ପ୍ରିୟସାଥୀ
ପ୍ରିୟସାଥୀ
ଶୀତ ସକାଳର କଅଁଳ ଖରା ପରି
ତୁମେ ସେଇ କାକର ର ଟୋପା ପରି
ଯେବେ ଆସିଯାଅ ମୋର ଭାବନାରେ
ଜାଣି ନାହିଁ କାହିଁ ଆଖି ଭିଜି ଯାଏ ସାଥୀ
ତୁମରି ସେଇ ଛୋଟ ଛୋଟ ସ୍ମୃତିରେ ।
ତୁମେ ଚାଲିଗଲ ମୋତେ ଛାଡିଦେଇ
ଏହି ବିଶାଳ ରଙ୍ଗମଞ୍ଚରେ
କେମିତି ଯେ ମୋର କଟୁଅଛି ଦିନ
ଏହି ଏକୁଟିଆ ଜୀବନର ଚଲା ବାଟରେ ।
ଶୁଷ୍କ ତୃଣ ପରି ଭାସି ଯାଉଥିଲି
ଘାସଟିଏ ମତେ କଲ
ସେଇ ଘାସ ଏବେ ଫୁଲ ପାଲଟିଛି
ପାଇ ତୁମ ସିଞ୍ଚା ଜଳ ।
ପକ୍ଷୀଟିଏ ପରି ଦେଇଥିଲ ଡେଣା
ଆକାଶରେ ଉଡିବାକୁ
ସେଇ ପକ୍ଷୀ ଆଜି ନୀଳ ଆକାଶର
ଛୁଇଁ ଅଛି ଶିଖର ପ୍ରାଚୀରର ।
ଜୀବନ ଯୁଦ୍ଧରେ ଲଢ଼ିବା ଶିଖାଇ
କରିଦେଲ ବିଜୟିନୀ
ସେଇ ବିଜୟିନୀ ଚାହୁଁଥିଲା ଦିନେ
ହେବା ପାଇଁ ତୁମ ଅର୍ଦ୍ଧାଙ୍ଗିନୀ ।
କଥା ଦେଇ ଥିଲ ସାଥୀ କଥା ରଖିଥିବ
କରିବନି ମତେ ହେଳା
ଏହି ବିଶାଳ ସଂସାରେ ଏକା କରିଦେଇ
ବୁଡିଗଲା ମୋର ଭେଳା ।
ଛାଡ଼ିଯାଇଥିଲ ଯୋଉ ଭଳି ସାଥୀ ଅଛି
ସେହି ଭଳି ସାଥୀ
ତୁମେ କି ଜାଣିଛ କିପରି କାଟୁଛି
ତୁମ ବିନା ମୋର ରାତି ।
ସେଇ ଶୀତ ଅଛି , ସେଇ ରାତି ଅଛି
ନାହଁ ସାଥୀ ଖାଲି ତୁମେ
ନାହଁ ସାଥୀ ଖାଲି ତୁମେ
ନାହଁ ସାଥୀ ଖାଲି ତୁମେ ।

