୭୫ ବର୍ଷ ବଯସର ଚିତ୍ର
୭୫ ବର୍ଷ ବଯସର ଚିତ୍ର
। ୧।
ତିନି ମହଲା କୋଠା ଘର ପାଖକୁ ଲାଗି ରହିଛି ଏକ ନୂଆଁଣିଆ ଚାଳ ଛପର ଘର । ଘର ଆଗକୁ ଗୋଟିଏ ଛୋଟିଆ ଗଳି ରାସ୍ତା ଲମ୍ବି ଯାଇଛି । ସେହି ରାସ୍ତାର ଆରପଟରୁ ଜଣେ ୭୫ ବର୍ଷର ବୃଦ୍ଧ ଠୁକୁରୁ ଠୁକୁରୁ ହୋଇ ଚାଲିଚାଲି ଆସୁଛନ୍ତି । ହାତରେ ଖଣ୍ଡିଏ ବାଡି ଆଉ ଆଖିରେ କଳା ଚଷମା ପିନ୍ଧିଛନ୍ତି ।
ଯେହେତୁ ସକାଳ ସମୟ, ତେଣୁ ସମସ୍ତେ ସମସ୍ତଙ୍କର କାମରେ ବ୍ୟସ୍ତ । କାହାକୁ କାହାର ନଜର ନାହିଁ । ଏତିକିବେଳେ ବୃଦ୍ଧଙ୍କ ବିପରୀତ ପାର୍ଶ୍ବରୁ ଗୋଟାଏ ଯୁବକ ଦଉଡି ଦଉଡି ଆସି ଧସେଇ ହୋଇ ପସିଲା ଭଳି ବୃଦ୍ଧଙ୍କ ଉପରେ ବାଡେଇ ହୋଇଯାଏ । ବୃଦ୍ଧା ଜଣକ ତଳେ ପଡିଯାଆନ୍ତି । ଯୁବକଟିର ମାନବିକତା ଦେଖନ୍ତୁ, ସେ ବୃଦ୍ଧଙ୍କୁ ଉଠିବାକୁ ସାହାର୍ଯ୍ୟ ନକରି କହୁଛି......
ଯୁବକ :- ଆରେ ଯଦି ରାସ୍ତାରେ ଠିକ୍ ରେ ଚାଲିପାରୁନ ତେବେ ଘରୁ ବାହାରୁଛ କାହିଁକି ? ତୁମର ଏଇ ବୟସରେବି କ'ଣ ଫିଟ୍ ରହିବାର ଅଛିକି ଆହୁରି ? ବୁଢା ହେଲଣି ଏଣେତେଣେ ବୁଲାବୁଲି ନକରି ଘରେ ରୁହ ଅନ୍ତତଃ ଆମକୁ ତୁମମାନଙ୍କ ପରି ଲୋକଙ୍କ ମୁହଁତ ସକାଳୁ ଚାହିଁବାକୁ ପଡିବନି । ହୁଁ ! ଜଣାନାହିଁ କୂଆଡୁ କୂଆଡୁ ଚାଲି ଆସୁଛନ୍ତି ?
( ଏତିକି କହି ଯୁବକଟି ଚାଲିଯାଏ। ଏବେବି ବୃଦ୍ଧ ଜଣକ ସେମିତି ସେଇ ରାସ୍ତାରେ ପଡିଛନ୍ତି । ଉଠିବାକୁ ବଳ ପାଉନି । ତଥାପି ବାଡି ସାହାର୍ଯ୍ୟରେ ଧିରେଧିରେ ଉଠିବାକୁ ଚେଷ୍ଟା କରୁଛନ୍ତି । ମନେମନେ ଭାବୁଛନ୍ତି ଦିନ ଥିଲା, ମୁଁବି ଏମିତି ଦୌଡିବାକୁ ବାହାରି ଯାଉଥିଲି ଘଡିଏ ଲେଖାଏଁ, କିନ୍ତୁ ଏବେ ଆଉ ଛିଡା ହେବାକୁବି ଏ ଗୋଡରେ ବଳ ନାହିଁ । ମୋତେ ଏଇ ବାଡି ଖଣ୍ଡିକର ସାହାରା ନେବାକୁ ପଡୁଛି । ସତରେ କ'ଣ ମୁଁ ବୁଢା ହେଇଗଲିଣି ? )
। ୨।
ସେଇ ଚାଳ ଘରର ବାରଣ୍ଡାରେ ଗୋଟାଏ ଖଟିଆ ପଡିଥାଏ । ଖଟିଆ ଉପରେ ବୃଦ୍ଧ ଜଣକ ବସିଥାନ୍ତି । ବାରମ୍ବାର ବାହରକୁ ଚାହୁଁଛନ୍ତି । ପାଖରେ ତାଙ୍କର ନାତି ଗୋଟାଏ ବଲ୍ ଧରି ଖେଳୁଛି । ପିଲାଟି ବହୁତ୍ ଛୋଟ । ପ୍ରାୟ ସାତ କିମ୍ବା ସାଢେ ସାତ ବର୍ଷ ହେବ । ପିଲାଟି ଏତେ ଛୋଟ ଥିବାରୁ ସେଇ ପାଖରେ ଖେଳୁଥିବା ବଡ ପିଲାମାନେ ତାକୁ ସାଙ୍ଗରେ ଖେଳାନ୍ତିନି । ପିଲାଟିର କିନ୍ତୁ ଭାରି ଆଗ୍ରହ ବଲ୍ ଖେଳିବାକୁ । ସେ ଦେଖିଲା ଜେଜେ ଖାଲିରେ ବସିଛନ୍ତି । ପିଲାଟି ଜେଜେଙ୍କୁ କହୁଛି......
ପିଲାଟି :- ଜେଜେ ଚାଲ ଆମେବି ବଲ୍ ଖେଳିବା ।
ଜେଜେ :- ନାହିଁରେ ବୁଲୁ ତୁ ଖେଳ୍ ମୁଁ ଦେଖୁଛି ।
( ପିଲାଟି ବହୁତ୍ ଯିଦ୍ କରେ ତା' ସହ ଖେଳିବାକୁ । ଏବେ ଜେଜେବି ରାଜି ହୋଇଗଲେ । ଜେଜେ ନାତି ମିଶି କିଛି ସମୟ ଖେଳିବାପରେ ବଲ୍ ଟି ଦୂରକୁ ଚାଲିଯାଏ । )
ନାତି :- ମୁଁ ବଲ୍ ଆଣିବାକୁ ଯାଇପାରିବିନି, ତୁମେ ଜୋର୍ ରେ ଫିଙ୍ଗିଛ ତୁମେ ଯାଅ ଆଣିବ ।
( ଜେଜେ ବଲ୍ ଆଣିବାକୁ ଗଲାବେଳେ ନାତିର ସାଙ୍ଗମାନେ ଦେଖି ଚିଡାଇଲେ । )
ସାଙ୍ଗମାନେ :- ଆବେ ଦେଖବେ ଆମେ ଆକୁ ବଲ୍ ଖେଳେଇଲେନି ବୋଲି ସେ କେମିତି ଏଇ ବୁଢା ସାଙ୍ଗରେ ଖେଳୁଛି ।
( ନାତି ରାଗରେ ବଲ୍ ଫୋପାଡିଦେଇ ଘର ଭିତରକୁ ଚାଲିଯାଏ । ପିଲାମାନେ ବୃଦ୍ଧଙ୍କୁ ଦେଖି ହସନ୍ତି । )
ନାତିର ସାଙ୍ଗମାନଙ୍କ ଉପହାସ ଶୁଣି ବୃଦ୍ଧ ମନେମନେ ଭାବନ୍ତି, ଦିନ ଥିଲା ଏଇ ବଲ୍ ଖେଳ ପାଇଁ ମୁ ଖାଇବାକୁବି ଭୁଲି ଯାଉଥିଲି । ଆଉ ଏବେ ନାଁ ହାତରେ ସେ ବଳ ଅଛି, ନାଁ ମୋ ସହ ଖେଳିବାକୁ କେହି ପସନ୍ଦ କରୁଛନ୍ତି ? ସତରେ କ'ଣ ମୁଁ ବୁଢା ହେଇଗଲିଣି ?
। ୩।
ବୃଦ୍ଧ ଜଣକ ଏବେ ଘର ଭିତରେ ବସିଛନ୍ତି । ପଡୀଶା ଘରୁ ଜଣେ ସ୍ତ୍ରୀଲୋକ ଆସିଛନ୍ତି ଘରକୁ । କୋଠାଘରକୁ ଯିବାକୁ ହେଲେ ସେଇ ଚାଳ ଘର ବାଟଦେଇ ଯିବାକୁ ପଡେ । ସେ ସ୍ତ୍ରୀଲୋକ ଜଣକ ଘର ଭିତରକୁ ଯିବାବେଳକୁ କାହିଁକି ଯେ ଏମିତି ଚାହିଁ ରହିଲେ ବୃଦ୍ଧଙ୍କୁ ଜଣାନାହିଁ । ବୋହୂ ଘର ଭିତରେ ରୋଷେଇ କରୁଛନ୍ତି । ସ୍ତ୍ରୀଲୋକ ଜଣକ ଯାଇ କହୁଛନ୍ତି.......
ସ୍ତ୍ରୀଲୋକ :- ଆରେ ମୀତା(ବୋହୂ) ଗୋଟାଏ କଥା କହିବି ତୁ ଖରାପ
ଭାବିବୁନିତ ?
ବୋହୂ :- ନାହିଁ ଖରାପ କାହିଁକି ଭାବିବି ? କ'ଣ କହୁନ ? କୁହ ।
ସ୍ତ୍ରୀଲୋକ :- ତୋ ଶ୍ବଶୂରତ ବୁଢା ହୋଇଗଲେଣି ତାଙ୍କୁ ଅନାଥ ଆଶ୍ରମରେ ଛାଡିଦଉନ । କିଛିଟାତ ଖର୍ଚ୍ଚ ବଞ୍ଚିଯିବ ।
( ଏପଟେ ବୃଦ୍ଧ ସେ ସ୍ତ୍ରୀଲୋକଙ୍କ କଥା ସବୁ ଶୁଣୁଥାନ୍ତି । ବୋହୂ କିଛି କହିବା ଆଗରୁ ଶ୍ବଶୂରଙ୍କ ଉପରେ ତା'ର ନଜର ପଡିଯାଏ । ସେ କିଛି ନକହି ଚୁପ୍ ଚାପ୍ ଛିଡା ହୋଇଯାଏ । ସ୍ତ୍ରୀଲୋକ ଜଣକବି ବୃଦ୍ଧଙ୍କୁ ଦେଖି ମୁହଁମୋଡି ଚାଲିଯାଆନ୍ତିି ।
ବୃଦ୍ଧ ମନେମନେ ଭାବନ୍ତି, ଯେତେବେଳେ ମୁଁ ରୋଜଗାର କରୁଥିଲି ସେତେବେଳେ ଖର୍ଚ୍ଚ ନୁହେଁ ପିଲାମାନଙ୍କର ସ୍ବପ୍ନ ପୂରା କରୁଥିଲି । ଆଉ ଆଜି ମୋ ହାତ-ଗୋଡ ଠିକ୍ ରେ କାମ କରୁନି ବୋଲି ମୁଁ କିଛି କାମ-ଧନ୍ଦା କରିପାରୁନି । ତା'ମାନେ ମୁଁ କ'ଣ ବୁଢା ହେଇଗଲିଣି ?
। ୪।
ପୁଅ ସୋଫା ଉପରେ ବସି ଟିଭି ଦେଖୁଛନ୍ତି । ଚାଳ ଘରଟି ବର୍ଷା ପାଣି ପଡି ଓଦା ହେଇଯାଇଛି ବୋଲି ବୃଦ୍ଧ ଜଣକ କୋଠା ଘର ଭିତରେ ବସି ଖାଉଛନ୍ତି । ଖାଇବା ଭିତରେ ବୃଦ୍ଧଙ୍କ ତଣ୍ଟିରେ ଖାଇବା ଲାଖିବାରୁ ବୃଦ୍ଧ ଟିକିଏ ଖାସିଦେଲେ । ବାପାଙ୍କ ଖାସରେ ପୁଅ କିଛି ଶୁଣିପାରିଲେନି ସେ ଟିଭିରେ କ'ଣ କହିଲା ? ସାଙ୍ଗେସାଙ୍ଗେ ପୁଅ ବିରକ୍ତ ହୋଇ କହୁଛନ୍ତି.......
&n
bsp;ପୁଅ :- ତୁମେତ ବୁଢା ହେଲଣି ଟିକେ ଦେଖିଚାହିଁ ଖାଆନ୍ତନି, ଏମିତି କିଏ ଖାଇଗଲା ଭଳି କାଇଁ ଖାଉଛ ?
( ବୃଦ୍ଧ କିଛି ସମୟ ପୁଅର ମୁହଁକୁ ଚାହିଁଲେ, ଆଉ ତା'ପରେ ପାଣି ଟିକିଏ ପିଇ ଖାସ କମେଇବାକୁ ଚେଷ୍ଟାକଲେ । )
ମନେମନେ ଭାବିଲେ ଦିନ ଥିଲା ମୁଁ ଏଇ ପୁଅର ଟିକିଏ ଖାସ କି ଥଣ୍ଡା ହେଇଗଲେ ସଙ୍ଗେସଙ୍ଗେ ଡାକ୍ତରଖାନା ନେଇ ଯାଉଥିଲି । ଆଉ ଆଜି ସେଇ ପୁଅ ମୁଁ ଟିକିଏ ଖାସି ଦେଲିବୋଲି ମୋତେ କହୁଛି ବୁଢା ହେଲଣି ଦେଖିକି ଖାଇଲେ ହେବନି ? ସତରେ କ'ଣ ମୁଁ ବୁଢା ହେଇଗଲିଣି ?
। ୫।
ନାତି ପରୀକ୍ଷାରେ କମ୍ ନମ୍ବର ରଖିଥିଲା ବୋଲି ବୋହୂ ରାଗରେ ପିଲାଟିକୁ ବାଡେଇ ଚାଲିଛନ୍ତି । ପିଲାଟି କାନ୍ଦିକାନ୍ଦି ବାରମ୍ବାର ଜେଜେଙ୍କୁ ଡାକୁଛି । ବୃଦ୍ଧ ଜଣକ ନାତିର ଡାକ ଶୁଣି ଆଉ ନିଜକୁ ରୋକି ପାରିଲେନି । ପିଲାଟାକୁ କାହିଁ ମାରୁଛ କହି କ'ଣ ଦୁଇ ପଦ ରାଗରେ କହିଦେଲେ । ଏଇ କଥାକୁ ବୋହୂ ବଡ ଆକାର କରି ବୃଦ୍ଧଙ୍କ ସହ ଝଗଡା କଲେ । ସ୍ବାମୀ ଆସିବାପରେ ସ୍ବାମୀଙ୍କୁ ଜଣାଇଲେ, ଆଉ କହିଲେ......
ବୋହୂ :- ଆଜି ତୁମେ କିଛି ଗୋଟାଏ ନିଷ୍ପତ୍ତି ନିଅ ଆଉ କୁହ ଏଘରେ ତୁମ ବାପା ରହିବେ ନାଁ ମୁଁ ? ସେ ରହିଲେ ମୁଁ ରହିବିନି । ସବୁବେଳେ କିଏ ତାଙ୍କ ବକର-ବକର ଶୁଣିବ ? ତୁମେ ଗୋଟେ କାମ କର ତାଙ୍କୁ ଅନାଥ ଆଶ୍ରମରେ ଛାଡିଦିଅ । ସେବି ବୁଢା ହେଲେଣି, ଘରେ ରହି କ'ଣ କରିବେ ? ଦିନକୁଦିନ ଆମ ଖର୍ଚ୍ଚବି ବଢିଲାଣି । ଯାହା ରୋଜଗାର କରୁଛ ସେତକ ଆମକୁତ ନିଅଣ୍ଟ ହେଉଛି, ତୁମେ ସେଇୟା କର ।
ପୁଅ :- ହଁ ! ସେଇଆ କରିବା । ମୁଁ କାଲି ଏ ବିଷୟରେ କଥା ହେଉଛି ସେ ଅନାଥ ଆଶ୍ରମକୁ ଯାଇକି ।
( ପୁଅର ମୁହଁରୁ ଏସବୁ କଥା ଶୁଣି ବୃଦ୍ଧଙ୍କ ଆଖିରୁ ଲୁହ ଝରିଯାଏ । ସେ ନିଜକୁ ନିଜେ ପଶ୍ନ କରନ୍ତି କ'ଣ ଏଇ ଦିନ ଦେଖିବାକୁ ତୁ ପୁଅକୁ ଜନ୍ମ ଦେଇଥିଲୁ ? କିଛି ସମୟ ସାନ୍ତ ପରେ ମନକୁ ବୁଝାଇ ଦିଅନ୍ତି । ଯେତେ ଯାହା ହେଲେବି ପୁଅ ପରା । ସେବା କେମିତି ତା'ର ଖରାପ ଭାବିବେ ? ତେଣୁ ମନକୁ ବୁଝାନ୍ତି ସତରେ ତୁ ଏବେ ବୁଢା ହେଈଗଲୁଣି । ଏଣିକି ତୋର ସାହାର୍ଯ୍ୟ ନାଁ କାହାକୁ ଦରକାର ଅଛି ନାଁ ତୁ କାହାକୁ ଦରକାର ଅଛୁ । ତୁ ଏବେ ଥୁଣ୍ଟା ବରଗଛ । )
କିଛି ଦିନପରେ ସେଇଆ ହେଲା । ପୁଅ-ବୋହୂ ମିଶି ବୃଦ୍ଧଙ୍କୁ ଅନାଥ ଆଶ୍ରମରେ ଛାଡି ଆସିଲେ । ବୃଦ୍ଧ ସେଠାରେ ନୂଆ, ତେଣୁ ଚଳିବା ପାଇଁ ଟିକିଏ ଅସୁବିଧା ହେଉଥିଲା । ଏଣେ ଘର ଛାଡି ଆସିବାର ଦୁଃଖ ବୃଦ୍ଧଙ୍କୁ କିଛି ଭଲ ଲାଗେନି । ତଥାପି ରହିଯାଆନ୍ତି ସେମିିତ। ଏମିିତ କିଛି ଦିିନ ଚାଲିଗଲା ।
ସେ ଘରୁ ଗଲାବେଳେ ପତ୍ନୀଙ୍କର ଗୋଟିଏ ଫଟୋ ସାଙ୍ଗରେ ନେଇଥିଲେ । କିଛିବି ଦୁଃଖ, ସୁଖ ସେ ତାଙ୍କୁ କହିଦିଅନ୍ତି । ଆଜିବି ସେମିତି ପତ୍ନୀଙ୍କର ଫଟୋ ଧରି ବସି ପଡିଲେ ଓ କହିବାକୁ ଲାଗିଲେ ନିଜ ଦୁଃଖ ।
ଫଟୋ ସହିତ କଥା ହେଉହେଉ ତାଙ୍କର ଆଖି କେତେବେଳେ ଲାଖି ଯାଇଛି । ସେ ସ୍ବପ୍ନରେ ତାଙ୍କ ପତ୍ନୀଙ୍କୁ ଦେଖି କହୁଛନ୍ତି......
ବୃଦ୍ଧ :- ସମସ୍ତେ କହୁଛନ୍ତି ମୁଁ କାଳେ ବୁଢା ହେଇଗଲିଣି, ହେଲେ ତୋତେ କ'ଣ ଲାଗୁଛି ?
ପତ୍ନୀ :- ( ଟିକିଏ ହସିଦେଇ ) ତୁମେ ଆଜିବି ସେଇ ଜବାନ୍ ଅଛ କିନ୍ତୁ ତୁମ ଶରୀର ବୁଢା ହେଇଯାଇଛି ।
ବୃଦ୍ଧ :- ତୁ ମଧ୍ୟ ସେଇଆ କହିଲୁ ?
ପତ୍ନୀ :- ସତ ସବୁବେଳେ ସତ, ତାକୁ ବଦଳାଇ ହୁଏନି ।
ବୃଦ୍ଧ :- ମୁଁ ମାନୁଛି କିନ୍ତୁ ତା'ମାନେ କ'ଣ ମୋତେ ଘରୁ ବାହାର କରିଦେବା ? ଆମ ପୁଅବି ଥରୁଟେ ଭାବିଲାନି ମୋ କଥା । ଏଠି ମୋତେ ମୋଟେ ଭଲ ଲାଗୁନି ।
ପତ୍ନୀ :- ମୋ ସାଥିରେ ଯିବ ?
ବୃଦ୍ଧ :- କୁଆଡେ ?
ପତ୍ନୀ :- ମୁଁ ଯୁଆଡେ ନେଇଯିବି ।
( ଏତିକି କହି ବୃଦ୍ଧଙ୍କ ପତ୍ନୀ ଆଗେ ଆଗେ ଚାଲିଯାଉଛନ୍ତି, ବୃଦ୍ଧ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ଠିକ୍ ଏତିକି ବେଳକୁ ନିଦ ଭାଙ୍ଗିଯାଏ, ସ୍ବପ୍ନ ଅଧାରେ ରହିଯାଏ । ବୃଦ୍ଧ ପତ୍ନୀକୁ ଚାରିପଟକୁ ନଜର ଦେଇ ଖୋଜନ୍ତି , କିନ୍ତୁ ପାଆନ୍ତିନି । ଶେଷରେ ପଛରୁ କେହି କାନ୍ଧରେ ହାତ ପକାଇବା ଭଳି ଅନୁଭବ ହୁଏ । ବୃଦ୍ଧ ବୁଲି ଚାହାଁନ୍ତିତ ନିଜ ପତ୍ନୀ । ପତ୍ନୀ ବୃଦ୍ଧଙ୍କ ହାତଧରି ନେଇ ଯାଆନ୍ତି । )
ଆଶ୍ରମର ସଦସ୍ୟ ବୃଦ୍ଧଙ୍କୁ ଦେଖିଲାବେଳକୁ ବୃଦ୍ଧ ଶେଷ ନିଶ୍ବାସ ତ୍ୟାଗ କରିସାରିଛନ୍ତି । ଆଶ୍ରମର କତ୍ତୃପକ୍ଷ ପୁଅଙ୍କୁ ଜଣାନ୍ତି ବାପାଙ୍କ ବିଷୟରେ । ପୁଅ ଆଶ୍ରମ ଆସି ବାପାଙ୍କର ଶବକୁ ନେଇ ସତ୍କାର
କରନ୍ତି ।
କିଛି ଦିନପରେ କୌଣସି କଥାକୁ ନେଇ ପୁଅର ସ୍ତ୍ରୀଙ୍କ ସହ ଝଗଡା ହୁଏ । ଆଗରୁବି ଝଗଡା ହେଇଥିଲା, କିନ୍ତୁ ଏଥର ପୁରା
ଅଲଗା । କଥା ପୁରା ଛାଡପତ୍ର ଯାଏଁ ଚାଲିଗଲା । ସ୍ତ୍ରୀ ଘର ଛାଡି ଚାଲିଗଲେ । ମା ସହ ପୁଅବି ଚାଲିଗଲା ବାପାକୁ ଏକାକରିଲ।
୨୭ବର୍ଷ ପରେ...........
ଏବେ ପୁଅ ବାପାଙ୍କ ବୟସର ହୋଇଯାଇଛି । ୭୫ବର୍ଷ ଚାଲିଛି । ହାତରେ ବାଡିଧରି ଗୋଟିଏ ଗୋଟିଏ ଚାଲୁଛି । ବୁଢା ବୟସରେ ପାଖରେ କେହି ନାହାଁନ୍ତି ଭାବି ଆଖିରେ ଲୁହ ଜକେଇ ଆସୁଛି । ଆଜି ସେବି ଉପହାସ ସାଜିଛନ୍ତି ପିଲାମାନଙ୍କ ଆଗରେ । ବୁଢା ବୁଢା କହି ସମସ୍ତେ ଡାକୁଛନ୍ତି । କେହି ଆଉ ନାଁ ଧରି ଡାକୁ ନାହାଁନ୍ତି। ଏତିକିବେଳେ ତାଙ୍କର ବାପାଙ୍କ କଥା ମନେପଡିଛି । ସେ କରିଥିବା ଭୁଲ୍ ପାଇଁ ଅନୁତପ୍ତ ଅଛନ୍ତି, ଆଉ ନିଜକୁ ପ୍ରଶ୍ନ କରୁଛନ୍ତି କ'ଣ ମୁଁ ବୁଢା ହେଇଗଲିଣି ?