ମୋ ସବାଖାଇରେ
ମୋ ସବାଖାଇରେ
ଗୁପୁଚୁପୁ ଖାଉଥିଲୁ ଠୋଲା ଦେଇ ହାତ
ଟପ୍ ଟାପ୍ ଗିଳୁଥିଲୁ ଖଟା ପାଣି ସତ
ଆଉ କା'ର ନଜରକୁ ଦେଉଥିଲୁ ନାତ
ବଜାରକି ଛକ ହେଉ ଲାଜ ଜମା ନାଇଁ
ମୋ ସବାଖାଇରେ !
ପିଜା ଧରି ଚାଖୁଥିଲୁ ମନ ଭାରି ମିଠା
ରୁଚୁନାହିଁ ଘର ଖାଦ୍ୟ ଯେତେ ହେଉ ପିଠା
ବାହାରଟା ସଜ ସିନା ଘର ପିଠା ସିଠା
ଘରଖିଆ ଆସିଯିବ କାଳେ ପରା ଅଇ
ମୋ ସବାଖାଇରେ !
ମୀନ ତୋଡ଼ି ବେସରକୁ ଛାଡ଼ି ଛୁଡ଼ି ତୁଣ
ଆନ୍ଧ୍ର ରୋହି ଭାକୁରକୁ ବଖାଣୁଛୁ ଗୁଣ
ରନ୍ଧା ପଛେ ଆସୁନାହିଁ ପକାଇବୁ ଲୁଣ
ମଉଜଟା ତୋହ ଲାଗି ଟାଣି ଟୁଣି ଛଇ
ମୋ ସବାଖାଇରେ !
ଚିକେନକୁ ଗୁଳିମାର୍ ମଟନକୁ ଭିଡ଼ି
ପଇସାକୁ ଭୁଲି ଭାଲି ଚଢୁ ଟଙ୍କା ସିଡ଼ି
ଓଡ଼ିଆଣୀ ବୋହୂପଣ କେତେକାଳୁ ଛାଡ଼ି
ଭଲ ମୁହଁ ଦାନ୍ତ ତୋର ଏକା ଅଛୁ ପାଇ
ମୋ ସବାଖାଇରେ !
ପଣା ପାଣି ଅଜାଡୁଛୁ କୋଲ୍ଡଡ୍ରିଙ୍କ୍ ପାନ
ବରଫର କ୍ରିମ୍ ପୁଣି ହଟୁନାହିଁ ଧ୍ୟାନ
ଘର କୋରା ଘରେ ଥାଉ ଚକୋଲେଟେ ମନ
ଉସତରେ ନାଚିଯିବୁ ସତେ ଅବା ଥେଇ
ମୋ ସବାଖାଇରେ !
ବଣ ବାରି କୋଳି ଛାଡ଼ି ଚେରିକୋଳି ଲୋଡୁ
ମାଣ୍ଡିଆର ଜାଉ ଭୁଲି ପାଏସରେ ବୁଡୁ
ଅକାଣ୍ଡିଆ ଲୋଡ଼ାନାହିଁ ବାସୁମତୀ ରଡୁ
ଭାଉ ଖିଆ ତୋର ହାଏ ଲାଉ ଆଛା ହୋଇ
ମୋ ସବାଖାଇରେ !
