ପ୍ଲାଷ୍ଟିକ ପ୍ରେମ
ପ୍ଲାଷ୍ଟିକ ପ୍ରେମ
ଆଜିର ପ୍ଲାଷ୍ଟିକ ପ୍ରେମପରଶରେ
ଭାସିଆସେ କଞ୍ଚାମାଂସ ର ଗନ୍ଧ,
ମନ ରେ ଲାଭକ୍ଷତି ର ହିସାବ,
ଅସରନ୍ତି ହାଡ଼,ରକ୍ତର ବିଳାପ,
ଖାଲି ମିଛିମିଛିକା ଓଠ ର କୋଣ ରୁ
ଧାର ହୋଇ ଝଡ଼ିପଡ଼େ ମୁଁ ତୋତେ
ବହୁତ ଭଲ ପାଏ ବୋଲି।
ବହୁତ ଭଲପାଇବା ର ଦମ୍ଭ ରେ
ନଥାଏ ସଳଖି ଠିଆ ହେବାର ସାହସ,
ବାକ୍ୟବୀର ରୁ କର୍ମବୀର ର ପାର୍ଥକ୍ୟ,
ଆଖିକୁ ଚକ ଚକ ପରି ଦିଶେ,
ନୂଆ ନୂଆ ଦେହ ଆଉ ଦେହଭୋକର
ମେଳରେ ବି ଜୀବନ ନିସ୍ଵ ହୋଇଯାଏ।
ନିସ୍ଵତା ର ବଳୟ ଭିତରେ ଥାଏ
ମଲାଟ ର ଏକ ସୁନ୍ଦରିଆ ରୂପ,
ଭିତରେ କିନ୍ତୁ ଅକଥନୀୟ ଯନ୍ତ୍ରଣା,
ମିଛ ଭକତି ର ଏକ ଲମ୍ବା ବର୍ଣ୍ଣନା,
ପୁଳା ପୁଳା ଅଶାନ୍ତି ର ବାଦଲ,
ଭାସି ଆସି ମନକୁ ଦୋହଲାଇ ଦିଅନ୍ତି।
ଦୋହଲି ଯାଉଥିବା ମନରେ
ପ୍ରେମର ଗୋଲାପ ଫୁଟେଇ ଯେତେ,
ପାଣି ଛିଞ୍ଚିଲେବି ହାରିଯାଏ ମଣିଷ,
ପ୍ଲାଷ୍ଟିକ ରୁ ବାସ୍ତବର ଅନୁଭବ ପାଇବାକୁ
ଧରି ବୁଲୁଥାଏ ବିଫଳତା ଚାବି କାଠି।
ବିଫଳତାର ଚାବିନେନ୍ଥାକୁ ପରଖୁ ପରଖୁ
ପ୍ରତିଶୋଧର ବହ୍ନି ହୁ ହୁ ହୋଇ ଜଳିଉଠେ,
ଅନିୟନ୍ତ୍ରଣ ଆଉ ଅସମାହିତ,
ଜାଳିଦେବ କି ନିଜେ ଜଳିଯିବ କହି,
ପ୍ଲାଷ୍ଟିକ ଗୋଲାପରେ ପାଣି ଦେବାକୁ ଲାଗେ,
କେହି ଟିକେ ବୁଝେଇ ଦିଅ ହୋ
ଏ ବାସ୍ତବ ନୁହେଁ, ପ୍ଲାଷ୍ଟିକ ପ୍ରେମ ବୋଲି ।

