STORYMIRROR

ମୋ ଓଡିଶା

ମୋ ଓଡିଶା

1 min
14.4K


ଯେଉଁ ରାଇଜର ବଣ ପାହାଡରେ

ଲୁଚକାଳି ଖେଳେ ଉଷା

ଯେଉଁ ରାଇଜର ମାଆ ମାଉସୀଙ୍କ

ମୁଣ୍ଡରେ ଡାଲିଆ ଖୋସା

ସେହି ରାଇଜରେ ଜନମ ମୋହର

ଓଡ଼ିଆ ମୋ ମାତୃ ଭାଷା..

ସେହି ମୋ ଓଡିଶା...ମୋ ଓଡିଶା

ମୋ ରାଇଜର ଅଧିବାସୀ ଆଗେ

ସଭିଏଁ ମାନନ୍ତି ହାର

ଘାସ କଟା ଠାରୁ ଘୋଡା ଚଢ଼ା ଯାଏ

ସବୁଥିରେ ଧୂରନ୍ଧର

କଳା କଉଶଳେ ବିଦେଶୀ ଚକିତ

ଚାଷ ତା ନିଜ ବେଉଷା

ସେହି ମୋ ଓଡିଶା.....

ସୂରୁଜ ଦେବଙ୍କ ପ୍ରଥମ କିରଣ

ଦେଖେ ମୋ ରାଇଜ ମାଟି

ବୀର ପାଇକଙ୍କ ଲାଠି ପ୍ରହାର ରେ

ଶତୃ ଯାଇଥିଲେ ହଟି

ବାରବାଟି ଏବେ ମୂକ ସାଖି ହୋଇ

କହୁଛି ଅତୀତ ଭାଷା...

ସେହି ମୋ ଓଡିଶା..

ଜଗତ ଠାକୁର କାଳିଆ ସାଆନ୍ତ

ଆମ ସଭିଙ୍କର ଇଷ୍ଟ

ଆଖିକୁ ତାରାଟି ବାହୁକୁ ପ୍ରସରି

ହରନ୍ତି ସଭିଙ୍କ କଷ୍ଟ

ସେ ଠାକୁର ମାୟା ଆହା କି ବିଚିତ୍ର

ନାହିଁ ଏଠି ରାଗ ରୁଷା

ସେହି ମୋ ଓଡ଼ିଶା... ||


ବାର ମାସେ ତେର ପରବ ପାଳନ୍ତି

ଓଡ଼ିଆ ଘରର ବୋହୂ

ଓଡିଶୀ ନାଚନ୍ତି ତକ୍ ଥେଇ.. ଥେଇ

ଛମ୍.. ଛମ ନାଚେ ଛଉ

ମାଣବସା ଓଷା ଆମ ପରମ୍ପରା

କାର୍ତିକ ବୋଇତ ଭଷା

ସେହି ମୋ ଓଡିଶା...

ସାନ୍ତାଳ ପରଜା ଅଧିବାସୀ ଯେତେ

ବଣରେ କରନ୍ତି ବାସ

ଧି.. ତମ୍..ତାମ୍ ମର୍ଦଳ ବଜାଇ

ପଳାନ୍ତି ନୁଆ ବରଷ

ବସନ୍ତ ଆସିଲେ ବଣୁଆ ଫୁଲରେ

ଭରିଯାଏ ତାଙ୍କ ଖୋସା

ସେହି ମୋ ଓଡିଶା....

ସମଲେଶ୍ଵରୀଙ୍କୁ ଗୁହାରି କରୁଛେ

ସମ୍ବଲପୁରୀର ନନୀ

ନୁଆ ଖାଇକରି ଜୁହାର୍ କରୁଛେ

ସଭିଙ୍କର ହିତ ମଣି

ସରାଗଠୁ ବଡ ମୋ ଓଡିଶା ମାଟି

ସଭ୍ୟଙ୍କ ସିଏ ଭରଷା...

ସେହି ମୋ ଓଡିଶା...... ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational