ତା ପାଇଁ
ତା ପାଇଁ
ହୃଦୟରେ କେଇ କ୍ଷଣ
ଭୂମିକମ୍ପ ହେଲା
କିଛି ଗୋଟେ ଦୋହଲି ଗଲା
ଭିତରେ
ନିଃଶବ୍ଦେ
ଶହ ଶହ ମୁହଁରେ
ଗୋଟେ ମୁହଁକୁ ଖୋଜେ ଆଖି
ଭାବୁ ଭାବୁ ତା କଥା
ମହକି ଉଠେ ହୃଦ ଅଗଣା
ଦୂରେ ଥାଇ ସେ ଭଲରେ ଅଛି
ଜାଣି ଆବେଗରେ ଆନନ୍ଦିତ ମନ ପକ୍ଷୀ
ଖୁସି ଆଉ କଣ କି!
ପୃଥିବୀ ଛାତିରେ
ତା ପାଇଁ ଜହ୍ନ ଆଲୁଅ ଟିକେ ତ!!
ଆକାଶ ଅଙ୍ଗନରେ
ଆଞ୍ଜୁଳେ ଅନୁରାଗ ଶେଫାଳି
ଅନ୍ତର ମହକାଏ
ଝୁଡ଼ିଏ ସ୍ନେହ ଦାନ୍ତ ନିକୁଡନ୍ତି
ଗାଡିଏ ନିଃସର୍ତ୍ତ ନିଃସ୍ୱାର୍ଥ ପ୍ରେମ
ତା ପାଇଁ
ଦେଖୁନ କେମିତି ବୁହନ୍ତି !
ହିମାଳୟ ପରି ବିଶ୍ବାସ ଗଦାଏ
ନିଥର ଇଥର ଭୁଇଁରେ
ପ୍ରାର୍ଥନା ମୁଦ୍ରାରେ
ଯୋଡ ହସ୍ତ
କେବଳ ତାରି ପାଇଁ।
ଆକାଶେ ଶୁଭେଚ୍ଛା
ଆନ୍ତରିକତାର ଉତ୍ତରୀ ଉଡେଇ
ଅନ୍ତରଙ୍ଗତାର ପଣତ ତଳେ
କେବଳ ତ ଶୁଭ ସୁସ୍ଥତା ମନାସନ୍ତି।
ତୁ ସୁସ୍ଥ ପୃଥିବୀର
ଶ୍ରେଷ୍ଠ ମଣିଷ ହୁଅ
ଏଇ ଆଶା ଟିକକ ତ
ଦେହ ମନ ତିନ୍ତାନ୍ତି
ଆମକୁ ବଞ୍ଚିବା ପାଇଁ ଉସ୍କାନ୍ତି।