STORYMIRROR

BiswaRanjan Sahoo

Romance

4  

BiswaRanjan Sahoo

Romance

ପାହାଡ଼ ସେପାଖ ଜହ୍ନ

ପାହାଡ଼ ସେପାଖ ଜହ୍ନ

1 min
262

ଦିନେ ମୁଁ ଦେଖିଲି ଉଇଁଛି ଆକାଶେ,

ଆଉ ଗୋଟେ ତୋଫା ଜହ୍ନ,

ସେ ଜହ୍ନରେ ସିନା କଳଙ୍କର ଛିଟା,

ଏ ଜହ୍ନଟା କଳଙ୍କହୀନ..।।


ସଞ୍ଜ ହେଲେ ଆସେ ପୂରୁବ ଗଗନେ,

କିନ୍ତୁ ସକାଳକୁ ଚାଲି ଯାଏ,

କେଜାଣି କାହିଁକି ତା ଆସିବା ବାଟକୁ,

ଏ ଅବୁଝା ଆଖି ଚାହିଁ ରହେ..।।


ଦେଖୁ ଦେଖୁ ସେହି ଅଜଣା ଜହ୍ନକୁ,

କେବେ ଭଲ ପାଇଗଲି,

ଅମାନିଆ ମନ ବୁଝିଲାନି ଜମା,

ହୃଦୟଟା ଦେଇ ଦେଲି..।।


ଅଦିନ ବରଷା ବଉଦ ମାଳରେ,

ତାକୁ ଯେବେ ଢାଙ୍କିଦିଏ,

ବୋଲମାନେ ନାହିଁ ଲୁହର ବରଷା,

ଆଖିରୁ ମୋ ଝରିଯାଏ..।।


ଦୂରରୁ ଦୂରରୁ ଦେଖି ହୁଏ ଖୁସି,

ଛୁଇଁ ତାକୁ ପାରେନାହିଁ,

ଥରେ ଛୁଇଁବାକୁ ଇଚ୍ଛା ହୁଏ ଭାରି,

ହାତ ମୋର ପାଏନାହିଁ.. ।।


ଖୋଜିଲି ଦିନେ ତା ରହିବା ଠିକଣା,

ଯୋଉଠି ସକାଳେ ରହେ,

ସୁରୁଜ ଉଇଁଲେ ମୋ ଅଳସୀ ଜହ୍ନ,

କେଉଁଆଡ଼େ ଲୁଚି ଯାଏ..।।


ମୋ ଗହୀର ଡେଇଁ ଦୂର ବିଲପରେ,

ଯେଉଁ ପାହାଡଟେ ଅଛି,

ରାତି ଗଲେ ସରି,ଦିନ ଆସେ ଫେରି,

ସେଇଠି ସେ ଯାଏ ଲୁଚି..।।


ଭାବିଲି ଦିନେ ମୁଁ,ହଉ ଯେତେ କଷ୍ଟ,

ଯିବି ମୁଁ ପାହାଡ଼ ଡେଇଁ,

ଭଲ ପାଏ ତାକୁ ନିଜଠାରୁ ବେଶି,

କାନେ ଦେବି ତାର କହି..।।


ଲଙ୍ଘି ବନ୍ଧୁର ପଥ,ଦୁର୍ଗମ ଜଙ୍ଗଲ,

ଦେଇ ପଥର ଛାତିରେ ପାଦ,

ପହଞ୍ଚିଲି ଶେଷେ ପାହାଡ଼ ସେପାଖେ,

ଥିଲା ଅପହଞ୍ଚ ଯୋଉ ଶବ୍ଦ..।।


ରାତି ପାହିଗଲା,ସକାଳ ଆସିଲା,

ସେଠି ପହଞ୍ଚିବା ପରେ,

ଅନେକ ଖୋଜିବି ପାଇଲିନି ତାକୁ,

ରହିଲି ତା ଅପେକ୍ଷାରେ..।।


ଭାବିଲି ମୁଁ ସିନା ଦିନ ହେଲା ବୋଲି,

ଦେଖି ତାକୁ ପାରିଲିନି,

ଆଜି ରାତି ଶେଷେ ନିଶ୍ଚେ ହଵ ଭେଟ,

ଠକି ମତେ ପାରିବନି..।।


ରାତି ହେଲେ ଶେଷ ପାହାଡ଼ ଏପଟେ,

ଯେବେ ସେ ଆସିବ ଆଜି,

ଘଟିବ ଆଜି ମୋ ପ୍ରତୀକ୍ଷାର ଅନ୍ତ,

ଯାହାକୁ ଆସିଛି ଖୋଜି..।।


ପୁଣି ହେଲା ରାତି,ଆସିଲାନି ସାଥି,

ଦେଖିଲି ମୁଁ ପାହାନ୍ତାରେ,

ଲୁଚି ଗଲା ପୁଣି ପାହାଡ଼ ସେପାଖେ,

ଯିଏ ଲୁଚୁଥିଲା ଏପାଖରେ..।।


ଶେଷରେ ଜାଣିଲି ପାଇବିନି ତାକୁ,

ଝୁରୁଛି ଯାହାକୁ ମନ,

ସତ ନୁହଁ ସିଏ,ଅଟେ ମରୀଚିକା,

ପାହାଡ଼ ସେପାଖ ଜହ୍ନ..।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance