ସ୍ୱାଗତ ନବବର୍ଷ ଦୁଇ ହଜାର କୋଡିଏ
ସ୍ୱାଗତ ନବବର୍ଷ ଦୁଇ ହଜାର କୋଡିଏ
ହେ ନବ ବରଷ ଅବତରି ଆସ
ଧରି ଦେବଦୂତ ବେଶ
ସାତ ମହାଦେଶ କରନ୍ତି ସ୍ୱାଗତ
ପାଇବେ ତୁମରି ସ୍ପର୍ଶ
ଜଳ ସ୍ଥଳ ନଭ ହୁଏ ପ୍ରକମ୍ପିତ
ବାଣ ରୋଷଣୀର ମାଳେ
ନାନା ଦେଶେ ନାନା ଉତ୍ସବ ମଣ୍ଡିତ
କରୁଛନ୍ତି ବିଜ୍ଞ ନରେ
ବାୟୁମଣ୍ଡଳରେ ତୁମରି ସ୍ୱାଗତ
ଧ୍ଵନି ତରଙ୍ଗରେ ହୁଏ
ନୂତନ ବର୍ଷର ଅଭିନନ୍ଦନକୁ
ମିଡ଼ିଆ ଜଗତ କୁହେ
ଦ୍ଵିତୀୟ ଈଶ୍ୱର କବିକୁଳ ମୋର
କବିତାର ଶବ୍ଦ ଜାଲେ
ହାଡ଼ଭଙ୍ଗା ଶୀତ ତଥାପି ଜାଗ୍ରତ
ତୁମ ରୂପ ବର୍ଣ୍ଣନାରେ
ଏତିକି ମାଗୁଣି ହେ ନୂତନ ବର୍ଷ
ଭାରତ ମାଆର ପାଇଁ
ତୁମରି ସମୟେ ବିଶ୍ୱଗୁରୁ ହେଉ
ମୋହର ଏ ପୂଣ୍ୟଭୂଇଁ
ବାତ୍ୟା ବନ୍ୟା ଆଉ ଭୂମିକମ୍ପ ଦାଉ
ନ ସହୁ ମୋହର ଦେଶ
ନାରୀ ନିର୍ଯ୍ୟାତନା ଇର୍ଷା ଦ୍ୱେଷ ଭାବ
ସମୂଳେ କର ବିନାଶ
ସାଗର ଦୁଲଣୀ ପତି ଆର୍ଶୀବାଦ
ଲଭି କରି ତୁମେ ଆସ
ସୁଖ ସମ୍ପଦରେ ଭରପୁର ଦେଶ
ଦୁଃଖ ନ ପଶିବ ପାଶ
