ଆକାଶ
ଆକାଶ
ଜନ୍ମ ପରଠୁ ଯେତେଥର ଦେଖିଛି
ଆକାଶକୁ... ଆକାଶକୁ,
ସେ ଜଳ ଜଳ ହେଇ ଚାହିଁଛି
ତଳକୁ ତଳକୁ ।
ମନେ ଈର୍ଷା, ଅଭିଳାଷା, ସ୍ୱପ୍ନସବୁ ଦାନା ବାନ୍ଧିଛି,
ଦେଖି ଆକାଶର ସୌନ୍ଦର୍ଯ୍ୟକୁ
ଆହୁରି ଆହୁରି ଦେଖିବି ମନଭରି ଦେଖିବି!
ହେଲେ, ବାରମ୍ବାର ଦୃଷ୍ଟି ଖସିପଡ଼ିଛି
ତଳକୁ ତଳକୁ ।
ଅଳ୍ପ ଅଳ୍ପ ମନେପଡ଼େ ପିଲାଦିନ
ସ୍ୱପ୍ନର ଶେଯରେ ଶୋଇ ଦେଖିଛି ଆକାଶକୁ
ଭାବେ, ଚାଳଛପରଟା ତ ଅଟକାଇଛି ତାକୁ,
ନହେଲେ କେତେଥର ଛୁଇଁଥାନ୍ତି!
ଖସିପଡ଼ନ୍ତା, ତଳକୁ ତଳକୁ ।
ମୋ ବୟସ ସାଙ୍ଗେ ତାଳଦେଇ ଆକାଶ
ଦୂରକୁ ଦୂରକୁ ଯାଉଛି,
ପକ୍ଷୀ ହୋଇଥିଲେ ଉଡ଼ିଯାନ୍ତି, ଛୁଇଁପକାନ୍ତି
ଆକାଶକୁ ବାନ୍ଧି ଆଣନ୍ତି
ତଳକୁ ତଳକୁ ।
ବୃଥା ମଣିଷର କାହୁଁ ଅଛି ଯେ ଡେଣା
ମନଖୋଲି ଉଡ଼ିଯିବ! ଦିଗରୁ ଦିଗନ୍ତକୁ,
ଆକାଶକୁ ଚାହିଁ ମନ ସ୍ୱପ୍ନ ଗଢ଼େ ସିନା
ଆକାଶ ଖସେନି କେବେ, ତଳକୁ ତଳକୁ ।
ଏବେ ମନେ ହେଜୁଛି ଚାଟଶାଳିର ପାଠ
ବୁଢ଼ାସାରେ ଆକାଶ ଦେଖେଇ
ଚଷମା ତଳୁ ଶୁଣାଇଥିଲେ ଉଁଚାଇ ଛାଟ,
ଆକଶ କେବେ କୟାଁ ନୁହେଁ କି ଚିଲିକା ମାଛ
ଆପଣାଛାଏଁ ଖସି ପଡ଼ିବ, ତଳକୁ ତଳକୁ ।