ନଈ ବଂଚିଥା ତୁ ଅଳ୍ପାୟୁ ହେଇ
ନଈ ବଂଚିଥା ତୁ ଅଳ୍ପାୟୁ ହେଇ
ନଈରେ ନଈ ବଂଚିଥା ତୁ
ଅନିଶ୍ଚିତ ଆନନ୍ଦେ ଅଳ୍ପାୟୁ ହେଇ,
ଯୋଜନା ହେଇଚି... କୂଳ ପଠା ତୋ
ପୋତା ହେବ ସହରୀ ବିକାଶ ପାଇଁ ।
ସିମେଟ୍ ବାଲି ଗୋଡ଼ିରେ
କଂକ୍ରିଟ୍ ହେବ ତୋ କୂଳ
ପାଣି ଛୁଇଁବାକୁ,
ଆଉ ଗୋଡ଼ ଭିଜିବନି କି
ସହରୀ ମଣିଷ ଭୁଲିବ ଡର କାଦୁଅକୁ ।
ବର୍ଷାସାଥେ ଅହଂକାରୀ ସାଜି
କେତେ ବନ୍ଧ ତୁ ଲଙ୍ଘିଛୁ!
ସବୁ ବ୍ୟବସ୍ଥାକୁ ପୁଣି,
ସବୁ ଦର୍ପ ତୋର ଏଥର ଭାଙ୍ଗିବ
ରହିଥା ରହିଥା ଜାଣି ।
ଡେଙ୍ଗା ଖୁଂଟରେ ଆଲୁଅ ଲାଗିବ
ଥରିଥରି ଚାଲି ତୋ ସଳଖେ ଦିଶିବ,
ମାଛ କଙ୍କଡ଼ା ଧରିବାକୁ... ପୁଣି
ଆବର୍ଜନା ଫୋପଡ଼ାକୁ
ମୂର୍ତ୍ତି ବିସର୍ଜନରେ ସୁବିଧା ହେବ ।
ଆଲୁଅରେ ଆସି ଆଞ୍ଜୁଳିରେ ସିନା
ଯାଯାବର ମଣିଷ ପାଣି ମୁନ୍ଦେ ଘେନିଯିବ,
କିନ୍ତୁ ପାଣିରେ ତୋର ସହର ବଂଚିବ
ମେସିନ ଲଗାଇ ଅନ୍ଧାରେ ବୁହାଚାଲିବ ।
ବୁହାବୁହିରେ ଧାର ଶୁଖିବ ତୋ
ପୁଣି ସହର ଆସି ପଠା ମାଡ଼ିବ,
ଏମିତି ସମୟ ଆସିବ ପାଣିଧାର ନାହିଁ କହି
ଜୋରଟିଏ ଛାଡ଼ି କୂଳ ସବୁ ପୋତାହେବ ।
