ଅନୁତାପ
ଅନୁତାପ
ପୋଛିଦିଅ ତାର ଲୁହ ନିଜ ହାତେ କନ୍ଦଇଛ ଯାକୁ ତୁମେ
ବୁଝିପାର ଯଦି ମନ୍ଦ କରିଅଛ ଅବିବେକୀ କୃତକର୍ମେ
ମୂଢପଣ ତୁମ ଯଦି କା ହୃଦୟେ ଦେଇଛି ଗଭୀର ଦୁଃଖ
ମଧୁର ବଚନେ ଦୂରକର ତାକୁ ନିଜକୁ ନିଜେ ପରଖା
ଅନୁତାପ ଠାରୁ ବଡ ଦଣ୍ଡ ଭାଇ ଆଉ କିଛି ନାହିଁ ଭବେ
ଯଦି ଅନୁତାପ ଅନ୍ତର ଛୁଇଁଛି ଅବାଧିତ ଅନୁଭବେ
ପ୍ରାୟଶ୍ଚିତ ଭାବ ଆପେ ପ୍ରାଣ ପାଏ ଭାବନାର ବଳୟରେ
ବିକ୍ଷୁଣ୍ଣ ମାନସେ ବିଶ୍ୱାସ ପରଶେ ମୂଢପଣ ଦୂରକରେ
ଯେ କାରଣ ହେତୁ ଅନୁତାପ ବହ୍ନି ଜଳୁଛି ଅନ୍ତର ଭେଦି
ପୁଣି କରିବାକୁ ଭ୍ରମ ନୋହୁ କେବେ ସଙ୍କଳ୍ପର ବନ୍ଧ ଛେଦି
ଯଦି ସେ ଅକୃତ୍ୟ କଲା ଆଧିପତ୍ୟ ବୁଝିବାକୁ ହେବ ତେବେ
ନିଜକୁ ନିଜର ଛଳନା ହିଁ ଥିଲା ଅନୁତାପ ନୁହେଁ କେବୋ
ଅନୁତାପ ଦିଏ ନବଜୀବନର ରସମୟ କାୟାକଳ୍ପ
ଅକୃତ୍ୟକୁ ତ୍ୟଜି କୃତ୍ୟେ କରେ ବ୍ରତି ବଢାଏ ଦୃଢ ସଙ୍କଳ୍ପେ