ସରସ ଓଡ଼ିଆ ଢଗ ଢମାଳି
ସରସ ଓଡ଼ିଆ ଢଗ ଢମାଳି
ହରଷ ଉଷତ ମନ
କର ଶରବଣ କର୍ଣ୍ଣ
ଆହର ଦକ୍ଷ ନୟନ ,
ଆସ ନଟବର ଉଦୟ ଶରତ
ଭଲ ଭଲ ହଉ ଢଗ
ସମୟ ତ ଉପଗତ
ତଥ୍ୟ ସହ ଉପସ୍ଥିତ
ଢଗ ଓ ଢମାଳି ସରସ ସୁନ୍ଦର
ଭଣନ୍ତି ବନ୍ଧୁ ଭରତ ।
ଆଲୋ ବାଇଆଣୀ
ହାତରୁ ପଇସା ସରିଗଲାଣି
ଖଜା ଖାଇବାକୁ ମନ ହେଲାଣି,
ଥିଲାବେଳେ କଲୁ ହାତ ଖଲବଲ
ନଥିଲା ବେଳକୁ ଡହଳ ବିକଳ
ଏଥିରେ କହୁ ତୁ ଭାରୀ ସିଆଣୀ ।
ବିରି ମାଡ଼ ଦେଖି କୋଳଥ ଚେପା
ହରଡ଼ କହୁଛି ରଖ ଲୋ ବାପା
ନିଆଁରେ ଖେଳିଲେ ପୋଡିଯିବ ହାତ
ଦୁନିଆଁ ଭିତରୁ ଦେଖି ଶିଖି ଯା
ନ ହେଲେରେ ଟୋକା ଅଣ୍ଡାଳିବୁ ମାଟି
ମୁଣ୍ଡରୁ ଖସିବ ଠେକା ।
ମାଙ୍କଡ଼ ହାତରେ ଶାଳଗ୍ରାମ
ନଚେଇ ନଚେଇ ନବ ପ୍ରାଣ,
ଅପାରଗ ଲୋକ ହାତରେ ଧନ
ଜାଣିଥା ହୁଏ ବ୍ୟର୍ଥ ଅକାରଣ ।
ବଳଦ ମୁହଁରେ ଛଉ
ଭାଙ୍ଗିଲା ମନକି ଯୋଡି ହୋଇଯିବ
ଯେତେ କଅଁଳେଇ କହୁ ।
ଭାବିଚିନ୍ତି ଭଲେ ଆଗକୁ ପଛକୁ
କହିଥିଲେ କଥା ହେବ ନାହିଁ କଷ୍ଟ
ଏ ଗୁରୁବାକ୍ୟ ମନରେ ଥାଉ ।
ଗଙ୍ଗା ମାଆ ହିରଣ୍ୟବାପ
କଂସ ମାମୁଁ କର୍ଣ୍ଣ ଭାଇ,
ଅତି ଆପଣାର ଇଏ ସାତପର
ଦୟା ନାହିଁ କି ମାୟା ନାହିଁ
ଭାରି କଂସେଇ ।
ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ
ବସନା ଭାଇ ବେକାର
କରୁଥିଲେ ଆଜି କାମ ଛୋଟମୋଟ
ଦିନେ ବଢିବି ପାରେ ବେପାର ।
ଓଧ ସଙ୍ଗେ ଭୂଆଁ ବିରାଡିଟି ବାଇ
ଚତୁର ଲୋକକୁ ଦେଖିକି ବୋକାଟି
ବିପଦ ବରିଣ ଥାଇ
ନିଜର ବୁଦ୍ଧିରେ ଘାସ କାଟ ପଛେ
ପରବୁଦ୍ଧି ଦିଏ ଘର ବୁଡେଇ ।
ଫମ୍ପା ମାଠିଆର ଶବଦ ବେଶୀ
କିଛି ନ ଜାଣିକି କରନା ପାଟି ।
ଅଖାଇ ମାଇଁ,
ଛଅଟା ପିଠାରୁ ଗୋଟିଏ ନାହିଁ,
ଲୁଚାଇ ଚୋରାଇ ସବୁ ଗିଳୁଥିବ
କହୁଥିବ ନାହିଁ ମୁହଁକୁ ଶୁଖାଇ
ଭାରି ଭଲେଇ ।
ଲୋଡନା ସର୍ବଦା ଅନ୍ୟ ସହଯୋଗ
ଅତି ପରିଚୟେ ଗୈ।ରବ ନଷ୍ଟ
କୁହ ନାହିଁ କେବେ ଅସମ୍ଭବ କଥା
ଆକାଶ କଇଁଆ ଚିଲିକା ମାଛ ।
ଅତି ଭଲ ନୁହେଁ ଚବର ଚବର
ଅତି ଭଲ ନୁହେଁ ଚୁପ
ଅତି ଭଲ ନୁହେଁ ବର୍ଷା ବାଦଲ
ଅତି ଭଲ ନୁହେଁ ଧୂପ ।
ନଖ ସନ୍ଧିରେ ମଳି,
ଭିତରେ ଭିତରେ ସଲାସୁତୁରା
ଉପରେ ଉପରେ କଳି ।
ବାବୁ ମହାନ୍ତି
ଉଧାର ମିଳିଲେ କିଣନ୍ତି ହାତୀ
ଶୁଝିଲେ ଶୁଝିବେ ପୁଅଙ୍କ ନାତି ।
ପଚା ପଇଡ଼
ଭାସି ଯାଉଥିଲୁ ମଝି ନଈର
ଧରି ଆଣିଥିଲି ତୋତେ,
ଠାକରା ଗାଲରେ ମାଉ°ସ ଲାଗିଲା
ଜବାବ ଦେଉଛୁ ମୋତେ ।
ଯେତିକିର ଲୋକ ସେତିକିରେ ରହ
ଫିଟା ନାହିଁ ପାଟି ମୋତେ ।
ମାଆ ଧାନକୁଟୀ ପୁଅ ନାଗର
ଚୋରେଇ ନେଉଛି ମାଆ ଭତ୍ତାକୁ ବି
ଢକଢକ ପିଇ ବୁଲେ ସହର,
ଦେଖାଉଛି ଛଇ ବଡ଼ ପାରିବାର
ସଭିଏଁ କରିବେ ତାକୁ ଜୁହାର।
ତୁ ଗଙ୍ଗା କହିଲେ ଥିବି
ଗାଙ୍ଗି କହିଲେ ଯିବି ।
କଥା ମାନି ବାବୁ ହେବୁ ଉଠବସ
ନ ହେଲେ ସରବନାଶ
କଳିକାଳ ରୀତି ଅଟେ ବିପରୀତ
ଲାଗେ ମିଛ ଖାଣ୍ଟି ସତ ।
ବଳଦ ପରଖ ବାଲି
ବନ୍ଧୁର ପରଖ ବିପଦ ସମୟ
ସଉଦା ପରଖ କାଲି ।
ବୁଦ୍ଧିକୁ ଚିହ୍ନାଏ କାର୍ଯ୍ୟ
ସାହିତ୍ୟ ଚିହ୍ନାଏ ଜାତିର ମହତ୍ତ୍ଵ
ଅବସ୍ଥା ଚିହ୍ନାଏ ରାଜ୍ୟ ।
ମାଆ ତ ଚିହ୍ନାଏ ବାପ
ହ°ସ ଜାଣେ କେତେ କ୍ଷୀର ଆଉ ପାଣି
ମନ ଜାଣେ ଏକା ପାପ ।
ମଥାରେ ପଗଡି ପାଦରେ ତେଲ
ବଇଦ ସାଙ୍ଗରେ ହୋଇବ ଗେଲ ।
ଝିପିଝିପି ବର୍ଷା ରାସ୍ତା ବିଗାଡେ
ଚୁଗୁଲିଆ ଲୋକ ଗାଁ ବିଗାଡେ
ନୂଆ ମାଗୁଣିଖ ଭିକ ବିଗାଡେ ।
ଲମ୍ପଟ ସନ୍ୟାସୀ କପଟୀ ଯୋଗୀ
ଦାରୀ ପୁତ୍ରବତୀ ବଇଦ ରୋଗୀ
ଲାଜୁଆ ବ୍ରାହ୍ମଣ କାଶୁଆ ଚୋର
ଏ ଛଅ ପ୍ରାଣୀଙ୍କ ବୁଡଇ ଘର ।
-------
