STORYMIRROR

Puspanjali Panda

Children

4  

Puspanjali Panda

Children

ଫୁଲ ଓ ପତ୍ରଙ୍କ କଳି

ଫୁଲ ଓ ପତ୍ରଙ୍କ କଳି

1 min
227


ଫୁଲ ଟିଏ କହେ ସୁନ୍ଦରୀ ମୁହିଁ 

ମୋ ଦେହରେ କେତେ ମହକ ଥାଇ 

ମୋ ପାଇଁ ସିନା ଗଛ ସୁନ୍ଦର 

ସବୁଠାରେ ସେ ପାଏ ଆଦର 

କିଏ ମୋତେ ନେଇ ମନ୍ଦିର ଯାଏ 

କିଏ ପୁଣି ମୋତେ ଦୂରରୁ ଚାହେଁ 

ମହୁମାଛି ଆଉ ପରଜାପତି 

ମୋ ପାଖରେ କେତେ ଗୀତ ଗାଆନ୍ତି 

ମୋ ପାଇଁ ତ କବି କବିତା ଲେଖେ 

ଚିତ୍ରକର ତାର ତୂଳିରେ ଆଙ୍କେ 

ସମୀରଣ ମୋର ମହକ ନେଇ 

ଚଉଦିଗ ସାରା ଦିଏ ଖେଳାଇ 

ମୋ ପାଇଁ ସିନା ବସନ୍ତ ରାଜା 

ଋତୁ ମଧ୍ୟେ ସେତ ପାଉଛି ପୂଜା ।

ଫୁଲର ଗରବ ଶୁଣି ପତର 

ଦେଇ ପାରିଲାନି କିଛି ଉତ୍ତର 

କଳା ପଡିଗଲା ମୁହଁଟି ତାର 

ନିଜକୁ ନିଜେ କଲା ଧିକାର 

ପବନ ସେ କାଳେ ପହଂଚି ଗଲା 

ଗଛ ଠାରୁ ସବୁ କଥା ଶୁଣିଲା 

କହିଲା ସେ ଆରେ ପତର ଭାଇ 

ବସିଛ କାହିଁକି ମୁହଁ ଶୁଖାଇ 

ଫୁଲ ଯା 'କହିଲା ସେ କଥା ସତ 

ତା ଲାଗି ଫଗୁଣ ସାଜିଛି ମିତ 

ତୋର କାମ କିଛି ନୁହେଁତ ଛୋଟ 

ତୋ ପାଇଁ ଗଛର ଭରୁଛି ପେଟ 

ଗଛ ପାଇଁ ଖାଦ୍ୟ ରଖୁ ତୁ ସଞ୍ଚି 

ତୋ ପାଇଁ ତ ଗଛ ପାରୁଛି ବଞ୍ଚି 

ଗଛ ନ ଥିଲେ କି ଫୁଟିବ ଫୁଲ 

ପତର ନ ଥିଲେ ତାର କି ମୂଲ 

ତୋ ସବୁଜ ରଙ୍ଗେ ତା ରୂପ ଶୋଭା 

ଦିଶୁଥାଏ ଦୂରୁ ସେ ମନଲୋଭା ।

ଫୁଲଟି ନୀରବେ ଝାଉଁଳି ଗଲା 

ଆପଣାର ଭୁଲ ବୁଝି ପାରିଲା 

ପବନ କହିଲା ଫୁଲ ପତର 

ତମେ ପୁଅ ଝିଅ ଅଟ ଗଛର 

ଦୁହେଁ ତ କରୁଛ ଆପଣା କାମ 

ତମ କାମ ଲାଗି ଗଛର ନାମ 

ନିଜ ମଧ୍ୟେ କଳି କରିବ ନାହିଁ 

ତମେ ଅଟ ପରା ଭଉଣୀ ଭାଇ 

ଫେରିଲା ପବନ ସରିଲା କଳି

ଫୁଲ ଓ ପତର ମାରିଲେ ତାଳି ।


Rate this content
Log in

Similar oriya poem from Children