STORYMIRROR

Dr.Sashi Bhushan Mohapatra

Romance

3  

Dr.Sashi Bhushan Mohapatra

Romance

ତୁମକୁ ପାରୁନି ଭୁଲି

ତୁମକୁ ପାରୁନି ଭୁଲି

1 min
221


ଶବ୍ଦସବୁ ଖଣ୍ଡିଉଡ଼ା ଦେଲେଣି

ତୁମ ପାଖକୁ ଉଡ଼ିଯିବାକୁ

ଈର୍ଷାର କତୁରୀରେ

କାଳେ କିଏ କାଟିଦେବ ଡେଣା

ସେଥିପାଇଁ ଓଠର ପାଖୁଡ଼ାରେ

ବାଛି ବାଛି ଶବ୍ଦ ସଜାଇ ରଖିଛି

ତୁମପାଇଁ ମାଳଟିଏ ଗୁନ୍ଥିବାକୁ |


ହୃଦୟର ଯନ୍ତ୍ରଣାସବୁ

ଆଷାଢର ନଈ ଭଳି ଫୁଲି ଫୁଲି

ଭାଙ୍ଗିଦିଏ ଛାତିର ବୁରୁଜ

ଯେତେ ବନ୍ଧ ବାନ୍ଧିଲେ ବି 

ମାନେନା, ସେ ଉଜାଣି ଜୁଆର |


ଦେଖାହେଲେ କହିବି

ଇନ୍ଦ୍ରଧନୁରେ ରଙ୍ଗ ଅଛି କେତେ

ଶାଶ୍ୱତ ପ୍ରେମର କେତେ ରଙ୍ଗ,

କହିବି ତୁମକୁ ମଳୟ କାନେ କାନେ

କହେ କେତେ କଥା,

ଜହ୍ନ କାହିଁକି ଖୁଣ୍ଟପୋତି

ଛିଡ଼ାହୁଏ ମଝି ଆକାଶରେ,

ବଗିଚାରେ ମନ୍ଦାର ଫୁଲରୁ

କେମିତି ଲାଲ ରଙ୍ଗ ଝରେ,

ଜଙ୍ଗଲରେ ପଲାଶ ଗଛରେ

କେମିତି ନିଆଁ ଲାଗେ,

ଶବ୍ଦମାନେ ଅମାନିଆ କାହିଁକି

ଖଟ ଖଟ କରିବାକୁ ତୁମ ମନ କବାଟ,

ଆସ ମୁଁ କହିବି

ମୋ ଦେହେ କେତେ ବୋଳା ପ୍ରେମ ରଙ୍ଗ |


ଯୋଜନ ଯୋଜନ ଦୂର

ଆକାଶର ସରହଦ ଡେଇଁ

ତୁମେ ତ ଛୁଇଁଛ ଆକାଶ ନୀଳିମା,

ସେ ନୀଳିମା ଆକାଶରେ

ଜହ୍ନର ପରତ ଥିବ

ତା' ସହ ତାରାଙ୍କ ଭିଡ଼,

ଏଠି କିନ୍ତୁ ତୁମେ ନାହଁ ବୋଲି

ମୋ ଆଖି ଆଗରେ ଝୁଲୁଛି ଅନ୍ଧାର |


ପ୍ରେମଟିକେ ଦେଇଥିଲ ବୋଲି

ପ୍ରତିଧ୍ୱନି କହିଯାଏ ସବୁକିଛି

ଆକାଶର ସମିୟାନା ଚିରି

ତୁମେ ତାକୁ ଶୁଣୁଛ ନା ନାହିଁ, ଜଣାନାହିଁ

ମୁଁ କିନ୍ତୁ ଶୁଣୁଛି ପ୍ରତିଦିନ କାନପାରି |

ଭାବୁଛି ମନଖୋଲି ଲେଖିଦେବି

ତୁମକୁ ଭଲପାଏ ବୋଲି

ତୁମକୁ ମୁଁ ପାରୁନି ଭୁଲି |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance