ଫେରି ଆସିଛି ବସନ୍ତ
ଫେରି ଆସିଛି ବସନ୍ତ
ଫେରି ଆସିଛି ବସନ୍ତ ଭଲରେ ଭଲରେ
ଚେହେରାକୁ ତାର ସଜାଇ ବେଶ ପୋଷାକରେ
ଏଇ କେଇ ମାସର ବିଚ୍ଛେଦ ବ୍ୟବଧାନ ପରେ
ଯିବା ବେଳେ ଦେଇ ଯାଇଥିଲା ଆତ୍ମୀୟମାନଙ୍କୁ
ଅନେକ କିଛି ପ୍ରତିଶ୍ରୁତିର ଲମ୍ଵା ଏକ ତାଲିକା
କାଳେ ଭରସା ବିଶ୍ବାସ କରିବେନି କେହି ତାକୁ
ତେଣୁ ସେ କରିଥିଲା ମନେ ଦୃଢ ସଂକଳ୍ପ ବି।
ଆସିଛି ତ ଫେରି ହେଲେ ନାହିଁ ତାର ସରଳତା
ଲାଗେ ଜଟିଳତାର ଦ୍ଵନ୍ଦରେ ସେ ଭାରାକ୍ରାନ୍ତ
ଅବଶ୍ୟ ସେ ଦେଇଥିବା କଥା ଅନୁସାରେ
ତାର ସବୁ ସହପାଠୀ ବନ୍ଧୁମାନଙ୍କୁ ମଧ୍ୟ ଆଣିଛି
ସାଥୀରେ ତାର ସଭିଏଁ ସମତୁଲ ମଜଗୁଲ୍
ସମସ୍ତେ ଆସିଛନ୍ତି ହସ ହସ ମୁହଁ ତାଙ୍କର।
ମୃଦୁ ମଳୟର ଶିହରଣ ଫଗୁଣର ସମ୍ଭାର ଶିରୀ
ସ୍ଵାଗତ କରିବାକୁ ହୋଇ ଉଠନ୍ତି କେତେ ତତ୍ପର
ପତ୍ର ଝଡା ଗଛମାନେ ସବୁ ପ୍ରବଳ ଆଗ୍ରହରେ
ପଲ୍ଲବିତ ହେବାକୁ ହୁଅନ୍ତି ଭାରି ଚଳ ଚଞ୍ଚଳ
ଶାଖା ପ୍ରଶାଖାର ଡାଳେ ଡାଳେ ଫୁଲକଢି
ଫୁଟି ସୁଗନ୍ଧ ବିତରିବାକୁ କରୁଛନ୍ତି ଉପକ୍ରମ
ଆମ୍ଵ ବି ବଉଳି ଫୁଟେ ପେନ୍ଥା ପେନ୍ଥା ହୋଇ
କାରୁକାର୍ଯ୍ୟ ଭରା ତାରକସି କାମର ନିପୁଣତାରେ
ସୁନ୍ଦର ଅଳଙ୍କାର ପିନ୍ଧିଲା ପରି ଦିଶେ ଶୋଭାମୟୀ
ଆଉ କୋଇଲି ଅବା ଛପି ରହିଥାନ୍ତା କେମିତି
ତାର ସୁମଧୁର ମୂର୍ଚ୍ଛନାର ସ୍ଵର ତୋଳି ସୁକଣ୍ଠରେ
ଗାଏ ମଧୁ ମିଳନର ମନ୍ତ୍ରମୁଗ୍ଧ ଆବାହନୀ ସଂଗୀତ
ଫେରି ଆସିଛି ବସନ୍ତ ଭଲରେ ଭଲରେ
ହସୁଛି କଣେଇଁ କଣେଇଁ ଫଗୁ ରଙ୍ଗକୁ ନେଇ
ସ୍ବପ୍ନ ଫୁଟି ଉଠିଥିବା ନବ ନହୁଲୀର ତନୁମନେ
ଆଙ୍କି ହୋଇଯାଏ ଅନନ୍ୟ ପ୍ରେମର ସୁନ୍ଦର ଛବି
ହୃଦୟ ଦେଇ ଭଲ ପାଇ ସେ ମନର ମାନସୀକୁ
ଦେବ ଗୋଟାପଣେ ପ୍ରୀତିର ରଙ୍ଗରେ ରଙ୍ଗେଇ।
ହୋଲି ବି ଭାବୁଛି ଆସିବ ଦୋହଲି ଦୋହଲି
ଚମକାଇ ଦେବ ସବୁରି ମନ ପ୍ରାଣ ଆତ୍ମାକୁ
ହେବ ଏକ ବନ୍ଧୁ ମିଳନର ଅପୂର୍ବ ସମାବେଶ
ଭାବର ଆଦାନପ୍ରଦାନରେ ହୃଦୟ ଯିବ ଛୁଇଁ
ନ ଥିବ ଅନ୍ତରରେ ଭେଦାଭେଦ କି ପାତର ଅନ୍ତର
ସଭିଏଁ ହୋଇ ଯିବେ ଏକ ମନର ହୃଦୟର
ଖୋଲା କଥାର ମଞ୍ଚରେ ହେବ ସ୍ପଷ୍ଟ ବାର୍ତ୍ତାଳାପ
ନ ଥିବ କାହାର କିଛି ଆବିଳତା କି ସନ୍ଦେହ।

