ଶହୀଦ
ଶହୀଦ
ଚାରିଦିନ ମୁଁ ରହେ କି ନରହେ
ଅକ୍ଷୁର୍ଣ୍ଣ ରହୁ ତୋରି ବୈଭବ,
ଲାଗୁ ଏ ଜୀବନ ତୋରି ପାଇଁ ମା
ପଡେ ଯଦି ଯେବେ ପ୍ରାଣର ଅଭାବ।
ଧନ୍ୟ ସେ ମାତା, ଧନ୍ୟ ସେ ସ୍ତ୍ରୀ
ଧନ୍ୟ ସେ ଗାଁ ମାଟି
ତ୍ରିରଙ୍ଗା ଓଢେଇ ଶହୀଦର ଦେହ
ପହଞ୍ଚେ ଶତ୍ରୁକୁ ଭେଟି ।
ବନ୍ଦିତ ସେ ନାରୀ ପୋଛିଦିଏ ଯିଏ
ମଥାରୁ ସିନ୍ଦୁର ଟୀକା
ବଳିଦାନ ପାଇଁ ସ୍ବାମୀକୁ ପଠେଇ
ରହିଯାଏ ସିଏ ଏକା ।
ଆଖିର ତାରାକୁ ଦୂର କରିଦେଇ
ଅନ୍ଧ ହେଇଯାଏ ମା
ତଥାପି ଗର୍ବରେ ଛାତି ଫୁଲିଯାଏ
ଶହୀଦର ଯିଏ ବାପା ।
କୁନି ଝିଅ କହେ ସେନାରେ ମୁଁ ଯିବି
ବାପାଙ୍କୁ ସଲାମ କରି
ବନ୍ଧୁକଟେ ଦିଅ ତା ଭାଇ ହାତରେ
ଦେବ ସେ ଶତ୍ରୁକୁ ମାରି ।
ଆସୁଥିଲେ ବାପା ବରଷକେ ଥରେ
ଆଣୁଥିଲେ କେତେ ଖୁସି,
ଆସିଲେ ଏଥର ଶେଷଥର ପାଇଁ
ଭରିକରି ଦୁଃଖ ବେଶି ।
ବୋଉ କାନ୍ଦି କହେ କେମିତି ପାଳିବି
ଦୁଇଟି ପିଲାଙ୍କୁ ମୋର
ଜହ୍ନ ଭଳି ମୁହଁ ଶୁଖି ତ ଯାଇଛି
ମଥାରେ ନାହିଁ ସିନ୍ଦୁର ।
ଭାରତ ମାତା ତୋ ପଣତରେ ଦାଗ
ଲଗେଇ ଦବୁନି କେବେ
ଆତଙ୍କି ଦେବ ପ୍ରାଣର ଆହୁତି
ସୀମାକୁ ଡେ଼ଇଁବ ଯେବେ।
ଚାରି ଦିନ ମୁଁ ରହେ କି ନରହେ
ରହୁ ତୋ କିରତି ଏ ସାରା ଜଗରେ,
ମୃତ୍ୟୁ ମୋତେ ନଉ ତୋରି ସେବାରେ
"ବନ୍ଦେ ମାତରଂ" କହି ମୋ ମୁହଁରେ I
ଚାରି ଦିନ ମୁଁ ରହେ କି ନରହେ
ଅକ୍ଷୁର୍ଣ୍ଣ ରହୁ ତୋରି ବୈଭବ,
ମିଶୁ ମୋର ଦେହ ତୋରି ମାଟିରେ
ଅକ୍ଷୟ ରହୁ ଭାରତ ଗୌରବ
