Amit Bal

Tragedy

4.0  

Amit Bal

Tragedy

(୩) *ଅନ୍ତରଙ୍ଗ ଶତ୍ରୁତା *

(୩) *ଅନ୍ତରଙ୍ଗ ଶତ୍ରୁତା *

5 mins
170


    ଆଜି କାଲି ବେଳ କାଳ ଖୁବ୍ ଖରାପ । କାହାକୁ ବିଶ୍ୱାସ କରିବ କାହାକୁ ନୁହେଁ କହିବା ମୁସ୍କିଲ । ସେଥିରେ ଯଦି ବେଳା ଖରାପ ପଡ଼ିଥିବ କଥା ସରିଲା । ଶତୃ ଆପେ ଆପେ ତିଆରି ହୋଇଯିବେ । ସେମାନଙ୍କଠୁ ତମେ ଦୂରେ ରହିବ କ'ଣ, ସେମାନେ ଆସି ତମ ଘରେ ରହିବେ । 

   ଅନିତା ମନା କରୁଥିଲେ ଉମାକାନ୍ତଙ୍କୁ । ସେ ଦଲାଲ୍ ଫଲାଲ ହାବୁଡ଼ରେ ପଡ଼ନା । ଆମର ଏବେ ଘର କିଣିବାର ନାହିଁ କି ଭଡ଼ା ଦେବାର ନାହିଁ । ପରେ ସୁବିଧା ଦେଖି ବ୍ୟବସ୍ଥା କରିବା । ଆମର ନିଜ ପାଇଁ ଛୋଟ ଘରେଟେ ଦରକାର । ବଡ଼ ଘରକରି ସେ ଭଡ଼ା ଲଗା ଧନ୍ଦାରେ ପଶିବାର ନାହିଁ । କିନ୍ତୁ ଉମାକାନ୍ତଙ୍କୁ ବୁଝାଇବ କିଏ । ତାଙ୍କର ଏକା ଯିଦ୍ ଟାଉନ ଭିତରେ ଆଉ ଭଲ ଘର କିମ୍ବା ଭଲ ପ୍ଲଟ ଏତେ କମ୍ ରେଟରେ ମିଳିବନି । ତେଣୁ ଆମେ ଏଇ ଘରଟା କିଣି ନେବା । 

   ଏ ଭିତରେ ସପ୍ତାହେ ବିତି ଗଲା । ରବିବାର ଛୁଟି ଦିନ । ସକାଳୁ ବିଛଣା ଛାଡ଼ିବା ବେଳକୁ ଅନିତା ଦେଖୁଛନ୍ତି ଉମାକାନ୍ତ ଘରେ ନାହାଁନ୍ତି । ଭାବିଲେ ପାଖ ପଡେ଼ାଶୀଙ୍କ ଘର ଆଡ଼କୁ ଯାଇଥିବେ କି କ'ଣ । ତେଣୁ ସେଥିରେ ଧ୍ୟାନ ନଦେଇ ସେ ନିଜ କାମରେ ଲାଗିପଡିଲେ । 

    ସମୟ ଦିନ ନଅଟା । କାମବାଲୀ କାମ କରି ଚାଲି ଗଲାଣି । ଶ୍ରୀୟାକୁ ଟିଫିନ୍ ଦେଇ ସେ ବାଥରୁମରେ ପଶିଲେ । ବାହାରିଲେ ଠାକୁର ପୂଜା ଅଛି । ଏମିତିରେ ବି ଆଜି ଡେରି ହୋଇ ଗଲାଣି । 

   ଅନିତା ପୂଜା ଘରେ ଅଛନ୍ତି, ଉମାକାନ୍ତ ଆସି ପହଞ୍ଚିଲେ । ଶ୍ରୀୟାକୁ ପଚାରିଲେ ମାମା କାହିଁ । ସେ କହିଲା ଠାକୁର ଘରେ । ଅପେକ୍ଷା ନକରି ସେ ଠାକୁର ଘର ଦ୍ୱାର ମୁହଁକୁ ଚାଲିଗଲେ । ପୂଜା ସରି ନାହିଁ । ପୁଣି ଆସି ଡାଇନିଂରେ ବସିଲେ । ସତେ ଯେମିତି ଅସ୍ଥିର ହୋଇ ପଡ଼ୁଛନ୍ତି ସେ । 

  କିଛି ସମୟ ପରେ ଅନିତା ପୂଜା ଘରୁ ବାହାରି ଡାଇନିଂକୁ ଆସିଲେ । ତାଙ୍କୁ ଦେଖୁ ଦେଖୁ, ଉମାକାନ୍ତ କହି ପକାଇଲେ, ହେଇଟି ଶୁଣୁଛ ! ମୁଁ ଆଜି ଫାଇନାଲ କରି ଦେଲି । ଆମେ ସେ ଘର ନେବା । ମୁଁ ଏବେ ଯାଇ ସେ ଲୋକକୁ ପଚାଶ ହଜାର ଆଡଭାନ୍ସ ବି କରି ଦେଇ ଆସିଲି । ସେ ଆଉ କାହାକୁ ସେ ଘର ବିକ୍ରି କରିବନି । ଅନିତା ସବୁ ଶୁଣି ନ ଶୁଣିବା ପରି ରହିଲେ । ତାଙ୍କ ବ୍ୟବହାର ଦେଖି ଉମାକାନ୍ତଙ୍କ ମଥା ଗରମ । ବିରକ୍ତି ହୋଇ କ'ଣ ସବୁ କହି କହି ପରିବା ଆଣିବାକୁ ବାହାରିଗଲେ ।  

    ସେଦିନ ମା' ଦୁର୍ଗାଙ୍କ ଷଷ୍ଠୀ ପୂଜା । ପୂଜା ଛୁଟି ପରେ ଘର ରେଜିଷ୍ଟ୍ରି ହେବ । ଉମାକାନ୍ତ ଟଙ୍କା ଯୋଗାଡ କରୁଛନ୍ତି । ଏତେ ଦିନକେ ତାଙ୍କ ଇଚ୍ଛା ପୂରଣ ହେବାକୁ ଯାଉଛି । ମନ ତେଣୁ ଖୁବ୍ ଖୁସି । ଖାଲି ବେଳେ ବେଳେ ବିରକ୍ତି ହୁଅନ୍ତି ଅନୀତାଙ୍କ ଉପରେ । କହନ୍ତି ମୋର କୈାଣସି କାମରେ ତମେ ଖୁସି ନୁହଁ । ମୁଁ କ'ଣ ଏସବୁ ମୋ ପାଇଁ କରୁଛି । ସବୁ ତୁମମାନଙ୍କ ପାଇଁ । 

   ଏଥର ତାଙ୍କ କଥାକୁ ଅଧାରୁ ରଖି ଅନୀତା କୁହନ୍ତି, ମୋର ସେ ଘର ଦରକାର ନାହିଁ । ମୁଁ ଆଗ ଛୁଆର ଭବିଷ୍ୟତ ଚାହେଁ । ଗୋଟିଏ ତ ଛୁଆ । ଆସନ୍ତା ବର୍ଷ ମ୍ୟାଟ୍ରିକ ଦେବ । ତା' ପାଇଁ ଏବେ ଅନେକ ଖର୍ଚ୍ଚ । ସେ କଣ ପଢ଼ିବ ନ ପଢ଼ିବ ସେ ଚିନ୍ତା । ଘରରୁ କ'ଣ ମିଳିବ, ସେ ଯଦି ପାଠ ପଢି ମଣିଷ ନହେଲା ! ଅଯଥା ୟାକୁ ତାକୁ ଟଙ୍କା ଦେଇ ନଷ୍ଟ କରୁଛି । ଆଜିକାଲି ଲୋକଙ୍କୁ କି ଭରସା । ଟଙ୍କା ନେଇ ଫେରାର ହୋଇଯିବେ । ଟଙ୍କା ହିଁ ସବୁ କଥାର ମୂଳ । ଟଙ୍କା ହିଁ ଶତୃ । ଟଙ୍କା ପଇସା ଝମେଲାରୁ ଦୂରରେ ରହିବା ଉଚିତ । ହେଲେ ମୋ କଥା ନଶୁଣି ତମେ ତମର ମନ ଇଛା କାମ କରି ଚାଲିଛ । କିଛି ଅସୁବିଧା ହେଲେ ତେଣିକି ମୋତେ କହିବନି । 

   ଉମାକାନ୍ତ ଚୁପ୍ । ଅନୀତା ସତ କହୁଛନ୍ତି । ନିଜର ଏହି ଗୁଣ ଯୋଗୁଁ ସେ ଅନେକ ଥର ଧୋକା ଖାଇଛନ୍ତି । କେବେ ନିଜ ଲୋକଙ୍କ ଠାରୁ କେବେ ବାହାର ଲୋକଙ୍କ ପାଖରୁ । ଏଥର କିନ୍ତୁ ତାଙ୍କର ଦୃଢ଼ ବିଶ୍ୱାସ ସେମିତି କିଛି ହେବ ନାହିଁ । ଯାହା ହେବ ଭଲ ହେବ । 

   ଯୋଗକୁ ସେଦିନ ପୂଜା ବଜାରରେ ସୁତନୁ ସହ ଉମାକାନ୍ତଙ୍କ ଦେଖା ହୋଇଗଲା । ସେ ତାଙ୍କ ସାନ ଭାଇର ସାଙ୍ଗ । ଟାଉନ ଥାନାରେ ଏସ୍.ଆଇ ଅଛି । ଉମାକାନ୍ତ ତାକୁ ଜୋର କରି ଘରକୁ ଡାକି ଆଣିଲେ । ପିଲାଟା ଭଲ । କଲେଜ ପଢୁଥିବା ସମୟରେ ରେଗୁଲାର ତାଙ୍କ ଘରକୁ ଯିବା ଆସିବା କରୁଥାଏ । ଅନିତା ତାକୁ ଦେଖୁ ଦେଖୁ ଖୁସିରେ ପାଛୋଟି ନେଲେ । ଉମାକାନ୍ତ ସୁତନୁ ସହ କଥା ହେଉ ହେଉ, ଅନୀତା ଚା ଜଳଖିଆ ନେଇ ହାଜର । 

    କଥା ବାର୍ତ୍ତା ମଝିରେ ସୁତନୁ ପଚାରିଲା ଭାଇ, ଘର ଫର କଲେଣି ନା ନାହିଁ । ଉମାକାନ୍ତ କହିଲେ ନାଁରେ, ଘରଟେ ଦେଖିଛି । ମୋ ଦ୍ବାରା ଘର ତିଆରି ହୋଇ ପାରିବନି । ଭାବୁଛି ଘର ସହ ଜାଗାଟେ କିଣି ନେବି । ଗୋଟେ ଘର ନେଇ କଥା ଚାଲିଛି । ଏକ ପ୍ରକାର ଫାଇନାଲ ବି ହୋଇ ଯାଇଛି କହିଲେ ଚଳେ । ଆଡଭାନ୍ସ କରି ଦେଇଛି । ପୂଜା ପରେ ରେଜିଷ୍ଟ୍ରି କରି ନେବି ବୋଲି ଭାବୁଛି । 

    ସୁତନୁ ପଚାରିଲା କୋଉଠି କିଣୁଛନ୍ତି । ଉମାକାନ୍ତ କହିଲେ ସେଇ ପୁରୁଣା ବସଷ୍ଟାଣ୍ଡ ପଛର ଯେଉଁ ଶିବ ମନ୍ଦିରଟାଏ ଅଛି । ତା'ରି ପାଖରେ । କିଛି ସମୟ ସୁତନୁ କ'ଣ ଭାବିଲା । ପୁଣି କହିଲା, ସେଇ ଗୋଲାପି ରଙ୍ଗର ଘରଟା ନୁହେଁ ତ । ଉମାକାନ୍ତ କହିଲେ ହଁ ହଁ, ତୁ କେମିତି ଜାଣିଲୁ । 

   କିଛି ସମୟ ଚୁପ୍ ରହି ସୁତନୁ କହିଲା, କାହାକୁ କେତେ ଟଙ୍କା ଦେଇଛନ୍ତି । ସେଇ ଗେଡା ହୋଇ ମୋଟା ଲୋକଟିକୁ ନୁହେଁ ତ । ଉମାକାନ୍ତ ସେତେବେଳେକୁ ବ୍ୟସ୍ତ ହୋଇ ପଡିଲେଣି । କହିଲେ ଏତେ କଥା କ'ଣ ପାଇଁ ପଚାରୁଛୁ । କ'ଣ ହୋଇଛି କହୁନୁ । ମୁଁ ପଚାଶ‌ ହଜାର ଆଡଭାନ୍ସ ଦେଇଛି । ବାକି ଟଙ୍କା ରେଜିଷ୍ଟ୍ରି ପରେ ଦେବି । 

   ଏଥର ସୁତନୁ ଉମାକାନ୍ତଙ୍କ ଆଶଙ୍କାକୁ ଆଉ ବଢ଼ିବାକୁ ନଦେଇ କହିଲା ଭାଇ, ଯିଏ ବି ଆପଣଙ୍କୁ ସେ ଘର ଦେଖାଇଛି ବା ସେ ଦଲାଲ୍ ସହ ପରିଚୟ କରାଇଥିଲେ,ସେ ଆପଣଙ୍କ ହିତାକାଂକ୍ଷୀ ତ ହୋଇନଥିବେ । ନହେଲେ କ'ଣ ଜାଣି ଶୁଣି ଆପଣଙ୍କୁ ବିପଦରେ ପକାଇ ଥାନ୍ତେ । ସେ ଲୋକ ସେଇ ଘରକୁ ବିକିବା ପାଇଁ ଆପଣଙ୍କ ଭଳି ପାଞ୍ଚ ଜଣଙ୍କ ପାଖରୁ ଆଡଭାନ୍ସ ନେଇ ଫେରାର । ତା' ନାଁରେ ଆଜି ସକାଳେ ଟାଉନ ଥାନାରେ କଂପ୍ଲେନ ରେଜିଷ୍ଟର ହୋଇଛି । ଆପଣଙ୍କ ଭାଗ୍ୟ ଭଲ ଆପଣଙ୍କଠୁ ପଚାଶ ହଜାର ନେଇଛି । ଅନ୍ୟମାନଙ୍କ ଠାରୁ, କାହପାଖରୁ ଦୁଇ ଲକ୍ଷ କାହାଠାରୁ ପାଞ୍ଚ ଲକ୍ଷ, ଏମିତି ନେଇଛି । ସେ ଘର ତା'ର କେଉଁ ରିଲେଟିଭର ବି ନୁହେଁ । ସେ କେବଳ ମିଛ କହି ଜାଲି କାଗଜପତ୍ର ଦେଖାଇ ଲୋକଙ୍କୁ ଯାହା ଠକିଛି । ଏବେ ତ ରାତି ହେଲାଣି । ମୁଁ ଆସୁଛି । କାଲି ସକାଳେ ଆପଣ ଆସନ୍ତୁ । ଆମେ ମଧ୍ୟ ଏଫ. ଆଇ.ଆର ଟେ ଦେଇ ଦେବା । ଖୋଜା ତ ଚାଲିଛି । ଧରାପଡିଲେ ତେଣିକି ଟଙ୍କା କଥା ଦେଖିବା । 

   ସେଦିନ ରାତିରେ ଉମାକାନ୍ତଙ୍କ ଆଖିରେ ନିଦ ନଥିଲା । ଭାବୁଥିଲେ କେତେ ତଳକୁ ଓହ୍ଲେଇ ଆସନ୍ତି ଲୋକେ, ସାମାନ୍ୟ କିଛି ଟଙ୍କା ପାଇଁ । ନିଜ ମଉସା ତାଙ୍କୁ ନେଇ ସେ ଦଲାଲ୍ ସହ ଯୋଗାଯୋଗ କରେଇ ଥିଲେ । ଆଉ କାହାକୁ ସେ କହିବେ ! ସତରେ ଆଜି ଯାଏଁ ସେ ଲୋକ ଚିହ୍ନି ପାରିଲେନି । ଘର ଢ଼ିଙ୍କି କୁମ୍ଭୀର । ଘରେ ହିଁ ଶତୃ ଥିଲେ ମଣିଷ ଆଉ କ'ଣ କରିବ ! କାହାଠାରୁ ଦୂରରେ ରହିବ ! 

    ଆଜିର ଘଟଣା ପରେ ସେ ଅନୀତାଙ୍କୁ ମୁହଁ ଦେଖାଇବାର ଅବସ୍ଥାରେ ନଥିଲେ । ମନେ ମନେ କହୁଥିଲେ,ଅନୀତା ଠିକ୍ କଥା କୁହନ୍ତି । ଏସବୁ କାମ ଆମ ପାଇଁ ନୁହେଁ ।      



Rate this content
Log in

Similar oriya story from Tragedy