ନାମର ମହତ୍ତ୍ୱ
ନାମର ମହତ୍ତ୍ୱ


ନାମର ମହତ୍ତ୍ୱ
ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)
ନାମ ଅନୁସାରେ କର୍ମ,
ଏବେ କରୁଛି କେଉଁ ଅଧମ ?
ନାମର ମହତ୍ତ୍ୱ ଯାଇଛି ସରି,
ଚାଲିଯା କିଛି ଭଲ କାମ କରି ା
ଜୀବନଟା ଏବେ କିରିକିରି,
ଲାଗିବ ନିଜକୁ କିଛି ହେଲାପରି ।
ରାମ : ମର୍ଯ୍ୟାଦାର ନାହିଁ କିଛି କାମ,
ସବୁଠାରୁ ବେଶୀ ବଦନାମ ।
ଭଗବାନ : କରିଛି ପାନ ଦୋକାନ,
ଦିନସାରା ଦେଉଛି ଫିଲ୍ମ ଜ୍ଞାନ ।
ଶଙ୍କର : ଆଉ ହେଉନାହିଁ ତରତର,
ମାରୁଛି ଧନ ଲୋକଙ୍କର ।
ହନୁମାନ : ଜୀବନରେ ନାହିଁ ଅନୁଶାସନ,
କରୁଛି ସବୁଦିନେ ନାରୀ ଦର୍ଶନ ।
ଅକ୍ଷୟ : ହୋଇଯାଇଛି ସବୁ ପୁଣ୍ୟର କ୍ଷୟ
ଚୋରି କେଶ୍ ରେ ଜେଲ୍ ରେ ଥୟ ।
ଜୀବନ :ଶବ୍ଦର ବାଣ ଖାଲି ଟାଣ,
ନାହିଁ କିଛି କରିବାର ପଣ ।
ସମ୍ରାଟ : ଆଉ କିଛି ନାହିଁ ବାଟ,
ଶୁଖୁଆ ବିକୁଛି ହାଟ ହାଟ ।
ଗଣେଶ : ଲେଖି ପାରୁ ନାହିଁ ନାମ,
ଗଧ ଖଟଣିରେ କରମ ବାମ ।
>
ବିଶ୍ୱାସ : କହୁନାହିଁ କେବେ ସତ,
ଠକିବାର କଳା ଶତ-ପ୍ରତିଶତ ।
ବୀରବର : ନାମ ବହିଅଛି ବୀରବର,
କୁକୁର ଦେଖି ଖୋଜେ ବଙ୍କର ।
ସାଧୁ : ନାମଟି ତା’ର ଅଟଇ ସାଧୁ,
ଅଫିସ୍ ରେ ଚାଖେ ଲାଞ୍ଚର ମଧୁ ।
ଲକ୍ଷ୍ମୀ : ବୁଲୁଛି ଦୁଆର ଦୁଆର,
ଭିକ ମିଳୁନାହିଁ ଗୁରୁବାର ।
ସୀତା : ହୋଇଛି ଏବେ ନେତା,
ଚାରିଆଡ଼େ କାଟୁଛି ଫିତା ।
ଗୀତା : ପଢ଼ିନି ପାଠ ଦଶମ,
କଥା କୁହେ କିସମ କିସମ ।
ଶାନ୍ତି : ନାହିଁ ସଦାଚାର ଆଉ ଭକ୍ତି,
ଶାଶୁ-ବୋହୂ ଦିନସାରା ଯୁକ୍ତି ।
ଦ୍ୱାପର ସତ୍ୟ ଯୁଗରେ ନାମରେ ଥିଲା କର୍ମ,
ନାମ ଆଦର୍ଶ ହେଲା ଧର୍ମ,
କଳିଯୁଗେ ନାମରେ ସବୁ ଅପକର୍ମ,
ନାମ ବଦନାମ ହେଲା ଅଧର୍ମ,
ପାଇଛୁ ମଣିଷ ଜୀବନ,
ଜୀବନର ସାରମର୍ମ
କରିଯା କିଛି ପୁଣ୍ୟକର୍ମ ା
ନାମ ପାଇଁ ଆଜି ସବୁ ଖେଳ,
ସାରା ଦୁନିଆଟା ନାମ ପାଇଁ ପାଗଳ ।
ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪
ଫୋନ୍ : ୯୪୩୭୦୨୦୬୧୮
*****