STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର

ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର

1 min
17

   


ପୁରୁଷୋତ୍ତମ ଯେ  ସେ ଶ୍ରୀରାମଚନ୍ଦ୍ର 

     ପରଂବ୍ରହ୍ମ ପରମାତ୍ମା,

ଜୀବର ଜୀବନ  କଲ୍ୟାଣ କରତା 

     କଳ୍ପେ ନାହିଁ ତାଙ୍କ ସୀମା।

ବିଶ୍ଵ ବ୍ରହ୍ମାଣ୍ଡର   ଚିରନ୍ତନ ସତ୍ୟ 

     ପ୍ରତି ପ୍ରାଣର ସ୍ପନ୍ଦନ ,

ପ୍ରଣବ ଧ୍ଵନିର    ଓଁକାର ମନ୍ତର

     ସୃଷ୍ଟିରେ ସେ ସନାତନ।

ଅଯୋଧ୍ୟା ନଗରେ   ହୁଅଇ ପ୍ରତିଷ୍ଠା

     ଶ୍ରୀରାମଙ୍କର ମନ୍ଦିର,

ପାଞ୍ଚଶହ ବର୍ଷେ   ଆସିଛି ସୁଯୋଗ

     ପୂଜିବାକୁ ସେ ପୟର।

ରାମ ରାମ ନାମ  ଗୁଞ୍ଜରେ ଜଗତେ

    ଖେଳେ ଆନନ୍ଦ ଲହରୀ,

ପ୍ରଭୁ ରାମ ସ୍ଵୟଂ  ହେଲେ ଆବିର୍ଭାବ

     ଆସିଲେ ଭବକୁ ଫେରି।

ଆଜି ହୁଏ ତାଙ୍କ   ପ୍ରାଣର ପ୍ରତିଷ୍ଠା

    କୋଟି ଜନ ମନେ ରାମ,

ତାଙ୍କ ଆରାଧନା   ପୂଜା ଉପାସନା

     କରି ଭକ୍ତ ଜପେ ନାମ।

ସେ ପୁରୁଷୋତ୍ତମ   ତ୍ରିପୁରେ ପରମ 

    ମୋକ୍ଷ ପ୍ରାପ୍ତିର କାରଣ,

ସକଳ ପ୍ରାଣୀଙ୍କ   କ୍ଳେଶ ଦୂର କରି

     ପାଦେ ଦିଅନ୍ତି ଶରଣ।

ତ୍ରେତୟା ଯୁଗରେ ଅଯୋଧ୍ୟା ନଗରେ

      ଆସିଥିଲେ ଅବତରୀ,

ଜନନୀ କୌଶଲ୍ୟା   ପିତା ଦଶରଥ

      କୋଳକୁ ମଣ୍ଡନ କରି।

ଦିବ୍ୟ ସୁସୁନ୍ଦର   ସୌମ୍ୟକାନ୍ତ ରୂପ 

     ନାମ ତାଙ୍କର ଶ୍ରୀରାମ,

ବସୁଧାର କ୍ଳେଶ    କରିବାକୁ ଦୂର

      ଆସିଥିଲେ ଧରାଧାମ।

ତିନି ମାତାଙ୍କର    ଅତି ପ୍ରିୟପାତ୍ର 

     ଗୁଣ ମାନରେ ସୁପୁତ୍ର,

ଭାଇ ଭାଇ ମଧ୍ୟେ   ନିବିଡ଼ ସମ୍ପର୍କ

      ରଖିଥିଲେ ସେ ପବିତ୍ର।

ଭରତ ଲକ୍ଷ୍ମଣ    ଶତ୍ରୁଘ୍ନ ସହିତେ

      ଚାରି ଭାଇ ମହାମାନ୍ୟ,

ଅବନୀର ଭାର    କରିଣ ଲାଘବ

     ସଂସାରକୁ କଲେ ଧନ୍ୟ।

ପିତୃସତ୍ୟ ମାନି   ବନବାସେ ଚଳି

      କାଟିଲେ ଚଉଦ ବର୍ଷ,

ପୁତ୍ରର କର୍ତ୍ତବ୍ୟ   ସାଧନାର ବ୍ରତେ

      ରହି ପାଳିଲେ ଆଦର୍ଶ।

ସୀତାଙ୍କ ହରଣେ  ପତ୍ନୀଙ୍କ ବିଚ୍ଛେଦେ 

     ଭୋଗିଲେ କଷ୍ଟ ଯନ୍ତ୍ରଣା,

ରାବଣ ନିଧନେ    ଦୁର୍ଗତି ଘୁଞ୍ଚାଇ 

     ପ୍ରଦାନ କଲେ କରୁଣା।

ଅଯୋଧ୍ୟା ପୁରର  ସଂସ୍କୃତି ସଂସ୍କାର

      ରଖିଛନ୍ତି ସେ ଅମ୍ଳାନ ,

ସୁଶାସନେ ତାଙ୍କ  ପାଇ ଶାନ୍ତି ତୃପ୍ତି 

     ପ୍ରଜା କାଟୁଥିଲେ ଦିନ।

ନିଷ୍କଳଙ୍କ ଗୁଣେ  ନ୍ୟାୟ ଧର୍ମ ପଣେ  

     ମର୍ଯ୍ୟାଦା ପୁରୁଷୋତ୍ତମ,   

ଅମ୍ଳାନ ଚରିତ୍ର   ଭବେ ଅଦ୍ଵିତୀୟ  

     ବୀରତ୍ଵ ଥିଲା ଅସୀମ। 

ଏକ ପତ୍ନୀ ବ୍ରତ  ସତ୍ୟେ ସତ୍ୟବ୍ରତ

    ଜଗତେ ହୋଇଲେ ଶ୍ରେଷ୍ଠ ,

ପୁତ୍ର ସମ ପ୍ରଜା   ପାଳି ମହାରାଜା

     ହୋଇଛନ୍ତି ଏକନିଷ୍ଠ।

ରାମ ରାଇଜର   ଅନନ୍ୟ ଐତିହ୍ୟ

      ରାମାୟଣ କଥାବସ୍ତୁ,

ଜନ ମାନସରୁ   କରେ ପାପ କ୍ଷୟ  

       ବର ଦିଅନ୍ତି ତଥାସ୍ତୁ।

ସେ ପ୍ରଭୁଙ୍କ ଚରଣେ  କରୁଛି ପ୍ରଣାମ

      ହୃଦୟରୁ ଢ଼ାଳି ଭକ୍ତି 

ଦିଅନ୍ତୁ ଆଶିଷ   ମୁଖେ ଫୁଟୁ ହସ

     ସକଳେ ଲଭନ୍ତୁ ମୁକ୍ତି।

     

     

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama