ସୃଷ୍ଟି କର୍ତ୍ତା ତୁହି
ସୃଷ୍ଟି କର୍ତ୍ତା ତୁହି
ଜାଣି ଥାଏ ଭକ୍ତ ବୋଲି କୃପାସିନ୍ଧୁ
କୃପାର ସମୁଦ୍ର ଯହିଁ
ସମର୍ପଣ ତାର ତୋହରି ଭକ୍ତିରେ
ତୋ ଚକାନୟନ ଚାହିଁ ।
କିଏ ତୁମ ସରି ସହିବା ପଣରେ
କର ଦୟା ବିତରଣ
ବିଚ୍ଛିନ୍ନାଞ୍ଚଳରୁ ଡାକୁଛି ହେ ନାଥ
କର ଗୁହାରି ଶ୍ରବଣ
ତୋ ଭକ୍ତ ଓଡ଼ିଆ ବ୍ୟତୀତ ଜୀବନ
ଅତି ଦୁଃଖ କଷ୍ଟ ସହି
ଓଡ଼ିଆ କରିଛି ଓଡ଼ିଆ ବିଚ୍ଛିନ୍ନ
କହିବା କିପରି ଏହି ।
ଅନ୍ୟରାଜ୍ୟେ ଦେଲା ଉତ୍କଳ ଭୂମିକୁ
ଚିନ୍ତା ନ କରିଲା ଥରେ
ଶିକ୍ଷା ଶୂନ୍ୟ ଭୂମି ସିଂହଭୂମି ଏବେ
ଜନନୀ ଭାଷା କାହିଁରେ ।
ଶିକ୍ଷା ମାତୃଭାଷା ପାଇଁ ଆନ୍ଦୋଳନ
ଦେଖୁଛୁ ଚକାନୟନେ
ଜାଳି ଦିଅ ଥରେ ଶିକ୍ଷାର ପ୍ରଦୀପ
ଚିନ୍ତିତ ଓଡ଼ିଆ ଜନେ ।
କହିଲୁ ଅନେକ ଓଡ଼ିଶା ରାଜ୍ୟକୁ
ବହି ଓଡ଼ିଆ ଦେଉଛି
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପାଶରେ କହିଲୁ
ଶିକ୍ଷା ପାଇଁ କର କିଛି ।
ଝାଡ଼ଖଣ୍ଡ ରାଜ୍ୟେ କୁହ ଶିକ୍ଷାମନ୍ତ୍ରୀ
କର ସ୍ଥାୟୀ ସମାଧାନ
ଅଧିକାର ଆମ ମାତୃଭାଷା ଶିକ୍ଷା
ମନ୍ତ୍ରୀ ଥରେ ଦିଅ ଧ୍ୟାନ ।
ଓଡ଼ିଆ ବହିର ମୁଦ୍ରଣ ଟି ହେଉ
ଶିକ୍ଷକ ଓଡ଼ିଆ ମିଳୁ
ଓଡ଼ିଆ ମାଗୁନି ଅନ୍ୟ ଆଉ କିଛି
ଚନ୍ଦନ ଶିକ୍ଷାର ବୋଳୁ ।
କିଏ ବା ଶୁଣିବ ନାହିଁ ଧ୍ୟାନ କାର
ଚିନ୍ତିତ ଅତି ଓଡ଼ିଆ
ଦେଖୁଛୁ ସବୁତ ଦୁର୍ଦ୍ଦଶା ଭୂମିର
ଭରସା ତୁହି କାଳିଆ ।
କେଉଁ ମୂଲ୍ୟ ଅବା ମନୁଷ୍ୟ ଜୀବନ
ମାତୃଭାଷା ଯଦି ନାହିଁ
ପଶୁଙ୍କ ସମାନ ଜୀବନ ବ୍ୟତୀତ
ଓଡ଼ିଆ ସମ୍ମାନ କାହିଁ ।
ଆର୍ତ୍ତନାଦେ କରେ ଏ ବିଚ୍ଛିନ୍ନ ଭୂମି
କରି ଦିଅ କୃପା ଥରେ
କୃପାସିନ୍ଧୁ ନାମ ବ୍ରହ୍ମାଣ୍ଡେ ଗୁଞ୍ଜୁଛି
ଧ୍ୟାନ ଦିଅହେ ଏଠାରେ ।
ଜଗତର ନାଥ ଅନାଦି ଅନନ୍ତ
ଓଡ଼ିଆ ଆରାଧ୍ୟ ତୁମେ
ଶିକ୍ଷାର ଚନ୍ଦନ ଲେପନ କରହେ
ଭରସା କରିଛୁ ଆମେ ।