ଉତ୍କଳ ଦିବସ
ଉତ୍କଳ ଦିବସ
ଛୟାଅଶି ବର୍ଷ ପୂର୍ବେ ଆଜିର ଦିନରେ
ଗଢା ହେଲା ଆମ ରାଜ୍ୟ ଭାଷା ଆଧାରରେ ||
ପ୍ରଥମ ପ୍ରଦେଶ ସିଏ ଏପରି ହେବାରେ
ଓଡିଶା ନାମ ଟି ତା’ର ଭାରତ ଭିତରେ ||
ଉତ୍କୃଷ୍ଟ କଳାର ଦେଶ ନାମ ତା ଉତ୍କଳ
ପୁଷ୍କରିଣୀ ଭାରତରେ ସିଏ ଶତଦଳ ||
ଥିଲା ସେହୁ ଉଚ୍ଚ ସ୍ଥାନେ ଅତୀତ କାଳରେ
କାଳର କରାଳ ମୁଖୁ କେହୁ ବର୍ତ୍ତିପାରେ ?
ସମୟର ସ୍ରୋତ କ୍ରମେ ହେଲା ବିପରୀତ
ହରାଇଲା ନିଜ ସ୍ଥାନ ଏ ଜାତି ମହତ ||
କାଳର କୁଟିଳ ଗତି ଆଉ ନିଜ ଦୋଷେ
ଜାତ ହେଲେ ଅପଦାର୍ଥେ ବଂଶନାଶ ଅର୍ଥେ ||
ରଚି ନିଜ ନିଜ ମଧ୍ୟେ ସେହୁ ଘୋର କଳି
ଆବର ଆଣିଲେ ଡାକି ବିଦେଶୁ ବଇରି ||
ଜୟଚନ୍ଦ୍ର ମାନେ ଅବା ଶିଖି ବା ମନାଇ
କାଳେ କାଳେ ଜନମନ୍ତି ସବୁ ଦେଶେ ସେହି ||
ସହୋଦରେ ମରାଇଣ ଶେଷେ ନିଜେ ମଲେ
ସର୍ପ କି ଛାଡଇ ତାକୁ କ୍ଷୀର ପିଆଇଲେ ?
ବିଶାଳ ଭୂଖଣ୍ଡ ଆମ ବିଖଣ୍ଡିତ ହେଲା
ଗଂଗା ଠାରୁ ଗୋଦାବରୀ ଯାହା ବ୍ୟାପିଥିଲା ||
ନିଜ ତେଜ ବଳ ବୀର୍ଯ୍ୟ ଆବର ଯେ ଯଶ
ହରାଇ ଏ ବୀର ଜାତି ହୋଇଲା ଅବଶ ||
ମନ୍ତ୍ରର ସାଧନ ଅବା ଶରୀର ପାତନ
ଥିଲା ଯା’ର ମହାମନ୍ତ୍ର ସେହି ବୀର ଜନ ||
ପରାଧୀନ ହୋଇ ସେହି କେତେ କାଳ ଯାଏ
ଅବା ଗୋଡାଣିଆ ହୋଇ ଦିନ ସେ ବିତାଏ ||
ଅନାହାରେ ଅବା ଥାଇ ସେହୁ ଅର୍ଦ୍ଧାହାରେ
ପ୍ରପୀଡିତ ଅବା ଥାଇ ବନ୍ୟାରେ ବାତ୍ୟାରେ ||
ଅବା ଶତ୍ରୁର ପ୍ରକୋପେ ଥାଏ ଡରି ମରି
ଏହିପରି ବହି ଯାଏ ସମୟର ତରୀ ||
ଥିଲା ମାତ୍ର ଯଶ କୀର୍ତ୍ତି ପୂର୍ବ ପୁରୁଷର
ବଂଚିଥିଲା ଜନମୁଖେ ଲଭିଣ ଆଦର ||
ମୃତପ୍ରାୟ ବଂଚିରହି ଏ ଜାତି ଏ ମହାନ
କରୁଥିଲା ଖେଦ ମନେ ଅଶ୍ରୁ-ବିସର୍ଜନ ||
ଅପେକ୍ଷା ସେ କରୁଥିଲା ଭଗୀରଥ କେହି
ସ୍ୱର୍ଗରୁ ଆଣିବେ ଯେବେ ଗଙ୍ଗାଙ୍କୁ ଓହ୍ଲାଇ ||
ନିରନ୍ତର ଦଗ୍ଧ ହେଉଥିବା ପ୍ରାଣ ତା’ର&n
bsp;
ତା ଶୀତଳ ଜଳ ସ୍ପର୍ଶେ ଲଭିବ ନିସ୍ତାର ||
ଏହି ପରି ଗଲା ବିତି ଅନେକ ବରଷ
କାଳ ପ୍ରେରଣାରେ ହୁଏ ନୂତନ ଉନ୍ମେଷ ||
ଜନମିଲେ କୁଳବୃଦ୍ଧ ଆଉ କବିବର
ଜନ୍ମ ନେଲେ ସେନାପତି ସଂଗେ କର୍ମବୀର ||
ସ୍ୱଭାବର କବି ଆଉ ମଣି ଉତ୍କଳର
ପଲ୍ଲୀକବି କାନ୍ତକବି ବକ୍ସି ବୀରବର ||
ଜନ୍ମ ନେଲେ କେତେ କେତେ ମହାନ ପୁରୁଷ
ଲାଘବ କରିବା ପାଇଁ ଜନନୀର କ୍ଲେଶ ||
ଏକତ୍ରିତ କଲେ ନିଜ ପୁରୁଷାର୍ଥ ବଳେ
ବିଖଣ୍ଡିତ ଉତ୍କଳୀୟ ଭୂଖଣ୍ଡ ଯେ ଥିଲେ ||
ଦେଲେ ପୁଣି ଏ ଜାତିକୁ ତା’ର ମାତୃଭାଷା
ଯା ବିନା ଏ ଜାତି ଲଭୁଥିଲାଟି ଦୁର୍ଦ୍ଦଶା ||
ପୁନର୍ଜନ୍ମ ହେଲା ଆମ ନବ କଳେବରେ
୧୯୩୬ ଅପ୍ରେଲ୍ ପ୍ରଥମ ଦିନରେ ||
ଆମ ଠାକୁରଙ୍କ ପରି ଅଧାଗଢା ହୋଇ
ରହିଗଲୁ କିଛି କିଛି ଅଞ୍ଚଳ ହରାଇ ||
ଷଢ଼େଇକଳା ଓ ଖରସୁଆଁ ଆଦି ଯେତେ
ମେଦିନୀପୁର ଓ ଇଚ୍ଛାପୁର ସେହି ମତେ ||
ହୋଇଥିଲେ ସୁଦ୍ଧା ଉତ୍କଳୀୟ ଭାଷାବାସୀ
ବିଛିନ୍ନାଂଚଳ ବୋଲାଇ ହେଲେ ପରଦେଶୀ ||
କିନ୍ତୁ ଅଦୃଷ୍ଟର ଖେଳ କେ ଆନ କରିବ ?
ଯାହା ଭାଗ୍ୟେ ଲେଖାଥିବ ନିଶ୍ଚୟ ଫଳିବ ||
ଅଧାଗଢା ହୋଇ ବି ତ ଠାକୁର ଆମର
ଜଗତରେ ବୋଲାଅନ୍ତି ସବୁଠାରୁ ବଡ ||
ଅନୂରୁ ଅରୁଣ ମଧ୍ୟ ଅଧାଗଢା ହୋଇ
ତେଜସ୍ବୀ ସୂର୍ଯ୍ୟଙ୍କ ରଥ ଆକାଶେ ବାହଇ ||
ଏଣୁ ଅଧାଗଢା ବୋଲି ମନ ଉଣା କରି
ରହିଲେ ହବ କି ଭାଇ ଭାଗ୍ୟକୁ ଆଦରି ?
ପୂର୍ବ ପୁରୁଷର ଅଧାଗଢା କାର୍ଯ୍ୟମାନ
ପୂର୍ଣ୍ଣ କଲେ ମଣିଷର ହୁଏ ମହାପୁଣ୍ୟ ||
ତନୁ କ୍ଷୟ ମାତୃଭୂମି ମାତୃଭାଷା ପାଇଁ
କଲେ ମାନବ ଜୀବନ ସଫଳ ହୁଅଇ ||
ଆଜିର ଦିନରେ ଏହି ଅନୁଚିନ୍ତା ନେଇ
ସମୃଦ୍ଧ ଓଡିଶା ଗଢିବା ମନ ପ୍ରାଣ ଦେଇ ||
ସବୁ ବନ୍ଧୁମାନଙ୍କୁ ଉତ୍କଳ-ଦିବସର ପବିତ୍ର ଅବସରରେ ଅନେକ ଅନେକ ଶୁଭେଚ୍ଛା | ବନ୍ଦେ ଉତ୍କଳ ଜନନୀ |