ପୁଣ୍ୟ
ପୁଣ୍ୟ
ପୁଣ୍ୟ ଏକ ଆଲୋକ ବର୍ତ୍ତିକା ଉଜ୍ଜ୍ଵଳ ରୁ ଆହୁରି ଉଜ୍ଜ୍ଵଳ
ଧୋଇଦିଏ ପାପର ଅନ୍ଧାର ବକ୍ର ପଥ କେତେ ଯେ ପଙ୍କିଳ ।।
ପୁଣ୍ୟ ଏକ ପୂର୍ଣ୍ଣତାର ପୂର୍ଣ୍ଣ ଜ୍ୟୋତି ପବିତ୍ରର ସମ୍ମୋହନ
ବ୍ୟାପିଛି ଭୂମିରୁ ଭୂମା ଝରିପଡେ କେତେ ଶୀତଳ ଚନ୍ଦନ ।।
ପୁଣ୍ୟ ଏକ ମହାଦୃମ ପୁଷ୍ପେ ସୁମଣ୍ଡିତ ଛାୟାର ନିବାସ
ଧରା ପୃଷ୍ଠେ ଝଲମଲ ଦିବ୍ୟ ରୂପ ପୂର୍ଣ୍ଣ ଅତୁଟ ବିଶ୍ଵାସ ।।
ପୁଣ୍ୟ ଏକ ସୁନେଲି ସକାଳ ଅମୃତର ପବିତ୍ର ସ୍ତବକ
ମନ୍ତ୍ର ସୁବିମଣ୍ଡିତ ସ୍ଵର୍ଗୀୟ ଝଂକାରର ଶାଶ୍ଵତ ମହକ।।
ପୁଣ୍ୟ ଏକ ଉପାସନା କଠିନ ତପସ୍ୟା ଅୟୁତ ଦିନର
ଅଲୌକିକ ଅଖଣ୍ଡ ଶକ୍ତିର ଉତ୍ସ ସ୍ଵଚ୍ଛ ନିର୍ମଳ ଆତ୍ମାର ।।
ପୁଣ୍ୟ ଏକ ତପୋଫଳ ଗଭୀର ଅନୁଶୀଳନ ଚେତନାର
ସୁଦୀର୍ଘ ପଥ ମହାର୍ଘ ସ୍ପନ୍ଦନ ଅବାରିତ ଫଲଗୁ ଧାର ।।
ପୁଣ୍ୟ ଏକ ନୂତନ ସନ୍ଦେଶ ସ୍ଵର୍ଣ୍ଣାଭ ବଳୟ ମୁକ୍ତି ତୀର୍ଥ
ଅନ୍ଧାରରୁ ଆଲୋକକୁ ଯାତ୍ରା ଅଦିବ୍ୟରୁ ଦିବ୍ୟତ୍ଵର ପଥ ।।