ମୋ ଝିଅ ମୋ କବିତା
ମୋ ଝିଅ ମୋ କବିତା
ଝିଅ ମୋର !
ମୋ ସୁନା ଝିଅ
ହେଇ ଦେଖ,ସିନ୍ଦୂର ଫାଟି ଲାଣି
ତୋ ଗହମ ନିଦ କୁ ଭାଙ୍ଗିଦେ ମା
କାହିଁକି ଆଉ ମାନ କରିଛୁ
ଏଥର ଉଠିପଡ
ତୋତେ ପରା ଅପେକ୍ଷା କରିଛି ଜୀବନ
ମା ଲୋ,
ସହିଷ୍ଣୁତା ର ସୀମାରେଖା କୁ
କେବେ ଅସହିଷ୍ଣୁ ହେବା କୁ ଦବୁନି
ଅନ୍ଧାର ହେଲେ ,
ସୁନୁ ସୁନିଆ ଶାଗ ପରି ମୁଦି ହୋଇ ଯିବୁନି
ବଟବୃକ୍ଷ ପରି ଅଜର ଅମର ହୋଇ ଛିଡ଼ା ହେବୁ
ଭରଷା ର ବନ୍ଧ ଭାଙ୍ଗିବା ଆଗରୁ
ତୋ ସଂସାର ରେ ଫଟା କାନ୍ଥ କୁ ସିଇଁ ଦବୁ ପ୍ରେମ ରଜ୍ଜୁ ରେ
ବହଳ ଅନ୍ଧାର ଭିତରୁ ଅତି ସନ୍ତର୍ପଣରେ
ପରଖିବୁ,ତୋର ଅକ୍ଷାଂଶ ରୁ ଦ୍ରାଘିମା ପର୍ଯ୍ୟନ୍ତ ସୀମାରେଖା କୁ
ପଟେ ପାଉଁଜି ର ଘର କରିବୁ
ଅଣନିଃଶ୍ୱାସୀ ର ଅନ୍ଧାର ଗଳି ରୁ ଖୋଜିବୁ ଆକାଶ ର ବିସ୍ତୀର୍ଣ୍ଣ ଛାତି କୁ
ଧୂ ଧୂ ଗ୍ରୀଷ୍ମ କୁ ଆଉଟି କାଢିବୁ ମୁଲାୟମ ଲହୁଣୀକୁ
ଝିଅ ମୋର!
ମୋ ସୁନା ଝିଅ
ତୁ ପରା ସଂସାର କରିବୁ
ସଭ୍ୟତା ର ପ୍ରଥମ ଦିନରୁ
ଏଯାବତ୍
ନାରୀ ଗୋଟେ ନିଆଁ
ଲିଭାଇ ଦେଲେ ଲିଭିଯିବ
ସଞ୍ଚରି ଗଲେ ଭସ୍ମ କରିଦେବ
ତୁ କିନ୍ତୁ,
ଅହଲ୍ୟା ପରି ପଥର ହେବୁନି
ଦ୍ରୌପଦୀ ପରି ପାତାଳ ଗାମୀ ହେବୁନି
ପାଞ୍ଚାଳୀ ପରି ସହନଶୀଳା ହେବୁନି
ପହଲି ଆଷାଢ଼ ର ମାଟି ପରି ବତୁରି ଯିବୁନି
ପାହାଡ଼ କୁ ଝୁଣ୍ଟି ଲହୁ ଲୁହାଣ ହେଲା ପରେ
ପୁଣି ଅଣ୍ଟା ସଳଖି ଛିଡା ହବୁ
ଫାଳେ ଜହ୍ନ ରେ ବି ସଂସାର କରିବୁ।
ମା ଲୋ,
କେବେ କେମିତି ସକାଳ ଚା କପ୍ ର ଧୂଆଁ ରେ ଲାଗିଯିବ ନିଆଁ
ସେଇ ଅଗ୍ନି ର ଲହ ଲହ ଜୀଉ ରେ ପୋଡ଼ି ହୋଇଯିବ
ତୋ ହୃଦୟ ର କିଛି ଅଂଶ
ତୁ କିନ୍ତୁ, ବୁହାଇବୁନି ତୋ ଆଖି ରୁ ଶ୍ରାବଣର ନଦୀ
ମୁଠେ ପ୍ରେମ ପାଇଁ ଖୋଲିଦେବୁ
ତୋ ଦେହ ର ଦୁଆର ବନ୍ଧ ର ଗୋଟେ ପରେ ଗୋଟେ ସବୁତକ ଶିକୁଳି
ଚାଖଣ୍ଡେ ସିଇଁଲା ପରେ ବି ହାତେ ଫେରିବାର ଦୁଃଖ କୁ
ପିଇଯିବୁ ରୋଷେଇ ଘର କୋଣ ରେ
ମା ଲୋ,
ତଥାପି ହାରିବୁନି ଜୀବନ ଯୁଦ୍ଧ ରେ
ତୋ ଫୁଟା ଡ଼ଙ୍ଗା ର ସଂସାର ରେ ଜଣେ
ପ୍ରବୀଣ ନାବିକ ସାଜିବୁ।
ଝିଅ ମୋର!
ମୋ ସୁନା ଝିଅ
ତୋ ଋଷା ଘର କୋଲପ ଖୋଲିଦେ ମା
ତୁ ପରା ସଂସାର କରିବୁ
ଯଦି କେବେ ପୁଳା ପୁଳା ପ୍ରେମ ର ପୋଡ଼ା ଗନ୍ଧ ରେ
ଫାଟି ପଡେ ନାକ
ତୋ ଛାତି ର ପଞ୍ଜରା ହାଡ଼ ଙ୍କ ସନ୍ଧି ରେ
ଲୁଚେଇ ଦବୁ କୋହ ମାନଙ୍କୁ
ତୋ ମୁଣ୍ଡ ରେ ଯଦି କେବେ ଛିଣ୍ଡି ପଡେ ଆକାଶ
ତଥାପି, ସଂସ୍କାର ଓ ସମ୍ପର୍କ ର ଶିକୁଳି ରୁ ବିଚ୍ଛିନ୍ନ ହେବୁନି
ଭାବପ୍ରବଣତା କୁ ପଛ କରି
ସଂଭ୍ରମ ରେ କେବେ କେବେ ନଇଁଯିବୁ
କିନ୍ତୁ ଭାଙ୍ଗିବୁନି
ରାତ୍ରି ର ସ୍ଵପ୍ନ ରେ ନ ଆସୁ ବସନ୍ତ ର ସଂମ୍ଭାର
ଚିରା ଚାନ୍ଦ କୁ ଦେଖି ପୁହାଇଦବୁ ରାତି କୁ
ସକାଳ ର କାକର ବିନ୍ଦୁ ରେ ମୁହଁ ଦେଖି
ପୁଣି ସଜାଡି ନବୁ ଅଲରା ବାଳ କୁ
ବୈଶାଖ ର ଖରା ରେ କେରାଣ୍ଡି ମାଛ ପରି ଭାଜି ହୋଇ ଯିବୁନି
ଟୋପେ ପ୍ରେମ ରୁ ଖୋଜିବୁ ସପ୍ତ ରଙ୍ଗି ଇନ୍ଦ୍ରଧନୁ କୁ
ଶୂନ୍ୟତା କୁ ଆଲିଙ୍ଗନ କରି
ଅଳସ ଭାଙ୍ଗି ପ୍ରସ୍ତୁତ ହୋଇଯା ମା
ତୋ ଭବିଷ୍ୟତ ର ଉଡାଣ ପାଇଁ।
ଆ ,ମା ,ଆ
ତୋତେ ଅପେକ୍ଷା କରିଛି ଜୀବନ
ତୋତେ ଅପେକ୍ଷା କରିଛି ଜୀବନ।
ତୋ ପାପା ।