ତାଜା ଖବର
ତାଜା ଖବର
କେତେ ପାଠପଢି ଆଇ ଏଫ ଏସ ପାଇଛି ମୁଁ ବୁଦ୍ଧିବଳେ,
ଜଙ୍ଗଲ ସୁରକ୍ଷା ଦାୟିତ୍ୱ ନେଇଛି ଦରମା ପାଉଛି ପୁଳେ ।
ଚେହେରା ପାଇଛି ରଜାପୁଆ ପରି ଦେଖ ମୋର ଠାଣି-ମାଣି,
ଓଡ଼ିଶା ଜଙ୍ଗଲ ରାଜା ମୁଁ ହେଇଛି ମନ୍ତ୍ରୀଙ୍କୁ ପେଉଛି ପାଣି ।
ଗଢ଼ିଛି ପ୍ରାସାଦ ଦେଖିଲେ ଡରିବ ସମ୍ରାଟ ଶାହାଜାହାନ,
ଆକାଶରେ ଉଡ଼େ ରାବଣ ପରାଏ ଧରି ପୁଷ୍ପକ ବିମାନ ।
କୁଳାଙ୍ଗାର ବୋଲି କହିବି କେମିତି ମୋ ପୁଅର ବୁଦ୍ଧି ଦେଖି,
ଟାଟା କମ୍ପାନୀର ସର୍ବେସର୍ବା କହି ଚାକରି ଦେଉଛି ଡାକି ।
ପାଣିଗ୍ରାହୀ ଝିଅ ମନ ମୋହିନେଲା କୋଟି କୋଟି ଖର୍ଚ୍ଚକରି,
ଯୋଗ୍ୟତମ ପୁତ୍ର ଆକାଶ ବୁଲୁଛି ପ୍ରେମିକାଙ୍କୁ ସାଥେ ଧରି ।
ସାରା ରାଇଜର ସୁଖ ମାନ ଜ୍ଞାନ ବୁଦ୍ଧି ବଳ କଉଶଳ,
ସବୁ ଲାଞ୍ଚ-ମିଛ ଚୋର ଠକଧନ ମୋ ଘରେ ହୋଇଛି ଠୁଳ ।
ଜଙ୍ଗଲର ସିଂହ ଅଜଗର ସାପ ଆମକୁ ହେବେନି ସରି,
ସର୍ବଗ୍ରାସୀ ଆମେ ଆମ ଗିଳା ଦେଖି ତିମିମାଛ ଯିବ ଡରି ।
ମୋ ଭଳି ଆହୁରି କେତେ ଲୁଟୁଛନ୍ତି ରାଇଜକୁ ଖୋଳକରି,
ଓଡ଼ିଶାକୁ ଆମେ ଗରିବ ରଖିବୁ ରହିଥିଲା ଯେଉଁପରି ।
