ରାମରୁ ରାମଚନ୍ଦ୍ର
ରାମରୁ ରାମଚନ୍ଦ୍ର
ରାମଙ୍କର ନାମ ରାମରୁ କାହିଁକି
ପ୍ରଭୁ ରାମଚନ୍ଦ୍ର ହେଲା?
ଜାଣିଛ କି ପିଲେ
ରାମଙ୍କ ନାମରେ ଚନ୍ଦ୍ର କାହିଁ ଯୋଡ଼ା ହେଲା?
ସୂର୍ଯ୍ୟଙ୍କ ବଂଶରେ ପ୍ରଭୁ ଜନ୍ମ ହେଲେ
ସୂର୍ଯ୍ୟ ଦେବ ହେଲେ ଖୁସି ରାମରୁ
କହିଲେ ପ୍ରଭୁ ହେ ଅହୋ ଭାଗ୍ୟ ମୋର
ମୋ ବଂଶରେ ତୁମକୁ ମୁଁ ପାଇଛି ।
ମୋ ବେନି ନୟନ ଦେଖୁଥାଉ ଆଜି
ପ୍ରଭୁ ତୁମ ବାଲ୍ୟ ଲୀଳା
ରଥ ଚକ ମୋର ଟିକେ ରହି ଯାଉ
ଦେଖୁଥିବି ତୁମ ଲୀଳା ଖେଳା।
ଏହା କହି ସୂର୍ଯ୍ୟ ଦେବ ରହିଗଲେ
ଅଟକିଲା ତାଙ୍କ ରଥ
ରାମଙ୍କ ଜନ୍ମରେ ଦେଖି ଅଯୋଧ୍ୟାର ରୂପ
ପଶୋରିଲେ ତାଙ୍କ ପଥ ।
ଖୁସିରେ ସମସ୍ତେ ନାଚୁଛନ୍ତି ଆଜି
ବଜାଇ ଶଙ୍ଖ ଯେ ମହୁରୀ
ସାଧୁସନ୍ଥ ଆଜି ଯଜ୍ଞ କରୁଛନ୍ତି
ବେଦମନ୍ତ୍ରକୁ ଉଚ୍ଚାରି।
ଆନନ୍ଦରେ ସବୁ ମସଗୁଲ ହୋଇ
ପାଉଥିଲେ କେତେ ସୁଖ
ଆନନ୍ଦ ଉତ୍ସବ ଦେଖି ନ ପାରିଣ
ଚନ୍ଦ୍ରଙ୍କର ମନେ ଦୁଃଖ।
ପ୍ରଭୁ ପଚାରିଲେ କଣ ପାଇଁ ଚନ୍ଦ୍ରଦେବ
ତୁମ ମୁହଁଟି ଯାଇଛି ଶୁଖି
ମୋର ଜନମରେ ସଂସାର ବିଭୋର
ତୁମ ମନ କାହିଁ ଦୁଃଖୀ ?
କଣ ଯେ କହିବି ପ୍ରଭୁ ତୁମ ପାଖେ
ସୂର୍ଯ୍ୟ ଦେବଙ୍କର ବଦଳି ଯାଇଛି ମତି
ତାଙ୍କ ରଥ ଚକ ଗତି ଯେ ନ କଲେ
ଆସିବ କି ଆଉ ରାତି?
ସୂର୍ଯ୍ୟ ଦେବ ଆଜି ନ ହଟିଲେ ପ୍ରଭୁ
କିପରି ହେବ ଦର୍ଶନ
ତୁମ ବାଲ୍ୟ ରୂପ ଦେଖୁଛନ୍ତି ସର୍ବେ
ମୋହର ନାହିଁକି ମନ?
ସୂର୍ଯ୍ୟଙ୍କ ବଂଶରେ ଜନମିଛି ଯେବେ
ତାଙ୍କ ମନ ଆଜି ହରଷ
ଆନନ୍ଦରେ କାହିଁ ବିଘ୍ନ ଘଟାଇବି
ତାହାଙ୍କୁ କରି ନିରାଶ ।
ସୁର୍ଯ୍ୟ ଦେବଙ୍କର ଆଜି ଅଛି ପାଳି
ତୁମର ଯେ ଅନ୍ୟ ଦିନେ
ଚନ୍ଦ୍ର ବଂଶରେ ମୁଁ ପୁଣି ଜନ୍ମ ନେବି
ରଖିଥାଅ ଆଜି ମନେ।
ଦିନ ବାରଟାରେ ଜନମିଛି ଆଜି
ରାତିରେ ଜନମ ନେବି
ଦ୍ଵାପର ଯୁଗକୁ କରିବ ଅପେକ୍ଷା
ତୁମକୁ ଦର୍ଶନ ଦେବି।
ଶୁଣି ଚନ୍ଦ୍ରଦେବ ହୋଇ ଯେ ନିରାଶ
ଦ୍ଵାପର ଯେ ବହୁ ଦୂର
ଏତେ ଦିନ ପ୍ରଭୁ କିପରି ବଞ୍ଚିବି
ଅନ୍ୟ ଯେ ଉପାୟ କୁହ।
ହସିଦେଲେ ପ୍ରଭୁ କହିଲେ ଏଣିକି
ତୁମ ନାମ ସଙ୍ଗେ ଯୋଡ଼ି ହେବି
ସାରା ଜଗତରେ ରାମଚନ୍ଦ୍ର ନାମେ
ଭକ୍ତ ମୁଖେ ବୋଲାଇବି ।
ମନଭରି ତୁମେ ଦ୍ଵାପର ଯୁଗରେ
ଦେଖୁଥିବ ମୋର ଜନମ
ଯାହାର ନାମରେ ମୁଁହି ଯୋଡ଼ି ହେବି
ତାହାର ହେବକି ମରଣ?
ସେହି ଦିନଠାରୁ ରାମଚନ୍ଦ୍ର ନାମେ
ପ୍ରଭୁ ଯେ ବିଖ୍ୟାତ ହେଲେ
ଚନ୍ଦ୍ରଙ୍କୁ ସେ ଦିନୁଁ ନିଜ ନାମ ଦେଇ
ଆଶିଷ ପ୍ରଦାନ କଲେ।
