ୍ରଜାପତି ମାନଙ୍କର ବନ୍ଧୁତ୍ୱ ପରି ଆରମ୍ଭ ହୋଇଗଲା ନବବଧୂ ରାଜକୁମାରୀ ଏବଂ ରାଜକୁମାରଙ୍କ ମଧ୍ୟରେ ପ୍ରୀତି ସମାଗମର ବନ୍ଧୁତ୍ୱ । ନିଜକୁ ଅନ୍ୱେଷଣ କରିବାର ପର୍ବ । ମନରେ ସ୍ଥିର ରହିଗଲେ ଋତୁରାଜ । ହୃଦୟରେ ପ୍ରବାହିତ ହେବାକୁ ଲାଗିଲା ପ୍ରୀତି ବସନ୍ତର ମଳୟ । ସେହି ମନ୍ଦ ମନ୍ଦ ମଳୟରେ ମନ ଉଦ୍ୟାନରେ ପ୍ରସ୍ଫୁଟିତ ପୁଷ୍ପରୁ ଭାଷି ଆସୁଥାଏ ସୁବାସିତ ବାସ୍ନା । ରାଜମହଲ ମହକି ଉଠୁଥାଏ ସେହି ବିଭୋରିତ ବାସ୍ନାରେ ।
...................ରାଜକୁମାରୀଙ୍କର ପାଦ ପାଉଁଜି ଓ କାନ ଝୁମୁକା ସଙ୍ଗୀତରେ ମତୁଆଲା ଭଅଁର ପରି ରାଜକୁମାର ଆକର୍ଷିତ ହେଉଥିଲେ ପୁଷ୍ପପରି କୋମଳ ଓ ଅପରୁପା ସୁନ୍ଦରୀ ନବବଧୂ ରାଜକୁମାରୀଙ୍କ ଆଡ଼କୁ । ପ୍ରତିପକ୍ଷ ଆକର୍ଷଣକୁ ଅନ୍ୟପକ୍ଷର ଆବଶ୍ୟକୀୟ ସମର୍ଥନରେ ମନ ବସନ୍ତର ମଳୟ ସାଙ୍ଗକୁ ପୀରତି ଆଷାଢ଼ ବର୍ଷିଯିବାକୁ ତିଳେ ବି ବିଳମ୍ବ ହେଉନଥିଲା । ଜୀବନ ଯୌବନ ଗୃହସ୍ଥ ଆଶ୍ରମକୁ ଭରପୁର ଉପଭୋଗ କରି ଚାଲିଥିଲେ ସ୍ବପ୍ନ ଭର୍ତ୍ତି ଆଖିରେ ଓ ଉଭୟଙ୍କ ପ୍ରତି ସମର୍ପିତ ମନୋଭାବରେ ।
.................ଦିନପରେ ଦିନ , ମାସପରେ ମାସ ଗଡ଼ି ଚାଲିଥିଲା ନିୟନ୍ତାଙ୍କର ପୂର୍ବ ନିର୍ଦ୍ଧାରିତ ସମୟଚକ୍ର ଅନୁସାରେ । ଫୁଲ ବଗିଚାର ଫୁଲମାନେ ଭଅଁରର ଯନ୍ତ୍ରଣା ଦାୟୀ ଦଂଶନରେ ଆନନ୍ଦିତ ହୋଇ ଯେମିତି ବଂଶ ବିସ୍ତାର କରିଚାଲିଥିଲେ ଠିକ ସେମିତି ପୁଷ୍ପ ଉଦ୍ୟାନରେ ପରାଗସଙ୍ଗମ ପରି ରାଜକୁମାରୀ ମଧ୍ୟ ଗର୍ଭବତୀ ହୋଇଥିଲେ । ଖବର ବ୍ୟାପିବା ମାତ୍ରେ ରାଜ ନଅର ସହିତ ସମ୍ପୂର୍ଣ୍ଣ ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଥିଲା । ମାତୃତ୍ୱ ଲାଭ ଖୁସିରେ ରାଜକୁମାରୀଙ୍କର ପାଦ ଶୁନ୍ୟରେ ଉଡ଼ିବୁଲିଲା ଆନନ୍ଦ ବିଭୋରିତ ହୋଇ । ନବାଗତ ଆଗନ୍ତୁକଙ୍କ ସ୍ୱାଗତ କରିବାକୁ ରାଜ ଉଆସରେ ନୂତନ ସାଜସଜ୍ଜାରେ ଲାଗିପଡ଼ିଲେ ଅନ୍ତେବାସୀ ମାନେ ।
.......ସଠିକ ସମୟରେ କୁଆଁ କୁଆଁ ରାବରେ ଉଆସ ପ୍ରତିଧ୍ବନିତ ହେଲା । ଉଦୟ ଭାନୁଙ୍କ କଅଁଳ କିରଣ ହସିଲା ପରି କଅଁଳ ଶିଶୁଟିକୁ ଦେଖି ରାଜକୁମାରୀ ନିଜର ଗର୍ଭ ଧାରଣ ଓ ଜନ୍ମିତକୁ ଜନ୍ମଦେବାର କଷ୍ଟକୁ ପାଶୋରି ଦେଇଥିଲେ ।
......................ଶୁକ୍ଳ ଦ୍ବିତୀୟାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚନ୍ଦ୍ର ବଢ଼ିଲା ପରି ନବଜାତ ପୁତ୍ର ସନ୍ତାନଟି ବଢ଼ିବାକୁ ଲାଗିଲା ବଡ଼ ମାନଙ୍କ ଆଶିଷରେ ।ପିଲାଟିର ଜନ୍ମ ପରେ ତାର ସଠିକ ଲାଲନପାଳନରେ ଥାଇ ମଧ୍ୟ ରାଜକୁମାରୀ ଓ ରାଜକୁମାର କିନ୍ତୁ ଉଭୟଙ୍କ ପ୍ରତି ପୂର୍ବର ସମର୍ପଣକୁ ବଜାୟ ରଖିଥିଲେ ।
.......................ରାଜ ଉଆସର ସମସ୍ତ ଦାୟିତ୍ୱ ରାଜକୁମାରୀ ସମ୍ଭାଳୁଥିଲାବେଳେ ରାଜକୁମାର ଜଣକ ରାଜ୍ୟର ପ୍ରଜାପାଳନ , ଆର୍ଥିକସ୍ଥିତି ଓ ରାଜ୍ୟର ସୁରକ୍ଷା ବିଷୟ ପ୍ରତି ଯତ୍ନଶୀଳ ଓ କ୍ରିୟାଶୀଳ ଥାଇ ଭବିଷ୍ୟତକୁ ସୁରକ୍ଷିତ କରିବାପାଇଁ ନୂଆନୂଆ ଯୋଜନା ମାନ ପ୍ରସ୍ତୁତ କରୁଥିଲେ । ନିଜ କାମରୁ ସମୟ ପାଇଲେ ଦୁହେଁଦୁହିଁଙ୍କୁ ଦୁହିଁଙ୍କ କାମରେ ସାହାଯ୍ୟ କରୁଥିଲେ ।
............................ ନବଜାତ ଧିରେଧିରେ ଗୁରୁଣ୍ଡିବା ଆରମ୍ଭ କଲା ଗୁରୁଣ୍ଡିବାରୁ ଚାଲିବା , ଚାଲିବାରୁ ଦୌଡ଼ିବାକୁ ଲାଗିଲା । ଚାହୁଁଚାହୁଁ ଏଭିତରେ କୁନି ପିଲାଟି ଶିକ୍ଷା ପାଇବାକୁ ଯୋଗ୍ୟ ହୋଇଯାଇଥିଲା । ରାଜା ରାଣୀ ଦୁହେଁ ନିଜ ଭବିଷ୍ୟତ ଦାୟାଦର ଭବିଷ୍ୟତ ଉଜ୍ଜଳ ଓ ସୁରକ୍ଷିତ କରିବାପାଇଁ ବିଚାରକରି ସୁଯୋଗ୍ୟ ଗୁରୁଙ୍କ ନିକଟରେ ଶିକ୍ଷାପ୍ରାପ୍ତି ଲାଗି ପୁଅକୁ ଛାଡ଼ିଥିଲେ ।
..ସବୁ ଠିକଠାକ ଓ ମନମୁତାବକ ଚାଲିଥାଏ । ମହା ଆନନ୍ଦରେ ଚାଲିଥାଏ ଗୃହସ୍ଥ ଆଶ୍ରମର ଜୀବନ ସଉଦା । ଦୁଃଖ , ଚିନ୍ତା କ୍ଳେଶ ଏସବୁର ଲେଶମାତ୍ର ଆଭାସ ନଥାଏ ସେମାନଙ୍କୁ ।
......... ହେଲେ ବିଧିର ବିଧାନ କିଛି ଅଲଗା ଥିଲା । କାଳଚକ୍ରର ଗତି କିଛି ଭିନ୍ନତା ରଖିଥିଲା ସେମାନଙ୍କ ଚଲାପଥରେ । ରାଜ୍ୟକୁ ଶତୃଭୟ ନଥିଲା । ହଠାତ ଦିନେ ରାଜ୍ୟବାସୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା ।
....................ପାରିଧିକୁ ଯାଇଥିବା ରାଜା ଆଉ ଫେରିନଥିଲେ । ବଜ୍ରାଘାତରେ ପ୍ରାଣ ହରାଇଥିଲେ । ରାଜକୁମାରୀଙ୍କର ସଂସାରଟା ଓଲଟ ପାଲଟ ହୋଇଯାଇଥିଲା । ନିଜକୁ ବିଶ୍ୱାସ କରିପାରୁନଥିଲେ । ସମୟର କରାଳ ପ୍ରହାରକୁ ତର୍ଜମା କରୁଥିଲେ ଯାହା । ଖୋଜୁଥିଲେ ତାଙ୍କର ଦୋଷ ।
................ଏପଟେ କୁନି ରାଜକୁମାର ଏସବୁ ପ୍ରତି ଅଜ୍ଞ ଥିଲେ ମଧ୍ୟ ବିଚଳିତ ହୋଇ ପଡ଼ୁଥିଲେ । ଜ୍ଞାନ୍ତି କୁଟୁମ୍ବ ଓ ରାଜ୍ୟବାସୀ ମାନଙ୍କର ବିକଳ ବିଳାପର କାରଣ ବୁଝିବାକୁ ସମସ୍ତଙ୍କୁ ପଚାରି ମଧ୍ୟ ଉତ୍ତର ପାଉନଥିଲେ ।
............ସମସ୍ତେ କେବଳ ସେ କୁନି ରାଜକୁମାରଙ୍କୁ କୋଳାଗ୍ରତ କରି ଅଧିକରୁ ଅଧିକ କାନ୍ଦୁଥିଲେ । ରାଜକୁମାର କିନ୍ତୁ ଖୋଜୁଥିଲା ତାର ବାପାଙ୍କୁ । ତାର ଅତିପ୍ରିୟ ବାପାଙ୍କୁ । ଯିଏ ତାକୁ କୋଳେଇ ନେଇ ସବୁଦିନ ଗପ କହୁଥିଲେ । ବାଳକ ମନର ନାନା ପ୍ରଶ୍ନର ସମାଧାନ କରୁଥିଲେ । ମା ଙ୍କୁ ଯେତେବେଳେ ବାପାଙ୍କ କଥା ପଚାରିଥିଲେ ,,,
.....ବାପା ରାଜ୍ୟ ବିଜୟ କରିବାକୁ ଯାଇଛନ୍ତି ଫେରିବାକୁ ବିଳମ୍ବ ହେବ ବୋଲି ମା ଝିଙ୍ଗାସି କହିଥିଲେ । ମନରେ ସନ୍ଦେହ ଥିଲେ ବି କୁନି ରାଜକୁମାର ଆଉ ପ୍ରଶ୍ନ କରିବାର ସାହାସ ନକରି ନିଜର ଜନ୍ମଦାତ୍ରୀଙ୍କ କଥାରେ ବିଶ୍ୱାସ ରଖି ଆଜି ପର୍ଯ୍ୟନ୍ତ ନିଜ ବାପାଙ୍କ ଫେରିବାକୁ ଅପେକ୍ଷା କରିଛି ।
..........ମାମା ସେ ରାଜକୁମାର କ'ଣ ମୋରି ପରି ତା'ର ବାପାଙ୍କ ଆସିବାକୁ ଅପେକ୍ଷା କରିଛି !? ନିଦ ଘାରିଥିବା ଆଖିରେ ଖନେଇ ଖନେଇ ଥିରିଥିରି ପୁଅ ଆଦି ଅନିମାଙ୍କୁ ଏ ପ୍ରଶ୍ନ କରିଥିଲା ।
........ କେଇ ମୁହୂର୍ତ୍ତ ଚିନ୍ତାକରି ଆଦି ମଥାରେ ଚୁମ୍ବନଟିଏ ଦେଇ ଅନିମା କହିଲେ ହଁ ଧନ ଠିକ ତୋରି ପରି ସେ ରାଜକୁମାର ଆଜିବି ତା ବାପାଙ୍କ ଫେରିବାକୁ ଅପେକ୍ଷା କରିଛି । ଆଦି ନୀରବ ହେଇଗଲା ଅନିମାଙ୍କ ଛାତି ଉପରେ ଶୋଇ ।
................ଅନିମା ହଜିଗଲେ ନିଜ ଅତୀତରେ । ଗପଛଳରେ ପୁଅ ଆଦିକୁ ନିଜର ଓ ଆଦିର ଅତୀତ ଓ ବର୍ତ୍ତମାନକୁ ବଖାଣି ଦେଲେ । ଖୁବ ଧୈର୍ଯ୍ୟର ସହ । ଅନିମାଙ୍କ ଧୈର୍ଯ୍ୟ କେବଳ ଉପର ଦେଖାଣିଆ ଥିଲା । ଭିତରେ ସେ ଏବେବି ନିଜକୁ ସଜାଡୁଛନ୍ତି ସମ୍ଭାଳୁଛନ୍ତି । ଫେରିବାର ନଥିଲେବି ସବୁଦିନ ନିଜ ସ୍ବାମୀଙ୍କ ଫେରିବାକୁ ଦୁଆରେ ବସି ଅପେକ୍ଷା କରୁଛନ୍ତି । ଗାଁରେ ସମସ୍ତଙ୍କ କବାଟ ପଡ଼ିବା ଯାଏ । ହେଲେ ଆରପାରିରୁ କେହି କଣ କେବେ ଫେରିଛି !?
......ମାମା ମାମା ... ନିଦରେ ଶୋଇ ଗଣଗଣ ହୋଇ ଆଦି ପୁଣି କଥାଏ ପଚାରି ଦେଲା । ମାମା କେତେଦିନ ହେଲାଣି ତମେ ଆଉ ସିନ୍ଦୁର ଲଗେଇବାର ମୁଁ ଦେଖୁନି !? ପ୍ରମିଶ କର କାଲି ତମେ ସିନ୍ଦୁର ଲଗେଇବ ।
ଅନିମା ନୀରବ ।
ଆଦି ନିଦ୍ରାଗତ ।
..............ଆକାଶରେ ମେଘଖଣ୍ଡ ଘନୀଭୂତ ହୋଇ ଆକାଶରେ ମିଳେଇଯାଇ ଆକାଶରେ ବର୍ଷିଗଲା ପରି ଅନିମାଙ୍କ ଆଖିର ଲୁହ ତାଙ୍କ ଆଖି ଭିତର ଦେଇ ହୃଦୟରେ ବର୍ଷିବାକୁ ଲାଗିଲା ।