ଯୁଗେ ଯୁଗେ ମହାଲକ୍ଷ୍ମୀ
ଯୁଗେ ଯୁଗେ ମହାଲକ୍ଷ୍ମୀ
ଜୟଜୟ ମହାଲକ୍ଷ୍ମୀ ସିନ୍ଧୁ ନନ୍ଦିନୀ
କମଳା କମଳପ୍ରିୟା କମଳାସନୀ ।
ଅସୀମ ମହିମାମୟୀ ଜଗତ ମାତା
ଏ ପାଣି ପବନ ଗାଏ ତୁମରି ଗାଥା ।
ସନ୍ତାନ ର ଦୁଃଖ ଜମା ପାରନି ସହି
ଦୁଃଖ ଦୂରକର ମାଆ କରୁଣା ବହି ।
କ୍ଷୀର ସାଗର ତନୟା ବିଷ୍ଣୁ ଘରଣୀ
ପ୍ରଭୁଙ୍କ ମହାଶକତି ମା ନାରାୟଣୀ ।
ପ୍ରଭୁନେଲେ ଅବତାର ଧରା ଧାମରେ
ମାଆ ଆସ ଅବତରି ତାଙ୍କ ସାଥିରେ ।
ପ୍ରଭୁ ହେଲେ ରାଜା ରାମ ତୁମେତ ସୀତା
ଗୋପପୁରେ କାହ୍ନୁ ସାଥେ ହୋଇଲ ରାଧା ।
ରୁକ୍ମୁଣୀ ରୂପରେ ଯେବେ ଜନମ ନେଲ
ମଥୁରାରେ କୃଷ୍ଣଙ୍କର ରଣୀ ହୋଇଲ ।
ଜନ୍ମ ନେଇ କରିଅଛ ଲୌକିକ ଲିଳା
ଦେହବହି ସହିଅଛ ସ°ସାର ଜ୍ବଳା ।
ଜନ୍ମ ପରେ ମୃତ୍ୟୁ ପୁଣି ଆସଇ ଦିନେ
ଯୁଗଯୁଗ ଧରି ଧରା ରଖଇ ମନେ ।
ଜଗତର ପିତାମାତା ଜଗତ ହିତେ
ଜଗତ ପାଳ ରହି ସାଥେ ସାଥେ ।
ବେଦରେ ହୋଇଛି ତୁମ ଗୁଣ କିର୍ତ୍ତନ
ଶହଶ୍ର ନାମ ଭଖାଣେ ସ୍କନ୍ଦପୁରାଣ ।
ଶାକ୍ତ ଉପନିଷଦ କୁ ଗରୁଡ ଗୀତା
ବିଷ୍ଣୁ ପୁରାଣରେ ଲେଖା ତୁମରି ଗାଥା ।
ରାମାୟଣ ହରିବଂଶ ମହାଭାରତ
ସବୁ ପୁରାଣରେ ଲେଖା ତୁମ ଚରିତ।
ଅମରକୋଷ ର ସେହି ଅମୃତ ବାଣୀ
ତୁମରି ନାମ ଅନେକ ଯାଏ ବଖାଣି ।
ଲକ୍ଷ୍ମୀ ପଦ୍ମାଳୟା ପଦ୍ମା ଶ୍ରୀହରି ପ୍ରିୟା
ଈନ୍ଦିରା କମଳା ମା କ୍ଷୀରାବ୍ଧୀ ତନୟା ।
କହେ ବଳରାମଙ୍କର ଲକ୍ଷ୍ମୀ ପୁରାଣ
ଲକ୍ଷ୍ମୀଛଡାହେଲେ ମିଳେ କେତେ କଷଣ ।
ତୁମକୁ ତେଜିଲେ ବୋଲି ଜଗତ ନାଥ
ବୁଲିଲେ ବାରଦୁଆର ହୋଇ ଅନାଥ ।
ମିଳିଲାନି ଅନ୍ନ ଜଳ କେଉଁଠି କାହିଁ
ଲକ୍ଷ୍ମୀଛଡା ଅପନିନ୍ଦା ପାଇଲେ ସେହି ।
ଅନୁତାପ କରି ଶେଷେ କଳା ଗୋସାଇଁ
ସସମ୍ମାନେ ଦେଉଳକୁ ନେଲେ ଫେରାଇ ।
ତୁମରି ଆଶିଷେ ମାଆ ହସେ ଧରଣୀ
ଲୋକ ମାତା ଲୋକ ହିତା ଜନନୀ ।
ମାଆଗୋ ଅଦ୍ଭୂତ ତୁମ ଜନ୍ମ ବୃତାନ୍ତ
ସମୁଦ୍ର ମନ୍ଥନ କାଳେ ହୋଇଲ ଜାତ ।
ଅମୃତ ପସରା ଧରି ଉଭା ହୋଇଲ
ସେ ଅମୃତେ ଦେବତାଙ୍କୁ ଅମର କଲ ।
ନାରାୟଣଙ୍କ ସାଥିରେ ହେଲା ମିଳନ
ଜଗତ ଗାଏ ଜୟ ଲକ୍ଷ୍ମୀ ନାରାୟଣ ।
ତ୍ରେତୟା ଯୁଗରେ ତୁମେ ମାଟିର ସୂତା
ଭୂମି ଗରଭୁ ଜନମି ହୋଇଲ ସୀତା ।
ଶ୍ରୀରାମ ରୂପରେ ପ୍ରଭୁ ଜନମନେଲେ
ଶିବଧନୁ ଭାଙ୍ଗି ତୁମ ମନ ମୋହିଲେ ।
ରଘୁ ବ°ଶ କୂଳବଧୂ ତୁମେ ହୋଇଲ
ପ୍ରଭୁ ଗଲେ ବନବାସେ ସାଥେ ରହିଲ ।
ଚଉଦ ବରଷ କାଳ କଠୋର ଦିନ
ଘୋର ଅରଣ୍ୟରେ ଗଲା ବିତି ଜୀବନ ।
ମାୟା କରି ଲଙ୍କାପୁରୀ ରାଜା ରାବଣ
ଭିକ୍ଷା ଦେହୀ କହି କଲା ତୁମ ହରଣ ।
ରାବଣକୁ ହତ୍ୟା କରି କୋଦଣ୍ଡଧର
ଅଶୋକ ବନୁ ତୁମକୁ କଲେ ଉଦ୍ଧାର ।
ସୀତାରାମ ସୀତାରାମ ଜପିଲେ ଭାବେ
ଶାନ୍ତିଯେ ମିଳଇ ପ୍ରାଣକୁ ଭବେ ...
ବ୍ରହ୍ମବୈବର୍ତ୍ତ ପୁରାଣ ଯାଏ ବଖାଣି
ରାଧାରାଣୀ ଙ୍କର ଜନ୍ମ କଥା କାହାଣୀ।
ଦ୍ବାପର ଯୁଗର କଥା କହେ ପୂରାଣ
ବୃଷଭାନୁ ବୋଲି ଥିଲେ ଜଣେ ରାଜନ ।
ଉଆସରେ ଭରା ତାଙ୍କ ଧନ ସମ୍ପତ୍ତି
ଦୁଃଖ ତାଙ୍କ ନିସନ୍ତାନ ରାଜ ଦମ୍ପତି ।
ରାଜା ଦିନେ ଯାଉଥିଲେ ପାରିଧି କରି
ଦେଖିଲେ କାଳିନ୍ଦୀ ହ୍ରଦ ମହକେ ଭାରି ।
ପଦ୍ମଫୁଲ ଫୁଟିଥାଏ କାଳିନ୍ଦୀ ସାରା
ଲାଗୁଥାଏ ହ୍ରଦ ସତେ ରଙ୍ଗ ପସରା ।
ବୃଷଭାନୁ ଆନନ୍ଦରେ ହେଲେ ବିଭୋର
ନିମିଷେ ଅଟକି ଗଲେ କାଳିନ୍ଦୀ ତୀର ।
ପୁଷ୍ପ ଗହଳରେ ରାଜା ଦେଖିଲେ ତହିଁ
ପଦ୍ମ ପତ୍ରେ ନବଜାତ କନ୍ୟା ଖେଳଇ ।
ନିସନ୍ତାନ ରାଜା ଦେଖି ଖୁସି ହୋଇଲେ
କନ୍ୟା ଟିକୁ ସାଥେ ନିଜ ଉଆସେ ନେଲେ ।
କନ୍ୟା ଟିକୁ ପାଇ ରାଣୀ ଆନନ୍ଦ ହେଲେ
ରାଧିକା ବୋଲି କନ୍ୟା ର ନାମ ରଖିଲେ ।
ଅଜୋନୀ ସମ୍ଭୂତା ପ୍ରେମମୟୀ ଶ୍ରୀରାଧା
କୃଷ୍ଣ ବିନା ତାଙ୍କ କାହାଣୀ ଅଧା
ତୁମ ନାମ ତୁମ ଧ୍ୟାନ ତୁମରି ସ୍ତୁତି
ଭରିଦିଏ ପରାଣରେ ଅପାର ଶାନ୍ତି ।
ମୁକତିର ପଥ ତୁମେ ଅଗତି ଗତି
ତୁମ ଲାଗି ନଥାଏ ମା କାହାକୁ ଭିତି ।
ସବୁରି ସ°ସାର ମାଆ ଭରି ଦେଇଛ
ଭକତର ସୁଖ ଦୁଃଖ ତୁମେ ବୁଝୁଛ ।
ତୁମେ ଜ୍ଞାନ ଧ୍ୟାନ ତୁମେ ପୂଜା ପାର୍ବଣ
ଦୟାକଲେ ମାଆ ଧନ୍ୟ ହୁଏ ଜୀବନ।
ହୃଦୟ ମନ୍ଦିରେ ମାଆ ବିରାଜ ତୁମେ
ସବୁ କାମ ଶୁଭ ହୁଏ ତୁମରି ନାମେ ।
ସନ୍ତାନ ବତ୍ସଳା ବୋଲି ଜଗତେ ଖ୍ୟାତ
ଶୂଭଲକ୍ଷ୍ମୀ ଜୟଲକ୍ଷ୍ମୀ ଉଡୁଛି ନେତ ।
ଉଚ୍ଚ ନିଚ୍ଚ ଭେଦଭାବ ନାହିଁ ତୁମର
ଲୋଡା ନିରିମଳ ମନ ଶ୍ରଦ୍ଧା ଅନ୍ତର ।
ଭକତର ହୃଦୟଟି ତୁମ ମନ୍ଦିର
ତୁମ ଲାଗି ଚଉଦିଗ ଲାଗେ ସୁନ୍ଦର ।
ତୁମେତ ଆଲୋକ ଶିଖା ସିନେହ ଡୋରି
ଭକ୍ତିରେ ଡାକିଲେ ଯାଏ ଅଭାବ ସରି ।
ମାଆ ମାଆ ବୋଲି ସାରା ଜଗତ ଘୋଷେ
କଅଁଳ ପରଶେ ସ°ସାର ହସେ ।
ସବୁ ଗୁରୁବାର ସେତ ତ ମାଆ ଙ୍କ ଦିନ
ଦୟାକଲେ ମା ବଢେ ଧନ ,ସମ୍ମାନ ।
ଭକ୍ତି ଭରେ ମାଆଙ୍କୁ ତ ପୂଜା କରିବ
ନିତି ନୀୟମ କୁ ସବୁ ମାନି ଚଳିବ ।
ଝିଅ ହେଉ ଅବା ବୋହୂ ଦେବଟି ଧ୍ୟାନ
ଗୁରୁବାର ଦିନର ସେ ବିଧି ବିଧାନ ।
ମୁଣ୍ଡ ତ ସେଦିନ ଜମା ଧୋଇବ ନାହିଁ
ହାତ ଅବା ପାଦ ନଖ କାଟିବ ନାହିଁ ।
ଘର ଝଡାଝଡି ପରା ମନା ସେଦିନ
ଅଳିଆ ତ ଫିଙ୍ଗିବନି ସେଦିନ ଜାଣ ।
ଉଦୟ ହେବା ଆଗରୁ କଅଁଳ ସୂର୍ଯ୍ୟ
ସାରିଦେବ ସହଳ ତ ଗାଧୁଆ କାର୍ଯ୍ୟ ।
ଗାଧୋଇବ ଦେହେ ମାଖି ତେଲ ହଳଦୀ
ପୂଜା ବ୍ରତ ହଳଦିଆ ଶାଢୀତ ପିନ୍ଧି ।
ଭୋଗ ପାଇଁ ହଳଦୀଆ ଅନ୍ନ ରାନ୍ଧିବ
ମାତାଙ୍କର ପ୍ରିୟ ଭାରି ହଳଦୀ ରଙ୍ଗ ।
ଘର ଦ୍ବାରେ ପକାଇବ ଯତନେ ଝୋଟି
ଫୁଲରେ ସଜାଇ ଦେବ ଧାନର ବେଣ୍ଟି ।
ମନ ଦେଇ ପଢିଲେ ରେ ଲକ୍ଷ୍ମୀ ପୁରାଣ
ମନବାଞ୍ଛା ନିଶ୍ଚେ ଜାଣ ହେବ ପୁରଣ ।