STORYMIRROR

Panchanan Jena

Romance

3  

Panchanan Jena

Romance

ତମେ ଓ ମୁଁ

ତମେ ଓ ମୁଁ

1 min
275

ତମେ ଅଙ୍କାବଙ୍କା 

ବ୍ରାହ୍ମଣୀ ନଈ

ଚିର ଯୌବନା 

ଲାଗ ଭାରି ଫୁଲେଇ

ମୁଁ ପବିତ୍ର ପାପି 

ବୁଡ଼ ମାରିବାକୁ 

ସଦା ହାଇଁ ପାଇଁ ।୧


ତମେ ଶାନ୍ତ ସକାଳର

 କୁହୁଡିମଖା ସିହରଣ

ଭାବ ଭଙ୍ଗିରେ 

ନିଷର୍ତ୍ତ ସମର୍ପଣ

ମୁଁ ସ୍ବଚ୍ଛ ବିଶ୍ଵାସର

 ତପ୍ତ ଫଗୁଣ ।୨


ତମେ ବାତାୟନେ 

ମଳୟ ପବନ ଧାର

କାମନା କଦମ୍ବର

 ଋଣୁଝୁଣୁ ସ୍ଵର

ମୁଁ ପ୍ରତ୍ୟାଖ୍ୟାତ 

ଶାଖାଚ୍ୟୁତ 

ପାଚିଲା ମର୍ମର ।୩


ତମେ ଥୁଣ୍ଟା ତରୁଶିରେ

 ନବ କିଶଳୟ

କଅଂଳ କଳିକା 

ଯୌବନ ଲତିକା ପ୍ରାୟ

ମୁଁ ରୁଗ୍ ଣ ତରୁଣ

 ଅବଶ୍ୟ ଅଥୟ ।୪


ତମେ ଠାକୁର ଘରେ 

ଚିର ଆହ୍ଲାଦିନୀ ବୀରା

ସ୍ତୁତି-ଶ୍ଳୋକ ଉଚ୍ଚାରିତ ସ୍ଵରା

ମୁଁ ରାତ୍ରି ରଙ୍ଗଶାଳେ 

ଆଉଟା ଅବୋଲକରା ।୫


ତମେ ଚୁଡ଼ି-ଶଙ୍ଖାର 

ସଧବା ସ୍ଵାଭିମାନୀ

ଝିନ ବସନା 

ଆପାଦମସ୍ତକା ସୀମନ୍ତିନୀ

ମୁଁ ମିଛର ଡେଣା 

ପ୍ରତାରଣାରେ ହଣା

 ବଣା ସାରଣୀ ।୬


ତମେ ସଂଧ୍ୟା ବେଦୀରେ 

ପବିତ୍ର ତୁଳସୀ

ଦାଉ ଦାଉ ଦ୍ଵୀପ

ଜ୍ୟୋତିରେ ମାନସୀ

ମୁଁ କୋଣେ ଅନୁକୋଣେ 

ଆହତ ବାରମାସୀ ।୭


ତମେ ଆକାଶ ଛାତିରେ

 ପୂର୍ଣ୍ଣମୀ ରାତିର ଇନ୍ଦୁ

କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ 

ମୁକ୍ତା ବିନ୍ଦୁ

ମୁଁ ହାତେ ଧରିବାକୁ 

ଲଲାଟେ ଶ୍ଵେଦବିନ୍ଦୁ ।୮


ତମେ ମୋ' ଠିକଣା 

ସକାଳ ସ୍ଵର୍ଣ୍ଣିମ ରେଣୁ

ଦିନ ତମାମ୍ ଜଡତା

 ଭିତରେ ଖୁସିର ବେଣୁ

ମୁଁ ଫାଳେ ଅନ୍ଧାରୁଆ ଓହଳ

 ନମନୀୟ କମନୀୟ ତେଣୁ ।୯



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance