ସ୍ବାଗତଂ ହେ ଫଗୁଣ
ସ୍ବାଗତଂ ହେ ଫଗୁଣ
ଉନ୍ମୁକ୍ତ କବରୀ ମଲ୍ଲୀକା ପୁଷ୍ପେ ସୁଶୋଭିତ ଗଭା
ଆମ୍ର କାନନେ କଳକଣ୍ଠର ସୃତି ମଧୁର ସଙ୍ଗୀତ
ଗ୍ରାମ୍ୟ ଷୋଡ଼ଶୀ ଲଳନାଙ୍କ ଅଭିପ୍ସା ଅଭିସାରର
ରଙ୍ଗୀନ ସାଜ ସଜ୍ଜାରେ ମାତିଉଠେ ଆମ ଫଗୁଣ l
ଜନପଦ ନଗର ବିପଣି ମେଳେ ମନ ମତାଣିଆମି
ଉଚ୍ଚାଟ କରେ ପ୍ରାଣ ସତ୍ତା ଆବାଳବୃଦ୍ଧବନିତାଙ୍କ
କେତେ ଆଶା ଓ ସ୍ୱପ୍ନରେ ଭସାଇ ବାସନ୍ତୀ ମଳୟ
ଆସ ଆଗେଇ ସ୍ୱାଗତଂ ତୁମକୁ ହେ ରସିକ ଫଗୁଣ l
ଆସ ସାଥେ ନେଇ ଅନଙ୍ଗଙ୍କ ପୁଷ୍ପ ଧନୁ ତୀର ସଦା
ଯୁଇ ଯାଇ ମଲ୍ଲୀ ମାଧବୀ ଆଉ କେତକୀ କୃଷ୍ଣଚୁଡ଼ା
ମହକାଇ ଦିଅ ଆମ ଯୁବା ତନୁ ମନ ଶାୟକ ଟଙ୍କାରେ
ତୁମେ ଯେ ଚିରଞ୍ଜୀଵି ଆଉ ଯୁବା ମନ ପ୍ରେମୀ ଫଗୁଣ l
ଆଦି ରସ ପୂରକ ସଦା ପ୍ରଣୟୀ ମନ ରଞ୍ଜକ ରତିକାରୀ
ମଳୟ ବନ୍ଧୁ ତୁମ ସ୍ନିଗ୍ଧ ମନ୍ଦ ଶୃଙ୍ଗାର ଗୁଣଗ୍ରାହୀ ଚିର
ହର ପାର୍ବତୀ ମିଳନକାରୀ ହିମବତ ଶିଖରେ ନିରନ୍ତର
ଭସ୍ମୀଭୂତ କରି ମଦନେ କରିଛ ଅନଙ୍ଗ ହେ ସୁଫଗୁଣ l
ଜଗତ ମଙ୍ଗଳ କରଣେ ତୁମ ଲକ୍ଷ୍ୟ ସଦା ମାର ପଣେ
ଅଶରୀରୀ ବାୟବ୍ୟ କନ୍ଦର୍ପେ ଦେଇ ପ୍ରୋତ୍ସାହନ ସଦା
ଜୀବ ସୃଷ୍ଟି ରକ୍ଷା କବଚ କରିଣ ଧାରଣ ସ୍ୱବାହୁରେ ଆଜି
ମାତୃଜାତିକୁ କରିଛ ବଳିଷ୍ଠ କୋଳେ ଦେଇ ସୁନୁଗଣ
କାମବିକାରର ପ୍ରକୃଷ୍ଠ ପୃଷ୍ଠପୋଷଜ ଆହେ ଫଗୁଣ ll

