ତୁମେ ପା' ଚତୁର ପକ୍ଷୀ
ତୁମେ ପା' ଚତୁର ପକ୍ଷୀ
ମାଛ ଧରୁଥିଲା ବଗୁଲୀ ଛୁଆ,
ବରଗଛ ଡାଳୁ ଡାକିଲା କୁଆ-
'କେତେ ଧରିଲୁଣି କହ',
ବଗୁଲୀ କହିଲା, "ହିସାବ କରି ମୁଁ
କହୁଛି ଟିକିଏ ରହ ।
ପୋଖରୀ ପଙ୍କକୁ ମୁହିଁ ଦରାଣ୍ଡି,
ପହିଲେ ଧରିଲି ତିନି କରାଣ୍ଡି-
ତା' ପରେ ପୋହଳା ଦୁଇ,
ତୃତୀୟ ଥରକୁ ଚାରିଟା ଚିଙ୍ଗୁଡ଼ି
କୂଳରେ ଦେଲି ମୁଁ ଥୋଇ ।
ଚତୁର୍ଥ ଥରକୁ ଛଅ ଦଣ୍ଡେଇ,
ଝଟଝଟ କରି ଦେଲି ଉଣ୍ଡେଇ-
ପଞ୍ଚମେ ମାଗୁର ଏକ,
ଛଅ ଥର ବେଳେ ଧଣ୍ଡଟେ ଧରିଲି
ମନରେ ପଶିଲା ଦକ ।
ମାଛ ଧରୁଧରୁ ବହିଲା ଝାଳ,
ପାଟିରୁ ମୋହର ଗଡ଼ିଲା ଲାଳ-
ଚିଙ୍ଗୁଡ଼ି ଦଣ୍ଡେଇ ଆଣି,
ତରତର କରି ଦୁଇଗଣ୍ଡା ଖାଇ
ପିଇ ଦେଲି ମୁନ୍ଦେ ପାଣି ।
ହଂସରାଡ଼ି ଛୁଆ କାନ୍ଦିଲା ରୁଷି,
କରାଣ୍ଡିଟେ ଦେଲି, ହୋଇଲା ଖୁସି-
ଆଉତକ ଅଛି ରଖି,
କୁଆ ମଉସା ହେ କେତେ ଅଛି କୁହ
ତୁମେ ପା' ଚତୁର ପକ୍ଷୀ !
