ଆଇନା
ଆଇନା
ସକାଳୁ ସକାଳୁ ଯୋଗୀ ଭାଇନା ଦୋକାନର କୋଇଲା ଚୁଲାରେ ସସପେନ୍ସ ରେ ଚା'ରୁ ଯୋଉ ବାସ୍ନା ବାହାରେ ଖଣ୍ଡମଣ୍ଡଳ ଲୋକଙ୍କୁ ବସୁଥାଏ. ଘରଣୀ ତ ସହଜେ ଖୋରଣୀ ବୋଲି ଅକ୍ଷୟ ମହାନ୍ତି ଗୀତ ଗାଇ ପରିଚୟ ଦେଇସାରିଛନ୍ତି, ସେହି ହିସାବରେ କୋଉ ଦିନ କାହା ଘରେ ଅମୁଲ ନାହିଁ ତ କୋଉଦିନ ଚା ପତି ଆଣିବାକୁ ଭୁଲି ଗଲ ତ ସକାଳୁ ଚା କେମିତି କରିବି ବୋଲି ଶୁଭୁଥାଏ କାହା ଘରୁ , ଆଉ କେହି କହୁଥାଏ ବିନା ଚିନିରେ ଚା ଚଳିବତ? ପୁଣି କିଏ କହୁଥାଏ ଗ୍ୟାସ ସରିଯାଇଛି ଚା କଣ ଆଜି ରୋଷେଇ ବନ୍ଦ.ଇଏ ସବୁ କଥା ତ ନୁହେଁ ଗୁଳି.ଖାଇ ଖାଇ ଦେହସୁହା ହୋଇଯାଇଥିବା ସ୍ୱାମୀ, ସମ୍ବିତ, ଅସିତ, ବିଜୟ, ବିନୋଦ ସମସ୍ତେ ଏବେ ଯୋଗୀ ଭାଇନା ମୁଁହା. ଖାଲି ଚା ନୁହେଁ ତା ସାଙ୍ଗକୁ,କୋବି ପକଡି ତ କେବେ ବରା. ପଇସା ଦିଅ ନଦିଅ, ବାକି ଖାତା ଗଡୁଥାଏ.
କିଶୋର ବାବୁ କିନ୍ତୁ ଏମାନଙ୍କଠୁ ନିଆରା. ସ୍ତ୍ରୀ ଗୋଟେ ଚାବିଦିଆ ମେସିନ ନୁହେଁ ଯେ ନିତ୍ୟକର୍ମ ନାସାରି ନିଜର ପ୍ରସାଧାନ ନସାରି, ଉଠୁ ଉଠୁ ଚା ତିଆରି କରି ହାତକୁ ନଦେଲେ ବାବୁଙ୍କର ଅଳସ ଭାଙ୍ଗିବ. ତ କିଶୋର ବାବୁ ଢେର ଆଗରୁ ଉଠି ମର୍ଣ୍ଣିଙ୍ଗ ୱାକରେ ଯାଇ ଫେରୁଥିବା ବେଳେ ନଗଦ ପଇସାରେ ଚା ବା ଚା ଜଳଖିଆ ଖାଇ ସଙ୍ଗରେ କିଛି ଗରମ ଗରମ ଛଣା ଆଣିବାକୁ ଭୁଲିନଥାନ୍ତି, ତ ସଂସାର ତାଙ୍କର ଦ୍ରୁତ ଗତିରେ ଦୌଡେ. ନୋ ଷ୍ଟପେଜ.
ଅଦୂରରେ ଥିବା ଜରାଜିର୍ଣ୍ଣ କୋଠା ଛାତ ତଳେ ଜଣେ ବୃଦ୍ଧ ବସିଥାଆନ୍ତି ପେଜୁଆ ଆଖି ମେଲି ଆଉ ଦେଖୁଥାନ୍ତି ଆଇନା. ଆଇନା ଭିତରେ ନିଜ ମୁହଁ ଦେଖୁଥିବା ସେହି ବୃଦ୍ଧଙ୍କୁ ଦେଖି କିଶୋରବାବୁ ବହୁତ ଥର ଅନ୍ୟମନସ୍କ ହୁଅନ୍ତି. ଆଇନା ଦେଖି ବୃଦ୍ଧ ନିଜ ଦାଢ଼ି ନିଶ ଖିଅର ହେବା ତ ଅସ୍ୱାଭାବିକ ନୁହେଁ ଅସମ୍ଭବ କିନ୍ତୁ କାରଣ ଥରୁଥିବା ହାତ ଓ ସ୍ମଶ୍ରୁ ବହଳ ମୁହଁ ଦେଖିଲେ ଯେ କେହି ବୁଝିପାରିବ ତାଙ୍କ ଅସହାୟତା ଓ ଅପାରଗତା. ତେବେ ଆଇନା ଭିତରେ ସେ କଣ ଦେଖୁଛନ୍ତି??
ସେଦିନ ନିଜ କୌତୁହଳ କୁ ରୋକି ନପାରି ଦୁଇ କପ ବାମ୍ଫ ଉଠା ଚା ସହିତ ସେ ବୃଦ୍ଧଙ୍କ ପାଖରେ ପହଁଚିଲେ. ବୃଦ୍ଧ କିଛି କହିବା ଆଗରୁ ଗରମ ଗରମ ଚା ସହ ବରା ଖାଇବା ପାଇଁ ନିହାତି ଜଣେ ସାଙ୍ଗର ଦରକାର ନା କହି ପାଖ ଚେୟାରରେ ବସିପଡିଲେ କିଶୋର ବାବୁ.ବୃଦ୍ଧ କିଛି ସମୟ କିଶୋର ବାବୁଙ୍କୁ ଚାହିଁ ଥର ଥର ହାତରେ କପ ନେଇ ଚା ଢୋକେ ପିଇ କହୁଥିଲେ,ଠିକ ଏହି କଥା ସୁନିତା କହୁଥିଲା. ସୁନିତା କିଏ??
କିଏ ଆଉ? ମୋ ସ୍ତ୍ରୀ. ଯାହାକୁ ପାଇ ବାପା ମାଆ, ଭାଇ ଭଉଣୀ ମାନଙ୍କ ଆବର୍ତ୍ତମାନ ପରେ ବି ନିଜକୁ ଅସହାୟ ମନେ କରିନଥିଲି. କି ପୁଅ ଝିଅ ନଥିବା ଦୁଃଖ ଅନୁଭବ କରିନଥିଲି. ତାର ସବୁ ସ୍ମୃତିକୁ ଏହି ଆଇନା ଭିତରେ ସାଇତି ରଖି ଦେଖି ବଞ୍ଚିଛି. ପାଖ ଯୋଗୀ ଭାଇନା ଦୋକାନକୁ ଯାଇ ଚା ଟିକେ ପିଇବାର ମଜ୍ଜା ନେବାକୁ ବହୁତ ଇଛା ଥିଲା ହେଲେ ଏକୁଟିଆ, ସୁନିତା ବିନା ଯାଇପାରିନି, ଆଜି ସେ ଇଛା ତୁମେ ପୁରଣ କରିଛ. ଅନେକ ଆଶୀର୍ବାଦ ତୁମକୁ. ସୁନିତା କୁ ଥରେ ଦେଖିବ? ମୁଁ ମୁଣ୍ଡ ଟୁଙ୍ଗାରୀ ଥିଲି ତ ବୃଦ୍ଧ ସେଇ ଆଇନା ଟିକୁ ମୋ ମୁହଁ ସାମ୍ନାରେ ତୋଳି ଧରିଥିଲେ, ଯୋଉଟା ତେଲିଆ ହୋଇ କିଛି ବି ଦେଖା ଯାଉନଥିଲା. ଦେଖିଲ ନା ସୁନିତାକୁ? ଆତ୍ମବିଶ୍ଵାସ ଭାଙ୍ଗି ନଦେଇ ମୁଁ କହିଥିଲି ହଁ. ବୃଦ୍ଧ କହୁଥିଲେ ସେ ବହୁତ ସୁନ୍ଦରୀ ଆଉ ଗୁଣବତୀ ତଥା ନିଷ୍କାମ ସହଧର୍ମିଣୀ. ମୁଁ ହଁ ହଁ ଜଣା ପଡୁଛନ୍ତି କହି ଫେରିବା ବେଳେ ବୃଦ୍ଧ ତଥାପି କହୁଥିଲେ କେବେ ଥରେ ସୁନିତା ହାତର କପେ ଚା ଖାଇବାକୁ ଆସିବ?? ନିଶ୍ଚୟ କହି ଫେରିଲା ବେଳେ ଅସହାୟ ବୃଦ୍ଧ ଜଣଙ୍କ ତାଙ୍କ ମଇଳା ହାତରେ ଆଇନାଟିକୁ ରଗଡି ରଗଡି ସଫା କରୁଥିଲେ.

