ସନ୍ତୁଳିତ ଜୀବନ
ସନ୍ତୁଳିତ ଜୀବନ
ଆସିଅଛି ଏ ଧରାକୁ ପ୍ରଭୁ ହେ ତୁମ ଇଛା ଅନୁଯାୟୀ
ଫେରିଯିବି ଖେଳସାରି ତୁମକୁ ମୁଁ କିଛି କହି |
ଯାହା କହିବାକୁ ଚାହେଁ ଶୁଣିବ କି କାନ ଡେରି
ନ ଶୁଣିଲେ ରହିଯିବି ମୋ କର୍ମକୁ ନିନ୍ଦା କରି |
ଭୂମିଷ୍ଠ ପରଠୁ ପ୍ରଭୁ ଗାଇଲି ତୁମରି ଗୀତ
ମୋ ମନ ସରଶିତ, ଦେଖିନି ମୋ ଭବିଷ୍ୟତ |
ଏ ଭବ ଅତିଥିଶାଳେ ମୁଁ ସିନା ଅତିଥି ଟିଏ
ଗାଇଯିବି ପ୍ରେମଗୀତି ଜନ୍ମରୁ ମରଣ ଯାଏଁ |
ମୋ କୋଷ୍ଠି ରେ ଯାହା ଲେଖା ଦେଖାଇବି ମୁଁ କାହାକୁ
ମୋ ଜୀବନ ଜାତକ ଟା ଅର୍ପିତ ଚଉବାହା କୁ |
ଏ ବିଶ୍ୱ ବ୍ରହ୍ମାଣ୍ଡେ ପ୍ରଭୁ ବିସ୍ତାରିତ ତୁମ କାୟା
ସୃଜିଛ ସ୍ୱାମୀ ସନ୍ତାନ ସବୁଥିରେ ଭରି ମାୟା |
ଯାହା ଦେଲ ମୋ ଭଲପାଇଁ ସବୁ କୁ ଆପଣେଇଲି
ଜାଣୁ କି ନ ଜାଣୁ କିଏ ତୁମ ସତ୍ତା ପାଇଗଲି |
ତୁମେ ମୋର ଗତିଦାତା ଦେଲ ମୋତେ ଦିବ୍ୟଜ୍ଞାନ
ମୁଁ ଅନୁସରେ ସେହିପଥ ରଖ ହେ ବିଶ୍ୱକାରଣ |
ତୁମରି କୃପାରୁ ପ୍ରଭୁ ଦେଖିଲି ସାରା ସଂସାର
ସଭିଏଁ ମୋ ଆପଣାର କେହିବି ନୁହଁନ୍ତି ପର |
ହଜିଗଲି ମୁଁ ମୋହରେ ପାପପୁଣ୍ୟ ଦୋଛକି ରେ
ଆଜି ଖୋଜେ ମୁକ୍ତିପଥ ଦେଖା ପ୍ରଭୁ ମୋତେ ବାରେ |
ତୁମେ ଦିବ୍ୟ ଚେତନା ହେ ତୁମେ ମୋ ମୁକ୍ତିକାରଣ
ତୁମ ବିନା ପୂଜାତୀର୍ଥ ମୋ ପାଇଁକି ଅକାରଣ |
ତୁମେ ମୋ ଜୀବନ ଫଲଗୁ ମଳୟ ରେ ଝରିଆସ
ତୁମେ ହିଁ ମୋ ରକ୍ଷାକବଚ ଆଉ ମୋ ଶେଷ ବିଶ୍ୱାସ |
ତୁମେ ସତ୍ୟ, ଦୟା, କ୍ଷମା ତୁମେ ହିଁ ଧର୍ମ ନିକିତି
ଯୁଗେ ଯୁଗେ ଅବତରି ଉଡାଇଛ ନିଜ କୀର୍ତ୍ତି |
ତୁମେ ତ ଶରଣ ମୋର ଝରାଇ କରୁଣାଝର
ଶରଣାଗତ ଉଦ୍ଧାରି ରଖ ତୁମ ବଡ଼ପଣ |
ଆଉ କିସ ଜଣାଇବି ସନ୍ତୁଳିତ ଏ ଜୀବନ
ଦିନୁ ଦିନ ଦୁଃଖ ମୋର ଆସୁଛି ହୋଇ ଦ୍ବିଗୁଣ |
ତୁମବିନା ଦୁଃଖକିଏ ଫେଡ଼ିବ ହେ ଦୁଃଖହାରୀ
ତୁମେ ମୋ ଶେଷ ଭରସା ହାତ ଧରି କର ପାରି ।
