ରାତି ଓ ଋତୁ
ରାତି ଓ ଋତୁ
ଓଦା ସର ସର ରାତ୍ରିଟି ବର୍ଷାର
ଝରି ବରଷାର ଧାରା
କେଁ କଟରରେ କାନ ଫାଟି ପଡେ
ହୁଏ ସନ୍ତସନ୍ତି ଭରା ।
ବର୍ଷା ଅନ୍ଧାରକୁ ରାତ୍ରିର ଅନ୍ଧାର
ନିର୍ଜନ କରେ ରାଜୁତି
ରାତ୍ରିଚର ଜୀବ ଅଶରୀରି ଭାବ
ସୃଷ୍ଟି କରେ ନାନା ଭିତି ।
ଶରତ ପ୍ରବେଶେ ନିର୍ମଳ ଆକାଶେ
ଖଣ୍ଡ ଖଣ୍ଡ ବଉଦରେ
ଲୁଚକାଳି ଖେଳେ ଚାନ୍ଦର ଜୋଛନା
ଶୁକଳ ପକ୍ଷ ରାତ୍ରରେ ।
କୁଆଁର ପୁନେଇଁ ଚାନ୍ଦ ଆସେ ଉଇଁ
ଉଚ୍ଛନ୍ନ କୁଆଁରୀ ମନ
ନାଚ ଖେଳ କୁଦେ ବିତିଯାଏ ରାତ୍ର
ଶୁଭେ ମଧୁ ଗୀତ ସ୍ୱନ ।
ହେମନ୍ତର ନିଶା ସଦା ଭିଜା ଭିଜା
ଝରଇ ଶିଶିର ବିନ୍ଦୁ
ଚନ୍ଦ୍ର ଆଲୋକରେ ମୁକ୍ତା ସମ ଝଳେ
ଦୁର୍ବାଦଳେ ପୂର୍ଣ୍ଣ ଇନ୍ଦୁ ।
ଶୀତ ଋତୁ ରାତି ବଢ଼ାଏ ତ ଭିତି
ଉତ୍ତରା ଥଣ୍ଡା ପବନ
ଆଦ୍ରତାରେ ପୂର୍ଣ୍ଣ ଦିଶେ ଦିଗ ହୀନ
କୁହୁଡ଼ିର ଆବରଣ ।
ରାସ ମଣ୍ଡପରେ ବସନ୍ତ ରାସରେ
ଭକ୍ତି ଭାବ ମନ ହରେ
ଶିତେ ଥରି ଥରି ସେ ହବିଶିଆଳି
ରାତ୍ରିରୁ ସ୍ନାହାନ ସାରେ ।
ବସନ୍ତେ ମଳୟ ବହଇ ସଧିର
ମନ ହୁଏ ପ୍ରଫୁଲ୍ଲିତ
ନାହିଁ ଖରା ଅବା ଶିତର ପ୍ରକୋପ
ରାତ୍ରି ହୁଏ ଆମୋଦିତ ।
ପାହାନ୍ତା ପହରେ ରାଗିଣୀ ସ୍ଵରରେ
କୋଇଲିର କୁହୁ ତାନ
ନାନା ଫୁଲ ଫଳେ ପକୃତି ସଜାଏ
ପିନ୍ଧି ଫୁଲର ବସନ ।
ଗ୍ରୀଷ୍ମ ଋତୁ ରାତି ମଇଦାନ ପ୍ରୀତି
ଖୋଲା ସୁଲୁ ସୁଲୁ ବାଆ
ନାନା ଜାନି ଜାତ ବିବାହ ଓ ବ୍ରତ
ମେଳଣ ଦାସ କାଠିଆ ।