ରଜ(ଭାଗ-୨)
ରଜ(ଭାଗ-୨)
ମଥାରେ ସାଜିବ କୁଙ୍କୁମର ଚିତା
ହାତରେ ରଙ୍ଗୀନ ଚୁଡ଼ି।
ଅଧରେ ନାଲିମା, ସୁନେଲି ଟିକିଲି
ବେଣୀରେ ରିବନ ଭିଡି।-୧
ନୂଆ ବୋହୁ ଙ୍କର ମନ ପ୍ରଫୁଲ୍ଲିତ
ଆସିଲେ ରଜ ପରବ।
ରଜ ଭାର ଧରି ଭାଈ ଯେ' ଆସିବ
ତାଙ୍କର କେତେ ଗରବ।-୨
ଗାଆଁରୁ ସହର ପରବ ମଉଜ
ମନରେ ଆନନ୍ଦ ଦିଏ।
ସଜ ବାଜ ହୋଇ ସର୍ବେ ବୁଲୁଥାନ୍ତି
କର୍ମର ଚିନ୍ତା ନ' ଥାଏ।-୩
ଧନୀ ଓ' ଦରିଦ୍ର ସଭିଏଁ ପାଳନ୍ତି
ଉତ୍କଳର ଏହି ପର୍ବ।
ଖେଳ କୁଦରେ ତ' ଦିବସ ବିତାନ୍ତି
ମନରେ ନ' ରଖି ଗର୍ବ।-୪
ଉତ୍କଳ ମାଟିରେ ରଜ ପରବଟି
ପତିଳ ଯେ' ତିନି ଦିନ।
ପିଠା ପୋଡା ପୋଡି ବସୁମତୀ ସ୍ନାନ
ମିଶାଇକି ପାଞ୍ଚ ଦିନ।-୫
ପ୍ରଥମ ଦିବସ ପହିଲି ରଜଟି
ଦ୍ୱିତୀୟେ ରଜ ସଂକ୍ରାନ୍ତି।
ତୃତୀୟ ଦିବସ ଭୂମି ଦହନ ଯେ'
ସର୍ବେ ଆନନ୍ଦେ ପାଳନ୍ତି।-୬
ଘରେ ଘରେ ପିଠା ପଣା ମହକରେ
ଗାଆଁ ଦାଣ୍ଡ ବାସି ଉଠେ।
ନୃତ୍ୟ, ବାଦ୍ୟ ସାଥେ ସୁନ୍ଦର ସଙ୍ଗୀତ
ପରିବେଶ ଶୋଭା ମଣ୍ଡେ।-୭
ହଳ ଲଙ୍ଗଳକୁ ଶୀଳ ଶୀଳପୁଆ
ବସୁମତୀ ସ୍ନାନେ ପୂଜା।
ଧରଣୀ ମାଆକୁ ହଳଦୀ ଲଗାଇ
ଫୁଲ, ସିନ୍ଦୁରରେ ସଜା।-୮
ବନ୍ଧୁ ପରିଜନ ଆତ୍ମୀୟ ସ୍ୱଜନ
ହୋଇଥାନ୍ତି ଆତ ଜାତ।
ଘର ପୁରି ଉଠେ ହର୍ଷ ଉଲ୍ଲାସରେ
ସଭିଏଁ ଯେ' ବିମୋହିତ।-୯
ଛକ, ବଜାରରେ ଆମ୍ବ ତୋଟା ଠାରେ
ଭିଡର ଆସର ଜମେ।
ତାସ୍ , ବାଗୁଡି, ଲୁଡୁ ଖେଳ ସାଥେ
ମିଠା ପାନ ମନ କିଣେ।-୧୦
ଆରିସା, କାକରା, ପୋଡ଼ ପିଠା ସାଥେ
ମିଠା କେତେ ପରକାର।
ବୋଉ ହାତ ରନ୍ଧା ତିଅଣ ସୁଆଦ
ନାହିଁ ତାର ପଟାନ୍ତର।-୧୧
ରାଗ, ଅଭିମାନ ମନୁ ଦୂର କରି
ଖୁସିରେ ବିତାଅ ରଜ।
ଆଜିର ଜୀବନ କାଲିକୁ ତ' ନାହିଁ
ଏକଥା ମନୁ ନ' ହେଜ।-୧୨
