ଅଧର୍ମ କୁହୁଡି
ଅଧର୍ମ କୁହୁଡି
ବରଷକେ ଶୀତ ସାଥିରେ
ଆସେ କୁହୁଡି ମାଡି
ଧୂଆଁର ଚାଦରେ ଦିଏସେ
ମାଟି ଆକାଶ ଘୋଡ଼ି
ଉଭେଇ ଯାଏ ସେ ଦିବସେ
ସୂର୍ଯ୍ୟ ହେଲେ ପ୍ରଖର
ଆଲୋକିତ ହୁଏ ଧରଣୀ
ରହେନାହିଁ ଅନ୍ଧାର
ସେ କୁହୁଡି ଠାରୁ ପ୍ରଖର
ପୁଣି ମାୟା କୁହୁଡି
ଛାଡିଯାଏ ନାହିଁ ମଣିଷ
ମନ ବସଇ ମାଡି
ସେ କୁହୁଡି ପାଇଁ ସମାଜେ
ଘଟେ ଯେ ଅଘଟଣ
ବର୍ଣ୍ଣନା କରିବା ସେ କଥା
ନୁହେଁ ସହଜ ପଣ
ଅନ୍ୟାୟେ କେ କରେ ଠୁଳ ଯେ
ପୁଣି ଧନ ସମ୍ପତ୍ତି
ଭୁଲିଯାଇ ନୀତି ନିୟମ
ନିତି କରେ ଦୁର୍ନୀତି
କିଏ ପାଲଟଇ ରାବଣ
କିଏ ମହିଷାସୁର
କିଏ କରେ ନାରୀ ହରଣ
ପୁଣି କେ ଅତ୍ୟାଚାର
ମଣିଷ କିଣିବା ବିକିବା
ସାଥେ ନିଶା ବେପାର
ନାରୀ ଶିଶୁ ହତ୍ୟା କରଇ
କେହି ହୋଇ ନିଷ୍ଠୁର
ଧର୍ମ ଅଧର୍ମକୁ ନ ମାନି
ନାନା ହୀନ କର୍ମରେ
ଲିପ୍ତ ରହେ କେହି ସମାଜେ
ଲୋଭ ମୋହ ବଶରେ
ଶୀତର କୁହୁଡି ଠାରୁ ଯେ
ଏ କୁହୁଡି ପ୍ରଖର
ଉଜୁଡାଇ ଦିଏ ସେ ପୁଣି
କେତେ ସୁନା ସଂସାର
ମଣିଷ ଭିତରେ ବିବେକ
ଯେବେ ଉଠିବ ଚେଇଁ
ସେ ମାୟା କୁହୁଡି ସମାଜୁ
ନିଶ୍ଚେ ଯିବ ଦୂରେଇ.
