ପୀରତିର ଶବ୍ଦ
ପୀରତିର ଶବ୍ଦ
ଶୋକାକୁଳ ତାରାଙ୍କର
ନିରବ ଶୋଭାଯାତ୍ରା, ରାତି ଆକାଶରେ
ଜହ୍ନକୁ ଛାଡି
କଇଁର ଅଲାଜୁକୀ ପୀରତିର ଶବ୍ଦ
ଭଅଁର ସହ - ଚହଲୁଥିବା ତା ଆଦିମତା
ଧରା ପଡୁଥିଲା ପାଣିର ଛୋଟ ଛୋଟ ତରଙ୍ଗ ଉପରେ
ପ୍ରତିବିମ୍ବିତ ହେଉଥିଲା ସେଠି
ସଂଖ୍ୟାହୀନ ଜୋଛନାର ଅସ୍ଥିର ଲହରୀ
ଭାଙ୍ଗିରୁଜି ଯାଇଥିବା ଜହ୍ନଟିର
ହତାଶା ବୋଳା ମୁଖା
ଭାସୁଥିଲା ପୋଖରୀ ଜଳରେ
ଲହରୀ ଶେଯରେ
ବିତୁଥିଲା ଦଗାଦିଆ ରାତି
କିଛି ନ ଜାଣିଲା ପରି
ନିଜ ପ୍ରେମିକକୁ ଛାଡି
ଅନ୍ୟଜଣଙ୍କୁ ବାହା ହେଇଯାଉଥିଲା କଇଁ
ଖୁସିରେ,
ଖଟତଳେ ଲୁଚେଇ ଦେଇ ଅତୀତ
ଜହ୍ନ ସବୁ ଦେଖି ବି
ସହି ଯାଉଥିଲା
ମେଘର ମିଛ ମିଛ ପରଦାଟେ ଟାଣି
ଢାଙ୍କିବାକୁ ଚେଷ୍ଟା କରୁଥିଲା ତା ମନ
ତା ଲୁହ ଭିଜା ଆଖିକୁ
ଆଉ ଟିକେ ଅସ୍ପଷ୍ଟ କରିଦେଉଥିଲା
ରାତିର ଅନ୍ଧାର