ସଙ୍ଘର୍ଷ
ସଙ୍ଘର୍ଷ
ଜୀବନ ଏକ ସଙ୍ଘର୍ଷ ବନ୍ଧୁ
ବଞ୍ଚିବା ଭାରି କଷ୍ଟ,
ପ୍ରତି ମୁହୂର୍ତ୍ତ ପରୀକ୍ଷା ଏଠି
ଖସଡ଼ା ଚଲାବାଟ।
ସଙ୍ଘର୍ଷ କରି ଚାଲି ଶିଖିଲେ
ତିଷ୍ଟିବୁ ସଂସାରରେ,
ବିନା ସଙ୍ଘର୍ଷେ ଜୀବନ ସ୍ଵାଦ
କେବେ ମିଳି ନ ପାରେ।
କେବେ ଊଠାଣି କେବେ ଗଡାଣି
ଏଇ ଜୀବନ ପଥ,
ବିନା ସଙ୍ଘର୍ଷେ ଗଡିବ ନାହିଁ
ଆମ ଏ ଦେହ ରଥ।
ସଙ୍ଘର୍ଷ ନୁହେଁ କାହା ସହିତ
କରିବା ବାଡାପିଟା,
ସଙ୍ଘର୍ଷ ଗୋଟେ ପବିତ୍ର ସୂତ୍ର
ଚାଲିବା ପାଇଁ ରାସ୍ତା।
ଶତ୍ରୁତା ଭାବ ନୁହେଁ ସଙ୍ଘର୍ଷ
ସଙ୍ଘର୍ଷ ଏକ ଲକ୍ଷ୍ୟ,
ସମୟ ସହ ସଙ୍ଘର୍ଷ କରି
ଚାଲିବା ଏଠି ଶିଖ।
ଯଦି ପାରିବ କର ସଙ୍ଘର୍ଷ
ନିଜ ହୃଦୟ ସହ,
ଭୁଲ୍ ପଥରୁ ଆମ ମନକୁ
ଠିକ୍ ବାଟକୁ ନିଅ।
ପ୍ରତ୍ୟେକ କାର୍ଯ୍ୟ ପଛରେ ଅଛି
ପ୍ରତିବନ୍ଧକ କିଛି,
ଧୈର୍ଯ୍ୟ ସମ୍ପାଦି କର୍ମେ ଲାଗିଲେ
କାର୍ଯ୍ୟଟି ଫଳବତୀ।
ପରିସ୍ଥିତିର ମୁକାବିଲାକୁ
ସଙ୍ଘର୍ଷ କୁହାଯାଏ,
ଯେଉଁଥିପାଇଁ ପ୍ରତି କ୍ଷେତ୍ରରେ
ସୁଫଳ ମିଳିଥାଏ।
ସଙ୍ଘର୍ଷ କରି କରି ଶିଶୁଟି
ଯେମନ୍ତେ ଚାଲି ଶିଖେ,
ସେ ଶିଶୁ ପୁଣି କୈଶୋର ଯୁବା
ହୋଇକି ନାଆଁ ରଖେ।
ସଙ୍ଘର୍ଷ କରି କରି କେ କାର୍ଯ୍ୟେ
ପାଞ୍ଚରେ ଜଣେ ହୁଏ,
ଏହି ସଙ୍ଘର୍ଷ କରି ଜୀବନେ
ବାର୍ଦ୍ଧକ୍ୟ ଛାପିଯାଏ।
ଜନ୍ମରୁ ଜୁଈ ଜୀବନ ନଈ
ବହୁ ଯାତନା ତହିଁ,
କରି ସଙ୍ଘର୍ଷ ଧରିଥା କାତ
ପାରି ହୋଇବୁ ତୁହି।
ଦୁଃଖେ କାତର ନ ହୋଇ ବାବୁ
ଛାତି ପଥର କରି,
ସଂସାର କଲେ ପଥର ପଡ଼େ
ସହିବୁ ଧୈର୍ଯ୍ୟ ଧରି।
ନିଜ ସ୍ଵାର୍ଥକୁ ତେଜ୍ଯା କରିବୁ
ଅନ୍ୟକୁ ଦେଖୁଥିବୁ,
ତା'ଓଠେ ହସ ଫୁଟେଇବାକୁ
ସଙ୍ଘର୍ଷ କରୁଥିବୁ।
ଘାଟ ଖସଡ଼ା ବାଟ ଖସଡ଼ା
ସଂସାର ଦୁଃଖାଳୟ,
ଚକାଆଖିକି ମନରେ ଡାକି
ସଙ୍ଘର୍ଷ କରୁଥାଅ।
