ଟିକେ ସ୍ପରଶି ଦେ ମାଁ
ଟିକେ ସ୍ପରଶି ଦେ ମାଁ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସବୁ ବିରୋଧି ସତ୍ତାର ସମ୍ମିଶ୍ରଣ
ମିକ୍ସ ତରକାରୀର ଅପମିଶ୍ରଣ ପରି
ତା ଭିତରେ ହସ ଆଉ କାନ୍ଦ
ଧୂଳି ଆଉ ଝଡ
ପ୍ରଜ୍ଞା ଆଉ ମୋହ ।
ମୁଁ ବା କେଉଠି?
ମୋର ନିର୍ଦ୍ଧାରିତ ସ୍ଥିତି ମୁଁ ଜାଣେନା
ବାହ୍ୟାଭ୍ୟାନ୍ତର ରାଜ୍ୟରୁ ସବୁଜ ସ୍ବୀକୃତି ପାଏନା ।
କେତେ ଧୂପଦୀପ ପୂଜାର୍ଚ୍ଚନା ବଳି ହୋମ
ଟଣା ଓଟରା ସେ ଅହଂ ରଜ୍ଜୁରେ ଥମେନା ଥମେନା
ଅତୀକ୍ଷର ବ୍ରହ୍ମାଣ୍ଡ ବି ଭାଙ୍ଗେ-
ପୁନର୍ନବା ସର୍ଜନାର ଆସେ
ଓଃ ! ବିଚିତ୍ର ବିଧାନ ବୁଝେନା ବୁଝେନା ।
ଜାଣେ, ଶୁଣେ, ଅଲକ୍ଷିତେ ଲକ୍ଷକରେ ଜଣେ,
ଭୃକ୍ଷେପ କେ କରୁଛି ତାହାକୁ
ସିଦ୍ଧି ନାମେ ଜୀବ ବଧ ତୁହାକୁ ତୁହାକୁ
ଲାଳସାରେ ବିଳାସ ପ୍ରବଳ
ପ୍ରଗତିର ମନ୍ଦିରରେ ଦୁସ୍ଥ କଳାକାର
ଆଗେ ଅଟ୍ଟହାସ୍ୟ ଶୁଭେ ପଛେ ହାହାକାର ।
ମୋ ଭିତରର ପାଶବ ପ୍ରବୃତ୍ତି
ବଳି ରୂପେ ନେଇଯା ଗୋ ମାଁ !
ଦେଇଯା ତୋ ଅନନ୍ୟ ସ୍ନେହରେ
" ସ୍ନେହ ଭକ୍ତି ବିଶ୍ବାସର ଶିଶୁ ସୁଲଭ "
ଭଗବତ୍ ସତ୍ତାର ସେ ଚୂଡାନ୍ତ ପାହାଚ
ଅପହଞ୍ଚ ଯାହା କିଛି ସରଳ ତରଳ
ଜଟିଳ ଜଞ୍ଜାଳ ଜାଳେ ବିରଳ ବିରଳ...
ମହୁଲିଆ ମନ ମୋର ଅବିରଳ ଚଞ୍ଚଳ
ଟିକେ ସ୍ପରଶି ଦେ ମାଁ !
ଆଧ୍ୟାତ୍ମିକ ସ୍ବର ତୋଳା ତୋ ମାୟାର ଅଞ୍ଚଳ ।
ଅନାହତ ସୁମଧୁର ମୋହନ ବଇଁଶୀସ୍ବନେ
ମନ ଭରି ଶୋଇଯିବି ସେ ଶାନ୍ତିର ନିଳୟେ
ଅନ୍ଧାର ସବୁ ସରିଯିବା ଯାଏଁ ....।