(୪) * ମଣିଷ ପଣିଆ *
(୪) * ମଣିଷ ପଣିଆ *
ଆଶ୍ଵିନର ଆକାଶରେ କିଏ ନୀଳ ରଙ୍ଗ ନେସି ଦେଇଛି ଯେମିତି । ନିର୍ମଳ ଆକାଶ ଖୁବ୍ ସୁନ୍ଦର ଦିଶୁଛି । ବାଲକୋନୀରେ ଏକା ଏକା ବସିଛି ମାମାଲି । ତାକୁ କିନ୍ତୁ ଏସବୁ ସୁଖ ଦେଇ ପାରୁନି ଆଜି । ଏବେ ବି ତା' ମୁହଁରେ କ୍ରନ୍ଦନର ସଦ୍ୟ ଦାଗ ବାରି ହୋଇ ପଡ଼ୁଛି । ଅଫିସରୁ ଫେରି ଭ୍ୟାନିଟି ବ୍ୟାଗଟା ଫୋପାଡି ଦେଇ ଘଣ୍ଟାଏ ହେଲାଣି ଏଇଠି ବସିଛି ।
ଆଜି ଲକ୍ ଡାଉନ୍ ଖୋଲିବାରୁ ଦୀର୍ଘ ଦୁଇ ମାସ ପରେ ସେ ଅଫିସ ଯାଇଥିଲା । କଂପାନୀରେ ସଫ୍ଟଓ୍ୱେର୍ ଇଞ୍ଜିନିୟର ଭାବେ ଚାକିରିରେ ଯୋଗ ଦେବା ପରଠାରୁ ଏତେ ଲମ୍ବା ବ୍ରେକ୍ ସେ କେବେ ପାଇନଥିଲା । ହଠାତ୍ ସବୁକିଛି ଘଟିଗଲା । ବସ ଟ୍ରେନ ଏୟାର ଲାଇନ୍ ସବୁ ବନ୍ଦ ହୋଇଯାଇଥିଲା ।ସେ ଆଉ ତା' ରୁମ୍ ମେଟ୍ ନିଧି, ଚାହିଁ ମଧ୍ୟ ଓଡ଼ିଶାକୁ ଫେରି ପାରିଲେ ନାହିଁ । ଏଇ ଦୁଇମାସ ସେମାନେ କେତେ କଷ୍ଟରେ ଯେ କାଟିଛନ୍ତି, ସେ କାହାକୁ ବୁଝାଇ ପାରିବ ନାହିଁ। ଶେଷରେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆଜି ସେମାନେ ସୁରକ୍ଷିତ ଅଛନ୍ତି ।ନିଉଜ ଚ୍ୟାନେଲ ଏବଂ ମୋବାଇଲରେ କରୋନାର ଭୟାବହ ରୂପ ଦେଖି ପ୍ରଥମେ କିଛି ଦିନ ତ ,ତା' ମୁଣ୍ଡ କାମ କଲା ନାହିଁ । ପରେ ଧିରେ ଧିରେ ସେ ନିଜକୁ ସମ୍ଭାଳିଛି । ବାପା ବୋଉକୁ ତା' ପାଇଁ ବ୍ୟସ୍ତ ନ ହେବାକୁ କହି, ନିଜ ନିଜର ଯତ୍ନ ନେବାକୁ ତାଗିଦ୍ କରିଛି । ସେ ଯାହା ହେଉ ଏବେ ପରିସ୍ଥିତି କିଛି ଟା ସୁଧିରିଲାଣି । ଅଫିସ ସବୁ ଖୋଲିଲାଣି । ଲୋକେ ସାବଧାନତାର ସହିତ ନିଜ ନିଜର କର୍ମ କ୍ଷେତ୍ରରେ ଊଣାଅଧିକେ ଯୋଗ ଦେଲେଣି ।
ଆଜି ସକାଳେ ଅଫିସ ପହଞ୍ଚି ସେ ଦେଖିଲା ଅଫିସ କେମିତି ଖାଁ ଖାଁ ଲାଗୁଛି । ସମୟ ହୋଇ ଯାଇଥିଲା କିନ୍ତୁ କାହାରି ଦେଖା ନଥିଲା । ଗତ କାଲି ସଂଜ ବେଳେ ତ ସେ ତା'ର ଜଣେ ଦୁଇ ଜଣ କଲିଗ୍ ସହ କଥାବାର୍ତ୍ତା ହୋଇଛି । ଆଜି ସମସ୍ତେ ଅଫିସ ଆସିବା କଥା । କିନ୍ତୁ ଏ ଯାଏ କାହାରି ଦେଖା ନଥିଲା ।
ଏଇ ସମୟରେ ଅଫିସ ସିକ୍ୟୁରିଟି ଗାର୍ଡ ଆସି ପହଞ୍ଚିଲା। କହିଲା , ମାଡାମ ଆପଣ କ'ଣ ଯାଇନାହାନ୍ତି । ମାମାଲି ପଚାରିଲା କୁଆଡେ । କହିଲା ହସ୍ପିଟାଲ । ମାମାଲି ଆଶ୍ଚର୍ଯ୍ୟ ହୋଇ ପଚାରିଲା କ'ଣ ପାଇଁ । ସେ କହିଲା ଆପଣ କ'ଣ ଜାଣି ନାହାନ୍ତି, କାଲି ରାତିରେ ଆମେ ଅଫିସ ଷ୍ଟାଫ୍ ଅଭିଷେକ ବାବୁ କରୋନାରେ ଚାଲିଗଲେ ।
କଥାଟି ଶୁଣି ମାମାଲି ସ୍ତବ୍ଧ ହୋଇଗଲା। ନିଜ କାନକୁ ବିଶ୍ୱାସ କରି ପାରିଲା ନାହିଁ ।କ'ଣ ଶୁଣିଲା ସେ । ତାକୁ ଲାଗିଲା ତା' ମୁଣ୍ଡ ବୁଲେଇ ଦେଉଛି । ସେ ଥମ କିନା ପାଖ ଚେୟାରରେ ବସି ପଡ଼ିଲା । ଗାର୍ଡ ପାଣି ଆଣି ପିଇବାକୁ ଦେଲା । ଟିକେ ପରେ ମାମାଲି ଫୋନ କରି ବୁଝିଲା , ଅଫିସ ଷ୍ଟାଫ୍ ହସ୍ପିଟାଲରେ ଅଛନ୍ତି । ବିଳମ୍ବ ନକରି ସେ ମଧ୍ୟ ଟାକ୍ସିଟେ ନେଇ ହସ୍ପିଟାଲ ବାହାରିଗଲା । ରାସ୍ତା ସାରା ମାମାଲି ଅଭିଷେକ ବିଷୟରେ ଭାବୁ ଥିଲା ।ସେ ବି ଓଡ଼ିଆ ପିଲା ।ତା ସହ ଏ କଂପାନୀରେ ଜଏନ କରିଥିଲା । ପିଲାଟି ଖୁବ୍ ଭଦ୍ର ଏବଂ ଟାଲେଣ୍ଟେଡ୍ । ଯେତେ ଦୂର ସେ ଜାଣେ ବାପା ମା'ର ଏକ ମାତ୍ର ପୁଅ । ବାପା ମା' ଖବର ପାଇଲେ କ'ଣ ହେବ ଭାବି ମାମାଲି ଆଖିରେ ଅଜାଣତରେ ଲୁହ ଆସିଗଲା ।
ହସ୍ପିଟାଲରେ ପରିବେଶ ଖୁବ୍ ହୃଦୟ ବିଦାରକ ଥିଲା ।ମାମାଲି ଯାହା ଜାଣିବାକୁ ପାଇଲା, ଅଭିଷେକ ଲକଡାଉନ୍ ପିରିୟଡ଼ରେ ରୁମରେ ଏକା ରହୁଥିଲା । ତା'ର ରୁମ୍ ମେଟ୍ ଲକଡାଉନର କିଛି ଦିନ ଆଗରୁ ଘରକୁ ଯାଇ ଆଉ ଫେରିପାରି ନଥିଲା । ବିଗତ କିଛି ଦିନ ଧରି ଅଳ୍ପ ଅଳ୍ପ ଜ୍ବର ଥିଲା ଅଭିଷେକକୁ ।ସେ କିନ୍ତୁ ତା' ପ୍ରତି ଧ୍ୟାନ ନଦେଇ ହେଳା କଲା। ଘର ଲୋକେ ଜାଣିଲେ ବ୍ୟସ୍ତ ହେବେ ଭାବି ନା ଘରକୁ ଖବର ଦେଲା ,ନା ନିଜେ ହସ୍ପିଟାଲ ସହ ଯୋଗାଯୋଗ କଲା । ପରିସ୍ଥିତି ଧିରେ ଧିରେ ନିୟନ୍ତ୍ରଣ ବାହାରକୁ ଚାଲିଗଲା । ଘଟଣା ସଂପର୍କରେ ସୋସାଇଟି ଲୋକ ଜାଣିଲା ପରେ ମଧ୍ୟ କେହି ତାକୁ ଭୟରେ ସହଯୋଗ କଲେ ନାହିଁ । ସାମାନ୍ୟତମ ମଣିଷପଣିଆ ସତେ ଯେମିତି ନଥିଲା ସେମାନଙ୍କ ନିକଟରେ । କାଳେ ସୋସାଇଟିକୁ ସିଲ୍ କରି ଦିଆଯିବ, ସେମାନେ ଅସୁବିଧାରେ ପଡ଼ିବେ ,ସେଇ ଡରରେ କେହି ଅଭିଷେକୁ ସାହାଯ୍ୟ କଲେ ନାହିଁ । ଆଉ ଶେଷରେ ତା'ର ପରିଣତି ଏଇୟା ହେଲା ।
ଅପରାହ୍ନରେ ହସ୍ପିଟାଲରୁ ଫେରିଛି ମାମାଲି। ଆସିଲା ପରେ ମନ ଭରି କାନ୍ଦିଛି ସେ । ତାକୁ ଲାଗିଲା ଆଜି ଯାହା କିଛି ଘଟିଗଲା ଅଭିଷେକ ସହ, କିଏ ଜାଣେ କାଲି ତା' ସହ ନହେବ । କେତେ ଅସମ୍ବେଦନଶୀଳ ହୋଇ ଯାଉଛି ସମାଜ । ହଜି ଯାଉଛି ମଣିଷ ପଣିଆ ଆଧୁନିକତାର ସ୍ୱାର୍ଥ ସର୍ବସ୍ୱ ଦୁନିଆରେ । ଜଣକର ମୃତ୍ୟୁ ହୋଇ ଯାଉଛି, ଅଥଚ ପଡୋଶୀ ଜାଣି ପାରୁନାହାନ୍ତି । ଜାଣି ନ ଜାଣିବାର ସୁନ୍ଦର ଅଭିନୟ କରୁଛନ୍ତି । ତେବେ କ'ଣ ପାଇଁ ଜଣେ ଏଭଳି ସମାଜରେ ରହିବ ।
କିଏ କେତେ ସ୍ୱପ୍ନ ନେଇ ନିଜ ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ନଗରୀ , ମହାନଗରୀକୁ ମାଡ଼ି ଆସୁଅଛି । ହେଲେ ବାସ୍ତବତା ତା' ଠାରୁ ଢେର ଅଲଗା । ମଣିଷ ପଡୋଶୀ ଗ୍ରହରେ କ'ଣ ହେଉଛି ତା ତ ଜାଣୁଛି । ଅଥଚ ପଡିଶା ଘରେ କିଏ କେଉଁ ଅସୁବିଧାରେ ପଡ଼ିଛି ସେକଥା ଜାଣି ପାରୁ ନାହିଁ ।
ମାମାଲିର ଇଛା ହେଉଥିଲା ଯେପରି ସବୁ ଛାଡ଼ି ଦେଇ ବାବା ମା'ଙ୍କ ପାଖକୁ ବର୍ତ୍ତମାନ ହିଁ ସେ ଫେରି ଯାଆନ୍ତା କୋଳେଇ ନିଅନ୍ତା ସେମାନଙ୍କୁ ନିଜ ନିବିଡ ଆଲିଙ୍ଗନରେ । ମୁଣ୍ଡ ରଖି ଶୋଇଯାନ୍ତା ଘଣ୍ଟା ଘଣ୍ଟା ଧରି ମା'ଙ୍କ କୋଳରେ ।
ରାତି ଆସି ଆଠଟା ହେଲାଣି, ଏବେ ମଧ୍ୟ ସେ ସେଇ ବାଲକୋନୀରେ ବସି ଆକାଶକୁ ଚାହିଁଛି । ଭାବୁଛି କେତେ ଭଲ ହୁଅନ୍ତା ଯଦି ପାଠ ପଢି ସମସ୍ତେ ନିଜ ସହଜରେ ,ବାପା ମା ପାଖରେ ରହି ଚାକିରୀ କରନ୍ତେ । ଜୀବନ ଜୀବିକା ପାଇଁ କାହାକୁ ବାହାରକୁ ଯାଇ, ଏଭଳି ଅମାନୁଷିକ ଅମାନବୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡନ୍ତା ନାହିଁ । ଆଉ ଝଡି ପଡନ୍ତା ନାହିଁ ଅସମୟରେ କୈ।ଣସି ମାଳିର ଫୁଲ ତା'ର ହୃଦୟର ବଗିଚାରୁ, ତା' ଆତ୍ମାର ନନ୍ଦନକାନନରୁ ।
