ନିତ୍ୟ ଧାମ
ନିତ୍ୟ ଧାମ
ଘର ଘର ବୋଲି ମଣିଲୁ ଯାହାକୁ
ପ୍ରାଣଠୁ ଅଧିକ ଭଲପାଇଲୁ
ପ୍ରକୃତ ଘର ସେ ନୁହଁଇ ତୋହର
ମିଛଟାରେ ମଣି ବାଇ ହୋଇଲୁ।
ଯେଉଁଠୁ ଆସିଛୁ ଯେଉଁଠିକି ଯିବୁ
ଅସଲି ଘରକୁ ଜାଣିଲୁ ନାହିଁ
ଦୁଇ ଦିନ କ'ଣ ରହିଗଲୁ ଏଠି
ଭାବିନେଲୁ ଏହି ଘର ତୋ ପାଇଁ ।
ବାପା ବୁନିଆଦି ରହିଛନ୍ତି ଏଠି
ନାତି ଅଣନାତି ରହିବେ ଭାବି
ହଜାଇ ଅସଲି ପାଇଲୁ ନକଲି
ଅନ୍ଧାରେ ହଜାଇ ଖୋଜୁଛୁ ଚାବି ।
ଚିନ୍ତା କରି ଥରେ ବୁଝିବା ପାଇଁକି
ବଳାଇଲୁ ନାହିଁ ମନ ତୋହର
ଆବୋରି ବସିଲୁ ଧନ ସମ୍ପତ୍ତିକୁ
ମିଛଟାରେ କହି ସବୁ ମୋହର ।
ଆଣିକରି କିଛି ଆସି ତ ନଥିଲୁ
ଗଲାବେଳେ ନେଇ ଯିବୁନି କିଛି
ମିଛଟାରେ ଖାଲି ଆବୋରି ବସିଛୁ
ସ୍ୱାର୍ଥରେ ଜଡିତ ହୋଇ ତୁ ଇଛି।
ତୋହର ଯଦି ତୁ ସର୍ବସ୍ୱ ମଣିଛୁ
ଗୋଟି ଗୋଟି କରି ପଚାରିବୁଟି
କିଏ ଦେଇଦେବ କିଏ ସଙ୍ଗେ ଯିବ
ଯେତେବେଳେ ପାରିକରିବୁ ଘାଟି।
ପ୍ରକୃତରେ ଯିଏ ତୋହର ନିଜର
ସବୁବେଳେ ତୋର ସଙ୍ଗରେ ଥାଏ
ସବୁ ଦେଇପାରେ ସବୁ ନେଇପାରେ
ନ ମାଗି ବି ଫଳ ଦେଉଛି ଯିଏ ।
ଆରେ ମୂଢ ନର କର ତୁ ବିଚାର
ସତ୍ୟାସତ୍ୟ କ'ଣ ଜାଣିବା ପାଇଁ
ବାଟବଣା ହୋଇ ଅମଡାରେ ପଶି
କାହିଁପାଇଁ ତୁହି ହେଉଛୁ ବାଇ ?
ସ୍ୱାର୍ଥରେ ଜଡିତ ଏ ମାୟା ସଂସାର
କେହି ନୁହେଁ ଏଠି ତୋର ନିଜର
ସ୍ୱାର୍ଥ ବିନା କେହି ପାଖ ପଶିବେନି
କ୍ଷଣିକରେ ତୋତେ କରିବେ ପର ।
ଭଜ ତୁ ଗୋବିନ୍ଦ ପାଇବୁ ଆନନ୍ଦ
ଅନ୍ତକାଳେ ଯିବୁ ପରମ ଧାମ
ଯେଉଁଠି ଏ ଜୀବ କରେ ନିତ୍ୟ ଲୀଳା
ସେହି ଏକା ତୋର ବିଶ୍ରାମ ସ୍ଥାନ ।