ଉପହାର
ଉପହାର
ଉପହାର ମନେ ଖୁସି ଭରିଦିଏ
ଦିଏ କେବେ ଦୁଃଖ ଘୋର
କେବେ ଫୁଲ ପରି କୋମଳ ଲାଗଇ
କେବେ କଣ୍ଟାର ଜହର ।
କେବେ ତା' ବାସ୍ନାରେ ଦୁନିଆ ମହକେ
ସତେ ପାରିଜାତ ଫୁଲ
କେବେ ସେ ଯନ୍ତ୍ରଣା ଜୁଇର ଜ୍ବାଳାରେ
କରୁଥାଏ କଲବଲ ।
କେବେ ସିଏ ଏତେ ଭାରି ଲାଗିଯାଏ
ଝରାଏ ସେ ଆଖି ଲୁହ
ମରିବା ବଞ୍ଚିବା ସମାନ ଲାଗଇ
ଲିଭେନା ଛାତିର କୋହ ।
ଖୁସି ଉପହାର ଖୁସି ଭରିଦିଏ
ମନରେ ପୁଲକ ଆସେ
ଛଳନା କପଟ ଉପହାର ଯେତେ
ଘୃଣା ବିଦ୍ରୁପରେ ହସେ ।
ଆଶ୍ଚର୍ଯ୍ୟ ଲାଗିଲେ କଥା ମିଛ ନୁହେଁ
ମନ ମଧ୍ୟେ ଥରେ ହେଜ
ଉପହାର ଦେଖି ମଜ୍ଜି ନ ଯାଇଣ
ସେ ସ୍ମୃତି ଭିତରେ ହଜ ।
ସେ ସ୍ମୃତି କାହାଣୀ ଜଳଜଳ ହେଇ
ଆସିଯିବ ଆଖି କୋଣେ
ମନେ ପକେଇବ ଉପହାର ଦୃଶ୍ୟ
ଭୁଲେନି ସେ କେବେ ଜାଣେ ।
ସେମିତିକା ଉପହାର ପାଖେ ଥିଲେ
ବିଷ ତୁଲ୍ୟ ଲାଗୁଥାଏ
ଜୀବନର ସବୁ ସୁଖ ଶାନ୍ତି ସିଏ
ଅକ୍ଳେଶରେ ଲୁଟି ନିଏ ।
ନିଶ୍ଚିହ୍ନ କଲେ ବି ଭୁଲି ବି ହୁଏନା
ରହିଯାଏ ହେଇ ସ୍ମୁତି
ମନ ଇଲାକାରୁ ତାହାରି ଭାବନା
ହୁଏନା କେବେ ସେ ଇତି ।
ଉପହାର କାହାକୁ ଦେବାର ତ ନାହିଁ
ଦିଅ ନାହିଁ କେବେ ଜମା
ଏମିତିକା ଉପହାର ଦିଅ ନାହିଁ
ଯାହା ପାଇଁ ନ ଥିବ କ୍ଷମା ।
ଭଲ କର୍ମ ଭଲ ଉପହାର ଦିଏ
ମନ୍ଦ କର୍ମ ନିନ୍ଦା ଘୋର
ସେଇ ନିନ୍ଦା ଅପମାନ କ'ଣ କୁହ
ନୁହେଁ ଗୋଟେ ଉପହାର ।
ଉପହାର ଫୁଲମାଳରେ ନଥାଏ
ନ ଥାଏ ଦାମୀ ଜିନିଷେ
ସେଇ ଉପହାର ସବୁଠାରୁ ବଡ
ଥାଏ ଯେବେ ଓଠ ହସେ ।
ଉପହାର ମୂଲ୍ୟ ସେଇଠି ବଢଇ
ସେନେହ ମମତା ଥିଲେ
ଲୋକ ଦେଖାଣିଆ ଉପହାର ମୂଲ୍ୟ
ମାଟିରେ ମିଶଇ ଭଲେ ।
ଉପହାର ପାଖେ ମୂଲ୍ୟ ଦେଖ ନାହିଁ
ଦେଖ ଅନ୍ତରରେ ଖୁସି
ଛଳନା କପଟ ଉପହାର ଠାରୁ
ତା'ର ମୂଲ୍ୟ ଥାଏ ବେଶୀ ।
ମନ ହୃଦୟକୁ ଖୁସି ଉପହାର
ଯଦି କିଏ କେବେ ଦିଏ
ସେଇ ଉପହାର ଦେବନି କାହାକୁ
ଅଭୁଲା ସ୍ମୃତି ତ ସିଏ ।