ସମୟ ସୌଦାଗର
ସମୟ ସୌଦାଗର
ସମୟ ବି ଲାଗେ
ଚତୁର ସୌଦାଗର
ଯୌବନ ସପନ ଦେଖେଇ ଦେଖେଇ
ଚୋରେଇ ନେଲା ସେ
ଚପଳ ଛନ୍ଦ ବାଲ୍ୟ କୈଶୁର ।
ଧନୀ ହେବାର ଲୋଭ ଦେଖେଇ
ଛଡେଇ ଦେଲା ସେ
ଛଳ ଛଳ ଯୌବନ ଜୀବନ ସୁର ।
ଶିକ୍ଷା ଦୀକ୍ଷାର ମୋହ ଲଗେଇ
ସହରାଭିମ୍ନଖୀ କଲା ଯେ
ଛଡେଇ ନେଲା ସେ ଗାଁର
ମିଠା ପିଠା ପ୍ରେମ ନିର୍ଝର
ଶାଗ ପଖାଳ ସାଙ୍ଗମେଳି ଯାନିଯାତ୍ରାର ।
ପଇସା କମେଇବାର କାଇଦା ଶିଖେଇ
ଦାଦନ ପଠେଇ ଦେଲା ସେ
ଛଡେଇ ନେଲା ସେ
ପର୍ବ ପର୍ବାଣୀ ଭାଷା ଭାସ୍କର
ଜାତି ସ୍ଵାର୍ଥମାନ ଓଡ଼ିଆ କର୍ମବୀର ।
ଆଜି କହୁଛି ସମୟ ସୌଦାଗର
ଷାଠିଏ ବସନ୍ତ ଛୁଇଁଲାଣି ଶିର
ଆସିଗଲାଣି ଦେବାକୁ ଅବସର
ବାହୁଡ ଗ୍ରାମକୁ ତୋର
ସେବା ନିବୃତ୍ତ ପ୍ରମତ୍ତ ପ୍ରବର
ବୃଦ୍ଧକାଳେ ଜପ ହରିନାମ ସ୍ଵର ।
ହାଏରେ ସମୟ ସୌଦାଗର
ଚତୁର ବେପାରୀ ହିସାବକାର
ଡାକିନେଲୁ ଉଦ୍ଧାମ ଶୈଶବ ଅନୁର୍ଦ୍ଧର
ଠେଲି ଦେଉଛୁ ରୁଗଣ ବୃଦ୍ଧ ପକ୍ବଶିର ।
ବୋକା ନିର୍ବୁଦ୍ଧ ଦୋକାନୀ
ପାଚିଲା ଅନୁଭବ କାନ୍ଧରେ ମୋର
ବିଜ୍ଞ ବୁଦ୍ଧିର ଗୁପ୍ତ ସୁପ୍ତ ଗନ୍ତାଘର
ଯେଉଁଠି ବସିବି ରହିବି ଗଢିଦେବି
ଅର୍ଥର ଅସରନ୍ତି ଭଣ୍ଡାର ।
ହେ ମୁର୍ଖ ସମୟ ସୌଦାଗର
ହିସାବରେ କଞ୍ଚା ଲାଭରେ ପାକଲା
ଶୋଷଣରେ କଷଣରେ ଆଗଚଲା
ହୋଇପାରୁ ତୁ ଜଗତଜିତା
କିନ୍ତୁ ତୁ ଅବିବେକୀ ବୃଦୟହୀନ
ଅର୍ବାଚିନ ନରାଧମ କାଣ୍ଡଜ୍ଞାନ ଶୂନ୍ୟ ।
ତୁ କ'ଣ ବା ଲୁଟିବୁ ଫେଡିକୁ
ମୃତ୍ୟୁକୁ ଭେଜି ପାରିବୁ କି ?
ଜୀବନ ଦୀପ ଲିଭେଇ ପାରିବୁ କି ?
ଯନ୍ତ୍ରଣାରୁ ଉପଶମ କରେଇ ପାରିବୁ କି ?
କରୋନା ମହାମାରୀକୁ ପାରିଲୁ କି ?
ଶୁଣ୍ ବେ ସମୟ ସୌଦାଗର
ତୁ ଜିତି ଜିତି ଶେଷରେ ପରାଜିତା
ମୁଁ ହାରି ପାରି ଶେଷରେ ସର୍ବଜିତା ।
