ନଦୀ ଆଉ ପଥିକ
ନଦୀ ଆଉ ପଥିକ
ଚାଲୁଥିଲି ଦିନେ ମହାନଦୀ କୂଳେ
ଢେଉ ଖେଳୁଥିଲା ଲୁଚକାଳି
ଅପରାହ୍ନର ସେ ମେଘୁଆ ଆକାଶୁ
ବର୍ଷା ପଡୁଥିଲା ଥିରି ଥିରି
ଦିଗବଳୟ ଶେଷେ ପକ୍ଷୀମାଳା କିଛି
ଯାଉଥିଲେ ଉଡି ଦୂରଦେଶେ
ଅସ୍ତାଚଳେ ରବି ବିଦାୟ ବେଳାରେ
ସନ୍ଧ୍ୟା ଆସୁଥିଲା ଦିବା ଶେଷେ
ନାଉରିଆ କେହି ତରୀଟିଏ ବାହି
ବସି ଥିଲା କିଛି କଥା ଭାବି,
ଦୃଶ୍ୟ ଥିଲା କିଛି ଅଭୁଲା ସ୍ମୃତି ସେ
ମନୋରମ ଶାନ୍ତ ଶୋଭାରାଶି !
ଗଢ଼ିଥିଲା କେହି ବାଲୁକା ସହରେ
ଆରାଧ୍ୟ ପାଇଁ କି ମନ୍ଦିରଟେ
ପୂଜାରୀ ନଥିଲା ଆରତୀ ନଥିଲା
ନଥିଲେ ଈଶ୍ୱର କେହି ଜଣେ !
କେଉଁ ଭାବନାର ପ୍ରତିଛବି ସେ ଯେ
କାହିଁକି ଆଙ୍କିଲା କଳାକାର !
ସହର ଭିଡରେ ନିରୋଳା ତଟରେ
କା ପାଇଁ ଛାଡିଲା ସ୍ମୃତିଚିହ୍ନ !
ପ୍ରକୃତିର ସେଇ ମୁଗ୍ଧ ଚିତ୍ରଣରେ
ନ ହଜିବ କାହିଁ ପଥଚାରୀ !
କାହିଁ କେ ନହେବ କବି ସତେ ସେଠି;
ନଲେଖିବ କାହିଁ କିଛି ପଂକ୍ତି !
ଭଗ୍ନ ଭାବନାର ଅଧୁରା ଅର୍ଥରେ
ସାହିତ୍ୟ ସର୍ଜନା ରୂପ ଧରେ
କଥା ଯା କୁହେନା ଶବ୍ଦ ଯା ଲେଖେନା
ମନ ଆଙ୍କିପାରେ କାଳାନ୍ତରେ ...!!!