Usharani Sahoo

Tragedy

4.0  

Usharani Sahoo

Tragedy

ଆଦର୍ଶ ଜୀବନ

ଆଦର୍ଶ ଜୀବନ

3 mins
155


ବିଚିତ୍ରମୟ ଏ ପୃଥିବୀ ! ପ୍ରଭୁ ପରମେଶ୍ବରଙ୍କର ଲୀଳାମୟ ସୃଷ୍ଟିରେ ବିଭୁଙ୍କ ଅପାର କୃପାରୁ ମାନବ ଜନ୍ମ ସବୁଠାରୁ ଶ୍ରେଷ୍ଠ ଜନ୍ମ ତଥା ଅମୂଲ୍ୟ ଅଟେ। ତେଣୁ ଏ ସୃଷ୍ଟିରେ ମାନବ କେବଳ ନିଜ ପାଇଁ ନୁହେଁ ବରଂ ତା ଜନ୍ମର ସାର୍ଥକତା ପୂର୍ଣ୍ଣ କରିବା ପାଇଁ ନିଜର ଏବଂ ସମସ୍ତଙ୍କ ପ୍ରତି ଥିବା କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ।                      

             ତେଣୁ ମାନବ ତାର କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଖରା ଛାଇ ଖେଳ ଭଳି କେତେବେଳେ ତା ଜୀବନର ସୁଖ ଦୁଃଖ ଦୋଛକିରେ ପେଶି ହୋଇଯାଏ ତ କେତେବେଳେ ଅତି ସହଜରେ ତା ହାତ ମୁଠାରେ ସଫଳତା ଆସି ପହଞ୍ଚିଯାଏ। ପ୍ରତ୍ୟେକ କ୍ଷେତ୍ରରେ କିଛି ଘାତ ପ୍ରତିଘାତ ସହ୍ୟ କରିଵାକୁ ପଡ଼ିଥାଏ।ଆଉ ସେହି ଘାତ ପ୍ରତିଘାତକୁ ଯିଏ ନିଜ ଜୀବନର ଶ୍ରମ ଓ ସାଧନା ବଳରେ ସଫଳତା ହାସଲ କରିଥାଏ,ତାହା ହିଁ ହେଉଛି ତା'ର ଆଦର୍ଶ ଜୀବନ।

             ଏକ ଉଦାହରଣ ମାଧ୍ୟମରେ ଏହି ଆଦର୍ଶ ଜୀବନର ବ୍ୟାଖ୍ୟା ପ୍ରତିପାଦନ କରୁଅଛି।ରାମୁ ଗରିବ ଘରର ପିଲାଟିଏ।ଅତି ନିହାତି ମଫସଲ ଅଞ୍ଚଳର ପିଲା।ପିଲାଟି ବେଳରୁ ତା'ର ମାଆକୁ ସେ ଦେଖିନି। ମା'ର ପଣତ , ମମତା ତା ପାଇଁ ସ୍ବପ୍ନ।ଅତି ନିରିମାଖି ସାଦାସିଧା ସରଳ ପିଲାଟି।ବିଚରା ତା'ର ବାପା , ଗୋଟିଏ ଭଉଣୀ ଆଉ ରାମୁକୁ ନେଇ ପରିବାର।ରାମୁର ବାପା ମୁଲିଆ କାମ କରି ପରିବାର ଭରଣ ପୋଷଣ କରନ୍ତି। କେତେବେଳେ ଉଠିଆ ତ କେତେବେଳେ ପଡିଆ ଅର୍ଥାତ୍ କାମ ମିଳିଲେ ମୁଲ ଲାଗିବାକୁ ଯାଏ, ନଚେତ୍ ହାତ ତା'ର ଶୂନ୍ୟ। ବହୁତ କଷ୍ଟରେ ସେ ଏହି ମା ଛେଉଣ୍ଡ ପିଲା ଦୁହିଁଙ୍କୁ ପାଳିଛି।ପିଲା ଦୁଇଟି ତା'ର ଜୀବନ। ସବୁବେଳେ ପିଲା ଦୁଇଟିଙ୍କୁ ମାଆର ଅଭାବ ସେ ଦେଇନି।ଉଭୟ ମା ଓ ବାପର ଦାୟିତ୍ଵ ସେ ତୁଲାଇଛି।ପିଲା ଦୁଇଟିଙ୍କୁ ପାଠ ପଢ଼ାଇ ଉପଯୁକ୍ତ ଶିକ୍ଷା ଦେଇ ଆଦର୍ଶ ମଣିଷ କରିବ ବୋଲି ଭାବିଛି। ସାମର୍ଥ୍ୟ ନ ଥିଲେ ମଧ୍ୟ ଉଚ୍ଚ ଅଭିଳାଷ ରଖିଛି। ମଣିଷର ଆଶା ଅସୁମାରୀ ନା। ସମସ୍ତଙ୍କ ମନରେ କିଛି ନା କିଛି ସ୍ୱପ୍ନ ରହିଛି ତେଣୁ ତା ମନରେ ମଧ୍ୟ ତା'ର ପିଲାମାନଙ୍କ ପାଇଁ ସ୍ୱପ୍ନ ଭରିରହିଛି।

             ରାମୁ ଭଲ ପାଠ ପଢ଼େ।ତା'ର ବିଚକ୍ଷଣ ବୁଦ୍ଧି।ଯାହା ପଢ଼େ ସଙ୍ଗେ ସଙ୍ଗେ ମନେ ରହିଯାଏ।ରାମୁର ପାଠ ପଢା ଯେମିତି ବ୍ୟବହାର ବି ସେମିତି। ତା'ର ମିଠା ମିଠା କଥା ସମସ୍ତଙ୍କ ମନ ମୋହି ଦିଏ।ବିପଦ ଆପଦରେ ମଧ୍ୟ ସେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରିଥାଏ ଓ ନିଜେ ଖୁସି ହୁଏ।ଅନ୍ୟର କଷ୍ଟ ଦେଖିଲେ ତା'ର ଆତ୍ମା କାନ୍ଦିଉଠେ। ତା'ର ଏହିପରି ବ୍ୟବହାର ଦେଖି ସମସ୍ତେ ଖୁସି ହୁଅନ୍ତି।ରାମୁ ଭଲ ପଢ଼ିବା ହେତୁ ସେ ସର୍ବଦା ଶ୍ରେଣୀରେ ପ୍ରଥମ ହୁଏ,ଵୃତ୍ତି ମଧ୍ୟ ପାଏ। ହେଲେ ସତେ ଯେମିତି ତା'ର ଏହି ଖୁସିରେ କଳା ଵାଦଲର ଛାଇ ଖେଳିଯାଇଥିଲା। ତା'ର ସବୁ ସୁଖ ପାଣି ଫୋଟକା ପରି ମିଳେଇଯାଇଥିଲା।କାରଣ ସେ ଜାଣିବାକୁ ପାଇଲା ଯେ ତା'ର ବାପା ବର୍ତ୍ତମାନ କର୍କଟ ରୋଗରେ ପୀଡ଼ିତ। ଦିନକୁ ଦିନ ସେ ଅସୁସ୍ଥ ହୋଇ ପଡୁଛନ୍ତି।ସେ ସେତେବେଳକୁ ମାତ୍ର ଦଶ ବର୍ଷର ହୋଇଥାଏ।ତେଣୁ ତା ମୁଣ୍ଡରେ ଏକ ବଜ୍ର ପଡ଼ିଲା ଭଳି ଲାଗିଲା। ତା'ର ଭବିଷ୍ୟତର ଆଶା ଆକାଂକ୍ଷା ଆଉ ସ୍ୱପ୍ନରେ ଯେମିତି ପୁର୍ଣ୍ଣଛେଦ ପଡ଼ିଯାଇଛି।ରାମୁ ତା ବାପାକୁ କଥା ଦେଇଥିଲା ବଡ଼ ହେଲେ ଓଏଏସ୍ ଅଫିସର ହେବ। ହେଲେ କ'ଣ ହେଲା? ଭଗବାନ ଏତେ ନିଷ୍ଠୁର କାହିଁକି ହେଲେ? ମାଆ ନଥିଲେ,ଏବେ ବାପାଙ୍କର ଏଭଳି ଅବସ୍ଥା।ସେ କ'ଣ କରିବ? ଅନେକ ପ୍ରଶ୍ନ ତା ମନରେ ଉଙ୍କି ମାରୁଥାଏ।

             ରାମୁ ଭାରି ସାହାସୀ। ତେଣୁ ସେ ତା ବାପାଙ୍କ ଠାରୁ ଶୁଣିଥିଲା ଯେ ବିପଦ ସମୟରେ ଧୈର୍ଯ୍ୟହରା ନ ହୋଇ ଶତ ସିଂହର ସାହସ ମନରେ ଧରି କାର୍ଯ୍ୟ କଲେ ନିଶ୍ଚୟ ସଫଳତା ମିଳିବ। ସେଥିପାଇଁ ଜୀବନର ଏହି କଷଟି ପଥର ମଧ୍ୟରେ ସେ ପ୍ରାଣପଣେ ଚେଷ୍ଟା କରିଛି ଓ ଗୋଟିଏ ଛୋଟ ତାହା ଦୋକାନ ଦେଇ ଚାହା ବିକ୍ରି କରି କିଛି ଅର୍ଥ ରୋଜଗାର କରି ସେଥିରେ ସେ ତା ବାପାଙ୍କ ପାଇଁ ଔଷଧ ଆଣେ ଓ ଆଉ କିଛି ଘର ଚଳାଏ ଓ ତାର ଭଉଣୀ କଥା ବୁଝେ।ଓଳିଏ ଖାଇଲେ ଓଳିଏ ଉପବାସ ରହିଯାଏ। ଖରାଦିନ ଓ ବର୍ଷାଦିନ ଯେମିତି ସେମିତି କରି ଚଳିଯାଏ। କିନ୍ତୁ ଶୀତଦିନରେ ଚଳିବା ବହୁତ କଷ୍ଟକର ହୋଇଥାଏ।ଘୋଡି ହେବା ପାଇଁ କୈାଣସି ଶୀତ ଵସ୍ତ୍ର ନ ଥାଏ ।ସତେ ଯେମିତି ଉତ୍କଟ ଦାରିଦ୍ର୍ୟ ମହାବଳ ବାଘ ଭଳି ପଞ୍ଝା ଖୋଲି ଶୀତରୂପେ ମାଡିଵସେ।

             କଥାରେ କୁହାଯାଇଛି ଯେ କଷ୍ଟ କଲେ କୃଷ୍ଣ ମିଳେ। ଦୁଃଖ ପରେ ସୁଖ ,ସୁଖ ପରେ ଦୁୁଃଖ ଏ ତ ସଂସାର ନିୟମ।ତେଣୁ ଏହି ଅଭାବ ଅନଟନ ଓ ଦାରିଦ୍ର୍ୟ ସହିତ ଲଢ଼ି ଲଢ଼ି ଶେଷରେ ତା'ର ବାପାକୁ ଦେଇଥିବା କଥା ପୂରଣ ହେଲା ।ସେ ଓଏଏସ୍ ଅଫିସର ହେଲା।ଏ କଥା ଶୁଣି ତା ବାପାର ଛାତି କୁଣ୍ଢେମୋଟ ହୋଇଗଲା।ସାହି ପଡିଶା ଲୋକମାନେ ଏବଂ ସ୍କୁଲର ଶିକ୍ଷକ ମାନେ ମଧ୍ୟ ଖୁସି ହୋଇଗଲେ।ତା'ର ଭୁରି ଭୁରି ପ୍ରଶଂସା ମଧ୍ୟ କଲେ।ଏସବୁ ରାମୁର ବିଶ୍ୱାସ, ଦୃଢ଼ତା ଏବଂ ଆଦର୍ଶମୟ ଜୀବନଯାପନ ପାଇଁ ସମ୍ଭବ ହୋଇଛି।


Rate this content
Log in

Similar oriya story from Tragedy