ତାରା-ସୂର୍ଯ୍ୟ
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ହେ ତାରକାଗଣ,କିମ୍ପା ଦିଶ ସାନ ସାନ,
ତୁମେ ପରା ଅଛ କେତେ ରବି-ରଶ୍ମୀମାନ ?
ଦିବସେ ନ ଦିଶି କିମ୍ପା ରଜନୀରେ ଦିଶ,
ପ୍ରଭାକର ହୋଇ ତୁମ୍ଭ ମାନେ ଭୟ କିସ ?
ଜାଣିଲି ଜାଣିଲି ତୁମେ ସୂର୍ଯ୍ୟ ଅଟ ସତ,
ଆଲୋକିତ କରୁଅଛ ନିଜର ଜଗତ l
ଆମ୍ଭ ଭାସ୍କରକୁ ତୁମ୍ଭ ରାଜ୍ୟଲୋକ ସାରା,
ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକ ତାରା l
ତୁମ୍ଭ ରାଜ୍ୟେ ତୁମ୍ଭ ଆଗେ ଆମ୍ଭର ଭାସ୍କର,
ନ ଦିଶାନ୍ତି ତେଣୁ ଦିନେ ନ ହୁଅ ଭାସ୍ଵର l
ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭଷେ,
ସେ କଥାରେ ମହତଙ୍କ କି ଯାଏ କି ଆସେ ?
ତୁମ୍ଭ ରାଜ୍ୟେ ଦିଅ ତୁମ୍ଭେ ପ୍ରଚୁର କିରଣ,
ତେଣୁ ସେହିଠାରେ ଥିବ ତୁମ୍ଭ ରବିପଣ l
ଆମ୍ଭ ରାଜ୍ୟେ ଆମ୍ଭ ରବି କରେ ତୁମ କ୍ଷୟ,
ଏଣୁ ଆମ୍ଭେ ଚାହୁଁଥାଉଁ ତାଙ୍କର ଉଦୟ l
ତୁମ୍ଭେ ଯେତେ ବଡ ହେଲେ ଆମ୍ଭରକି ଲାଭ,
ଆମ୍ଭ ତମ ନାଶିବାକୁ ନlହିଁ ତ ପ୍ରଭାବ l
ଯେ ଯାହାର ହିତ କରେ ନ ନେଲେ ତା ନାମ,
ଆମ୍ଭ ଦେଶେ କହୁଁ ତାକୁ ନିମାକହାରାମ l
