୨ ଟଙ୍କିଆ ଅମୃତାଞ୍ଜନ
୨ ଟଙ୍କିଆ ଅମୃତାଞ୍ଜନ
" କେତେଥର ମାଇକିନିଆଟାକୁ କହିଲିନି , ଟିକେ ଭଲ ଡାକ୍ତର ବାବୁଙ୍କୁ ଦେଖାଓ । ହେଲେ ମାଇକିନିଆଟା କାହିଁ ଶୁଣିବ ମୋ କଥା ! ୨ ଟଙ୍କିଆ ଅମୃତାଞ୍ଜନଟା ମୁଣ୍ଡରେ ଘସିଲେ ସବୁ ଠିକ ହୋଇଯିବ ବୋଲି କୁହେ । କଣ ଥଣ୍ଡାରୁ ଟିକେ ମୁଣ୍ଡ ବିନ୍ଧୁଚି , ଏତେ ବ୍ୟସ୍ତହେଲେ ଚଳିବ ! ସେଦିନ ଜୋର କରି ଡାକ୍ତର ବାବୁଙ୍କ ପାଖକୁ ନେବାକୁ ବାହାରିଲା ବେଳକୁ ଶ୍ରୀମତୀ ଘରେ ନାହାନ୍ତି । ସନ୍ଧ୍ୟାରେ ଘରକୁ ଫେରିଲେ । ପଚାରିବାରୁ କହିଲେ ଯଦି ମୋତେ ଡାକ୍ତର ପାଖକୁ ଯିବାକୁ କହିବ , " ଆଜି ସିନା ଫେରିଆସିଲି ହେଲେ ଦିନେ କୁଆଡେ ହଜିଯିବିଯେ ଯେତେ ଖୋଜିଲେ ବି ମିଳିବିନି " । ସେଦିନଠୁ ମୁଁ କେବେ ଆଉ ଶ୍ରୀମତୀଙ୍କୁ ବାଧ୍ୟ କରିନି ଡାକ୍ତର ପାଖକୁ ଯିବାକୁ ।
ସକାଳୁ ସନ୍ଧ୍ୟା ଯାଏ କେତେ କାମ ! ଦୁଇ ଦୁଇଟି ଗାଈ କୁ ଦୁହିଁବା , ତାଙ୍କ ଗୋବର ସଫା କରିବା । ଦୁଇଟି ପିଲାଙ୍କ ପାଇଁ ଜଳଖିଆ , ତାଙ୍କ କପଡା ସଫା କରିବା , ମୋ ପାଇଁ ବିଲକୁ ଖାଇବା ନେଇକରି ଯିବା , ଏମିତି କେତେ କଣ । କାମ କରି ଶ୍ରୀମତୀ ମୋହର ଯେତେବେଳେ ବିଛଣାକୁ ଯାଆନ୍ତି , " ସେତେବେଳେ ମୁଣ୍ଡରେ ମେଞ୍ଚେ ୨ଟଙ୍କିଆ ଅମୃତାଞ୍ଜନ ବୋଳି ମୋତେ ମୁଣ୍ଡ ଚିପିବାକୁ କୁହନ୍ତି " । ଧୀରେ ଗଳାରେ କୁହନ୍ତି - ତୁମ ହାତ ଆଉ ଅମୃତାଞ୍ଜନରେ ଯେଉଁ ଶାନ୍ତି , ସେ ବଡ଼ବଡ଼ିଆ ଡାକ୍ତର ବାବୁଙ୍କ ପାଖରେ କୋଉଠୁ ଆସିବ ? ଯଦି ଡାକ୍ତର ଦେଖାରେ ପଇସା ସରିବ , ମୋ ପିଲାମାନେ ମଣିଷ ହେବେ କେମିତି ? ତାଙ୍କ ପାଠ ପଢା ଖର୍ଚ୍ଚପାଇଁ ଟଙ୍କା ଦେବ କିଏ ? ତାଙ୍କୁ ସେହି ୨ଟଙ୍କିଆ ଅମୃତାଞ୍ଜନରେ କି ଶାନ୍ତି ମିଳେ କେଜାଣି ? ଚିରନିଦ୍ରାରେ ଶୋଇ ସକାଳେ ପୁଣି କାମରେ ଲାଗିପଡନ୍ତି ।
ପିଲାମାନେ ବାହାସାହା ହୋଇ ଗୋଟେଗୋଟେ ପିଲାଙ୍କର ବାପ ହେଲେନି । ସେଦିନ ଶ୍ରୀମତୀଙ୍କର ମୁଣ୍ଡଟା ପ୍ରବଳ ବିନ୍ଧୁଥିଲା ," ହେଲେ ସେହି ଗୋଟିଏ କଥା ଡାକ୍ତରଙ୍କ ପାଖକୁ ଯିବେନି । ମୁଁ ବି ଘରେ ଖାଇବା ପିଇବା ବନ୍ଦ କରିଦେଇଥିଲି ।
-- ମୋ ବଡ଼ ବୋହୂ କହିଲା , " ଇଲୋ ମା " କେତେ ରଙ୍ଗ ହେଉଛନ୍ତି ଏମାନେ ? ଏଇ ବୟସେ ପୁଣି ରାଗରୁଷା ... ଘଇତା - ମାଇପେ ଦୁଇଟା ଯାହା ହେଉଛନ୍ତି , ଲାଗୁଛି ଯୌବନ ଫେରିଆସୁଛି ! ଲାଜ ନାହିଁ ଯାହା ଦୁଇଟାଙ୍କୁ ...
ବଡ଼ବୋହୂ କହୁଥିବା କଥା ଗୁଡିକ ଶ୍ରୀମତୀ ମୋହର ଶୁଣିପାରିଥିଲେ କଣ , ପରିଶେଷରେ ଡାକ୍ତର ଖାନାକୁ ଯିବାକୁ ରାଜିହେଲେ ।
ଡାକ୍ତରଙ୍କ ରିପୋର୍ଟ ଦେଖି ମୁଁ ତାଜୁବ ରହିଲି , ଶ୍ରୀମତୀ ମୋର ଭୟଙ୍କର ବ୍ୟାଧି ବ୍ରେନ ଟ୍ୟୁମରରେ ପୀଡିତ । ଯଥାଶୀଘ୍ର ଅପେରସନ କରିବାକୁ ପଡିବ ନହେଲେ କେତେବେଳେ କିଛିବି ହୋଇଯାଇ ପାରେ ! ଦୁଇ ପୁଅଙ୍କୁ ଟଙ୍କା ପାଞ୍ଚ ଲକ୍ଷମାଗିବାରୁ ବଡ଼ ପୁଅ କହିଲା ---
---- ମୋ ପାଖରେ ଟଙ୍କା ଅଛି , ହେଲେ ସେତ ମୋ ବିଜିନେସ ପାଇଁ ... ମୋର ଗୋଟିଏ ବୋଲି ଝିଅ , ତାହାର ବି ଭବିଷ୍ୟତ ଅଛି... ଏତେ ଗୁଡିଏ ଟଙ୍କା ମୁଁ ତୁମକୁ ଦେଇପାରିବିନି , କହିପାରିବତ ମୁଁ ଦୁଇ ତିନି ହଜାର ସାହାଯ୍ୟ କରିପାରିବି । ବଡ଼ ପୁଅର କଥା ଶୁଣି ବଡ଼ ବୋହୂ ବହୁତ ଖୁସି ହେଉଥିଲା , ଆଉ ମନେମନେ କହୁଥିଲା ଯାହାହେଉ ମୁଁ ଘୋଷାଇଥିବା ଡାଇଲଗ ଗୁଡିକ ସ୍ୱାମୀତାଙ୍କର ପ୍ରବଗ୍ଧ ଭାବେ କହିଗଲେ ।
ବଡ଼ ପୁଅର ପାଳିପରେ ସାନ ପୁଅ କହିଲା --- ମୋ ଶାଳୀର ବାହାଘର ପାଇଁ ଟଙ୍କା ଦରକାର , ଏମିତିରେ ବୋଉ ଆଉ ବଞ୍ଚିକି କଣ କରିବ ? ଅଯଥାରେ ତା" ପଛରେ ଟଙ୍କା ଉଡାଇବା ବୃଥା । ମୁଁ ଶୁଣିଛି ତୁମେ କାଳେ ଜମି ବିକିବ ? ଭଲରେ ଭଲରେ ମୋ ବାଣ୍ଟ ଜମିରେ ହାତ ମାରିବନି । ବଡ଼ଭାଇ ବାଣ୍ଟଜମିରେ ଯାହା କରିବା କଥା କର ।
ଭାଷା ନ ଥିଲା ମୋ ପାଖରେ କହିବାକୁ , ଦାରୁଭୁତ ଭଳି ମୁଁ ଚାହିଁରହିଥିଲି ମୋ ଦୁଇ ପୁଅଙ୍କୁ ଆଉ ଶୁଣୁଥିଲି ମା" ପ୍ରତି ଥିବା ତାଙ୍କର ଦରଦୀଭରା କଥାକୁ ..
---- ସାବାସ ପୁଅ ସାବାସ , ଯେଉଁ ମା" ତୁମ ଦୁଇଟାଙ୍କୁ ମଣିଷ କରିବା ପାଇଁ ମୁଣ୍ଡରେ ୨ଟଙ୍କିଆ ଅମୃତାଞ୍ଜନ ବୋଳି ସବୁ କଷ୍ଟ ସହିଗଲା , ଆଜି ତୁମ ବିଜିନେସ ଆଉ ଶାଳୀ ତା" ଠାରୁ ବଡ଼ ହୋଇଗଲେ ? ତୁମଭଳିଆ ପୁଅ ଯୁଗେଯୁଗେ ଜନ୍ମ ନିଅନ୍ତୁ ଆଉ ତୋ ମା" ବି ।
ସେଦିନ ସନ୍ଧ୍ୟାରେ ଶ୍ରୀମତୀ ବହୁତ ବ୍ୟସ୍ତ ହେଉଥିଲେ , ମୁଣ୍ଡମୁଣ୍ଡ ବୋଲି ଚିତ୍କାର କରୁଥିଲେ , ଆଜି ଆଉ ୨ଟଙ୍କିଆ ଅମୃତାଞ୍ଜନ କାମ କରୁନଥିଲା । ଠିକ ଏହି ସମୟରେ ସାନବୋହୂ ଆସି କହିଲା --- ଏ ବୁଢ଼ୀ ଟିକେ ଧୀରେ ଚିଲେଇଲେ କଣ ହେବେନି ! ମୁଁ ଶାଶୁ ବୋହୂ ସିରିଏଲଟା ଦେଖିଲାବେଳକୁ , ଖାଲି ମରିଗଲି ମରିଗଲି ବୋଲି ହଉଚି । ଏ ବୁଢ଼ୀଟା ଲାଗି ସିରିଏଲଟା ଭଲକରି ଦେଖିହେଲାନି ଆଜି ।
ସାନ ବୋହୂର କଥା ଉପରେ ଅଭିମାନ କରି ମାଇକିନିଆଟା ମୋହର ସବୁଦିନ ପାଇଁ ଚିଲେଇବା ବନ୍ଦ କରିଦେଇଥିଲା । ବୋଉ ମଲାମଲା ବୋଲି ଦୁଇ ପୁଅ ତଳେ ଗଡ଼ିପଡୁଥିଲେ । ବୋହୂ ମାନଙ୍କର କେତେ ରଙ୍ଗୀନ କାନ୍ଦଣା । ସବୁ କାନ୍ଦଣା ମୋତେ , ଏଇ ଯୋଉ ଓଡ଼ିଆ ଗୀତିକାର ହ୍ୟୁମାନ ସାଗରର ଗୀତ ଭଳି ଲାଗୁଥିଲା । ଆଉ ଅଭିନୟ " ହାତୀ ନେ ଘୋଡା ନେ ମୋ ପେଁକାଳୀ ବଜାଇ ଦେ " ର " ସାବି " ବୁଢ଼ୀର ଚରିତ୍ର ଭଳି ଲାଗିଥିଲା ।
ସେଦିନ ରାତିରେ ମୋ ମୁଣ୍ଡଟା ବ୍ୟସ୍ତହେବାରୁ , ମୁଁ ଛାତ ଉପରକୁ ଚାଲିଗଲି । ମୁଣ୍ଡରେ ଶ୍ରୀମତୀଙ୍କର ବଂଚିଥିବା ୨ଟଙ୍କିଆ ଅମୃତାଞ୍ଜନ ବୋଳି , ଛାତ ଉପରେ ସୋଇଥାଏ । ଆଖିପତା ଖୋଲୁଥାଏ ପୁଣି ବନ୍ଦ କରୁଥାଏ । ଦେଖିଲି ତାରାଟିଏ ଆକାଶରୁ ଖସି ପଡୁଛି । କାଳ ବିଳମ୍ବ ନକରି ମାଗିଲି , " ହେ ମହର୍ଷି ମୋତେ ମୋ ଶ୍ରୀମତୀଙ୍କ ପାଖକୁ ନେଇଯାଅ " କିଛି ସମୟ ପରେ ବଡ଼ ପୁଅ କହୁଥିଲା :- ଭଲ ହୋଇଛି ଏକାଦିନରେ ବୁଢ଼ାବୁଢ଼ୀ ଦୁଇଟା ମରିଗଲେ , ଅଯଥା ଖର୍ଚ୍ଚରୁ ମଣିଷ ବଂଚିଗଲା I ମୁଁ କଣ ସତରେ ମରିଯାଇଛି ? ହଁ ମୁଁ ମରିଯାଇଛି ! ମୋ ଶ୍ରୀମତୀ ଆସି ମୋ ହାତ ଧରି ନେବାକୁ ଚାହୁଁଥିଲେ ଗୋଟେ ଅଲଗା ଦୁନିଆକୁ ।
ଯିବାପୂର୍ବରୁ ଆଉଟିକେ ମୋ ମୃତ୍ୟ ଶରୀରଟାକୁ ବୁଲି ଚାହିଁଲି .. ସାନ ପୁଅ ମୋ ତକିଆ ଫକିଆ ସବୁ ଅଣ୍ଡାଳୁ ଥାଏ .. କାଳେ ବାପା କୋଉଠି କିଛି ରଖିଥିବେ I ନା ଶଳା ବୁଢ଼ା କିଛି ରଖିନି I କୋକେଇ ବନ୍ଧା ସରିଥାଏ I ମୋତେ ଟେକିଟେକି କୋକେଇ ପାଖକୁ ନେବାବେଳେ ବଡ଼ ପୁଅ ମୋ ଅଣ୍ଟାରେ ହାତ ମାରିଲା .. କିଛି ଗୋଟେ ଅଛି ବୋଧେ ? ଦେଖିଲା ବେଳକୁ ସେହି ୨ଟଙ୍କିଆ ଅମୃତାଞ୍ଜନ I ତାକୁ ବାହାର କରି ନିଜ ପକେଟ ଭିତରେ ପୁରାଉ ପୁରାଉ କହିଲା I ଆଜି ପୁଣିଥରେ ଗାଧୋଇବାକୁ ପଡିବ , ରାତିରେ ଶୋଇଲା ବେଳକୁ ୟାକୁ ମୁଣ୍ଡରେ ମାରି ଶୋଇବି I ଏହାଭିତରେ ମୋତେ ହେଂସ ଭିତରେ ରଖି ଦଉଡି ଭିଡି ସାରିଥିଲେ ... ଆଉ ମୁଁ ମନ ଦୁଃଖରେ ଶ୍ରୀମତୀଙ୍କୁ କହୁଥିଲି ," ତୁମର ପ୍ରିୟ ୨ଟଙ୍କିଆ ଅମୃତାଞ୍ଜନ ଟା ମୁଁ ଆଣି ପାରିଲିନି , ବଡ଼ ପୁଅ ମୋ ଅଣ୍ଟାରୁ ନେଇଗଲା । ସ୍ୱର୍ଗରେ ୨ଟଙ୍କିଆ ଅମୃତାଞ୍ଜନ ମିଳିବ ତ ? ପିଲା ନିଅନ୍ତୁ, ଏହା କାହି ଶ୍ରୀମତୀ ମୋହର ହାତକୁ ଧରି ଚାଲିଲେ କେଉଁ ଅଜଣା ରାଇଜକୁ , ଯେଉଁଠି ୨ଟଙ୍କିଆ ଅମୃତାଞ୍ଜନ ମିଳେକି ନାହିଁ ମୁଁ ଜାଣେନା !!!!
