ତୁଳସୀ
ତୁଳସୀ
ପରମ ପବିତ୍ର ତୁଳସୀ ଲୋ ତୁହି
ଧନ୍ୟ ତୋ' ଜନମ ଜୀବନ
ନାରାୟଣ ତୋତେ ମଥାରେ ବସାଇ
ଦିଅନ୍ତି ପ୍ରେମ ଆଲିଙ୍ଗନ
ପାଦପ ରୂପେ
ଧରାରେ ତୋ' ଶୋଭା ସମ୍ଭାର
ପୂଜିଥାନ୍ତି ଜନେ ସଭକ୍ତିରେ ମନେ
ସ୍ଥାପିଣ ଚଉଁରା ଉପର ।
ପ୍ରତି ଅଗଣାରେ ଶୋଭିତ ହୋଇ ତୁ
ହୃଦୟେ ଭରୁ ପବିତ୍ରତା
ସଞ୍ଜ ସକାଳରେ ତୋର ପାଦତଳେ
ଗୃହିଣୀ ରଖି ତା'ର ମଥା
ଗୃହ ମଙ୍ଗଳ
ମନାସଇ ତା' ଅନ୍ତର୍ଗତ
କାର୍ତ୍ତିକ ମାସରେ ରାଇ ଦାମୋର
ହୁଅନ୍ତି ତୋ' ପାଶେ ପୂଜିତ ।
ତୋ' ପତର ରସ ଥଣ୍ଡା, କଫ, କାଶ
ରୋଗ ଉପଶମ ଅଶେଷ
ଅତି ଆଦରରେ କେତେ ଯତନରେ
ରୋପଣେ ବଢ଼ାଏ ମଣିଷ
ତୋ' ଉପକାର
ଜୀବନେ ଭୁଲି ନପାରଇ
ନିର୍ମଳ ପବିତ୍ର ପରିବେଶ ସୁସ୍ଥ
ତୋ' ବାତାବରଣ ରହଇ ।
କାଳନେମୀ କନ୍ୟା ଜଳନ୍ଧର ପତ୍ନୀ
ବୃନ୍ଦାରୁ ତୁଳସୀ ପାଦପ
ପୁଣି ରାଧା ସଖୀ ତୁଳସୀରୁ ହେଲୁ
କାଳାନ୍ତରେ ତୁଳସୀ ବୃକ୍ଷ
ପୁରାଣ ଗାଥା
ବର୍ଣ୍ଣିଛନ୍ତି ଯେ ବ୍ୟାସଦେବ
ଯାହା ସ୍ବର୍ଣ୍ଣାକ୍ଷରେ ହୋଇ ଲିପିବଦ୍ଧ
ଅମଳିନ ଅଛି ଏ ଭବ ।