ନମସ୍ତେ ଦେବୀ ଦଶଭୁଜା
ନମସ୍ତେ ଦେବୀ ଦଶଭୁଜା


ନମସ୍ତେ ଦେବୀ ଦଶଭୁଜା l
ତିନି ପୁରରେ ତୋର ପୂଜା ll
ଦେବ ଗନ୍ଧର୍ବ ଯକ୍ଷ ନର l
ଆବର ଅପ୍ସରା କିନ୍ନର ll
ସର୍ବେ କରନ୍ତି ତୋତେ ସ୍ତୁତି l
ଖଣ୍ଡୁ ତୁ ଅଶେଷ ଵିପତ୍ତି ll
ଦୁର୍ଗତି କାଳେ ତୁହି ସାହା l
ଏଣୁ ବୋଲାଉ ଦୁର୍ଗା ମାଆ ll
ତୁହି ମା' ଦୁର୍ଗତିନାଶିନୀ l
ମା' ଚଣ୍ଡ ମୁଣ୍ଡ ବିଧ୍ୱଂସିନୀ ll
ଜୟ ମାଆ ତ୍ରିପୁରବନ୍ଦିତା l
ବୋଲାଉ ତୁ ଅପରାଜିତା ll
କୌଣପ କୂଳେ ହୋଇ ଭାରି l
ଆର୍ତ୍ତେ କାନ୍ଦିଲା ବସୁନ୍ଧରୀ ll
ଋଷି ଅମରେ ସର୍ବେ ମିଳି l
ତୋତେ କରିଲେ ନିଉଛାଳି ll
ଅନଳୁ ହେଲୁ ଆବିର୍ଭୁତ l
ବଧିଲୁ ରାକ୍ଷସ ବହୁତ ll
ଶୁମ୍ଭ ନିଶୁମ୍ଭ ରକ୍ତବୀର୍ଯ୍ୟ l
ମହିଷାସୁର ରକ୍ଷ ରାଜ ll
ମାଆ ତୁ ମହିଷାମର୍ଦ୍ଦିନୀ l
ଶକ୍ତି ସ୍ୱରୂପା ନାରାୟଣୀ ll
ଧୂମ୍ରାକ୍ଷୀ ମାତେ ତ୍ରିନୟନୀ l
ଧୂମ୍ର ଲୋଚନ ବିନାଶିନୀ ll
ସିଂହବାହିନୀ ଦୟାମୟୀ l
ତୁ ଆଦି ଶକ୍ତି ମହାମାୟୀ ll
ମାଆ ଲୋ ଅଯୋନିସମ୍ଭୁତା l
ଦୁର୍ଗତି ହର ଆଦିମାତା ll
ପଣତ କାନି ତଳେ ତୋର l
ଘୋଡ଼ାଇ ରଖ ଏ ସଂସାର ll
ନମସ୍ତେ ନମସ୍ତେ ଜନନୀ l
ଏତିକି ମାତର ଦୟିନୀ ll
ନମସ୍ତେ ମାତେ ଶକ୍ତିମୟୀ l
ତୋ ଅବ୍ଜ ଚରଣ ବନ୍ଦଇ ll