ସବୁଜ ସ୍ମାରକୀ
ସବୁଜ ସ୍ମାରକୀ
ଏବେ ଏବେ ଛୁଇଁଲା ଚାଳିଶି ବସନ୍ତ
ଆମ ବିବାହର ସବୁଜ ସ୍ମାରକୀ,
ତମେ ପାଦ ଥାପିବାର ଅପୂର୍ବ ମୂହୁର୍ତ୍ତ
ଜୀବନେ ମୋ ଉଠିଲା ମହକି ।
ବୁଝାମଣା ସଂପର୍କ ର ନଈ
ଶେଷହୀନ ପ୍ରେମର ଝରଣା,
କରୁଣାରେ ଜର ଜର ତମ ମନ
ମମତାର ଏ ମାଟି ଅଗଣା ।
ଜୀବନର ଫୁଲବନ
ଯୌବନରେ ହଜେଇଲା
ନିଦର ଠିକଣା,
କାନେ କାନେ ଗାଇଥିଲା
କର୍ମ ଏକା ଧର୍ମ ତୋର
ଏବେ ମିଳେ ପ୍ରୀତିର ପାଉଣା ।
ପ୍ରୀତିର ପାରଣା ପାଇଁ
ବିଷରୁ ପୀୟୂଷ ପିଇ
ଚାଲୁଥିବା ସାଥି ହୋଇ,
ଜନମ ଜନମ ପାଇଁ ।