ମୋ ନାଆରେ ମୁଁ ନାଉରୀ
ମୋ ନାଆରେ ମୁଁ ନାଉରୀ
ଏତେ ବଡ଼ ନଦୀ ପାର ହେଵା ପାଇଁ
ସାହସ ମନରେ ବାନ୍ଧିଛି
ସେଥିପାଇଁ ପରା ନିଜର ନାଆରେ
ନିଜେ ମୁଁ ନାଉରୀ ସାଜିଛି ।।
ଅକାତକାତର ପାଣି ଯେଉଁଠାରେ
ସାଙ୍କୁଚ କୁମ୍ଭୀର ଡର
ଈଶ୍ବର ସୁମରି ନାବକୁ ବାହୁଛି
ଇଛା ଶକ୍ତି ମୋ ମନର ।।
ମୋ ପରିବାର ମୋର ନାଆ ମଧ୍ୟେ
ଛାନିଆରେ ବସିଛନ୍ତି
କଳା ଘୁମର ଏ ପାଣି ଦେଖିକରି
ମନେ ଭୟ ପାଇଯାନ୍ତି ।।
ଚାରଣା ପଥରେ ନାଆ ପହଞ୍ଚିଛି
ପୁଅ ମୋର ଡରିଯାଇ
କହୁଛି ହେ ବାପା କୁମ୍ଭୀରକୁ ଦେଖି
ମୋତେ ଡର ଲାଗିଲଇ ।।
ବୁଝାଇ କହିଲି କିଛି ନାହିଁ ପୁଅ
ଚୁପଚାପ୍ ବସି ରହ
ମୁଁ ପରା ତୋର ପାଶରେ ରହିଛି
ମାଆ କୋଳେ ଶୋଇ ରହ ।।
ଘରଣୀ କୁହନ୍ତି ଶୁଣୁଛ ମୋ କଥା
କାହିଁ କର କଲବଲ
ଗଭୀର ନଦୀରେ ନାଆ ମେଲାଇଲ
ଟିକେ ପଶୁନି ଅକଲ ?
ଛୁଆ ଦିଟା ମୋତେ ଜଡାଇ ଧରନ୍ତି
ଦେଖି ଭୟଙ୍କର ଜଳ
ଜଳ ଜୀବ ଦେଖି ଛାନିଆ ହୁଅନ୍ତି
ମୋତେ ଲାଗଇ ବିକଳ ।।
ଶୁଣ ଗୋ ଶ୍ରୀମତୀ ଯାହା ମୁଁ କହୁଛି
ମନ ଧ୍ୟାନ ଦେଇ ଶୁଣ
ମଣିଷ ଜୀବନେ ଉତ୍ଥାନ ପତନ
ଇଏତ ନିତି ଘଟଣ ।।
ଉପରେ ରୁହ କି ଜଳ ମଧ୍ୟେ ରୁହ
ଭୋଗିବାର ଯାହା ଥିବ
ତାହାକୁ କିଏବା ଅନ୍ୟଥା କରିବ
ରଚିଛି ଯାହା ଦଇବ ?
ମରିବାର ଥିଲେ ସାତ ସିନ୍ଧୁକରେ
ଯାଇଣ ଯେବେ ଲୁଚିବ
ଯମ କି ଛାଡ଼ିବ ଖୋଜି ପାଇବନି
ଏହା ବୃଥା ଚିନ୍ତା ତବ ।।
ମନ ଦୃଢ଼ କରି ଈଶ୍ବର ଚିନ୍ତନେ
ମନ ପ୍ରାଣ ଦିଅ ଢାଳି
ସତ୍ କର୍ମ ଯଦି କରୁଥିବା ଆମେ
କାହିଁକି ଯିବାଟି ଡରି !!!
ନାଆ ଆସି ଅଧା ନଦୀ ପାର ହେଲା
ଆଉ ଅଧା ଅଛି ରହି
ସନ୍ଧ୍ୟା ପୂର୍ବୁ ଆମେ ପହଞ୍ଚି ଯିବାଟି
ମୋର ଧାରଣା ହୁଅଇ ।।
ଇଏ କ'ଣ ଦେଖ ପବନ କାହିଁକି
ଏତେ ଜୋରରେ ବହିଲାଣି
ନାଆ ଟଳମଳ ପଶିଯିବ ଜଳ
ବତାସ କି ଆସିଲାଣି ?
ସେମିତି କୁହନି ଆଗୋ ରାମୁ ବାପା
ହୋସ୍ ଯାଉଛି ଉଡି
ଭଲରେ ଭଲରେ ପାରି ହୋଇଯିବା
ପ୍ରଭୁ ପାଶେ ମୋ ଗୁହାରି ।।
ଜୀବନ ନାଆଟି ଜୀବନ ନଈରେ
ଜୀବନ କାତଟି ଧରି
ଜୀବନର ଭ୍ରମ ସୃଷ୍ଟି କରାଉଛି
ପାଠକେ ଯିବନି ଡରି ।।